ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ସେମି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ । ଲିଗ ପର୍ଯ୍ୟାୟରେ ୯ଟି ଯାକ ମ୍ୟାଚରେ ବିଜୟୀ ହୋଇ ଇତିହାସ ରଚିଛନ୍ତି ଅଧିନାୟକ ରୋହିତ ଶର୍ମା । ତେବେ ଆସନ୍ତା ନଭେମ୍ବର ୧୫ ତାରିଖରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ସେମି ଫାଇନାଲର କଡ଼ା ଟକ୍କର । କିନ୍ତୁ ଏହି ମ୍ୟାଚ ପୂର୍ବରୁ ଘୋଷଣା ହୋଇଛି ଏକ ପ୍ଲେଇଙ୍ଗ-୧୧ । ଯେଉଁଥିରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି । ତେବେ ସବୁଠୁ ବଡ଼ କଥା ହେଉଛି ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା ଏହି ଦଳରୁ ବାଦ୍ ପଡ଼ିଛନ୍ତି ।
ରିପୋର୍ଟ ଅନୁସାରେ, କ୍ରିକେଟ ଅଷ୍ଟ୍ରେଲିଆ ଚଳିତ ବିଶ୍ୱକପର ସର୍ବଶ୍ରେଷ୍ଠ ୧୨ ଜଣିଆ ସଦସ୍ୟ ଘୋଷଣା କରିଛି । ଏହି ଦଳରେ ଭାରତର ୪ ଜଣ ସୁପରଷ୍ଟାର ଖେଳାଳି ସାମିଲ ରହିଛନ୍ତି । କ୍ରିକେଟ ଅଷ୍ଟ୍ରେଲିଆର ଏହି ବେଷ୍ଟ ପ୍ଲେଇଙ୍ଗ-୧୧ରେ ସ୍ଥାନ ପାଇଛନ୍ତି ବିରାଟ କୋହଲି, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମୀ ଏବଂ ଜଶପ୍ରୀତ ବୁମରାହ । ଏହା ବ୍ୟତୀତ ଅଷ୍ଟ୍ରେଲିଆର ଷ୍ଟାର ଓପନର ଡାଭିଡ ୱାର୍ଣ୍ଣର, ଗ୍ଲେନ ମାକ୍ସୱେଲ ଏବଂ ଆଡାମ୍ ଜାମ୍ପାକୁ ସାମିଲ କରିଛି କ୍ରିକେଟ ଅଷ୍ଟ୍ରେଲିଆ । ସେହିପରି ଦକ୍ଷିଣ ଆଫ୍ରିକାର ମଧ୍ୟ ୩ ଜଣ ଖେଳାଳି ଏହି ତାଲିକାରେ ସ୍ଥାନ ପାଇଛନ୍ତି । ଷ୍ଟାର ଓପନର କ୍ୱିଣ୍ଟନ ଡି’ କକ୍, ଏଡେନ ମାର୍କରମ ଏବଂ ମାର୍କେ ଜାନସେନ ଏହି ପ୍ଲେଇଙ୍ଗ-୧୧ର ମୁଖ୍ୟ ସଦସ୍ୟ ଭାବରେ ସାମିଲ ହୋଇଛନ୍ତି । ତେବେ ନ୍ୟୁଜିଲାଣ୍ଡର ଏକମାତ୍ର କ୍ରିକେଟର ଭାବରେ ରଚିନ୍ ରବିନ୍ଦ୍ର ଏହି ଦଳରେ ସ୍ଥାନ ପାଇଥିବା ବେଳେ ଦ୍ୱାଦଶ ଖେଳାଳି ଭାବରେ ରହିଛନ୍ତି ଶ୍ରୀଲଙ୍କାର ଷ୍ଟାର ବୋଲର ଦିଲଶାନ୍ ମଧୁଶଙ୍କା । ଦଳର ଅଧିନାୟକ ପଦ ବିରାଟ କୋହଲିଙ୍କ ହାତରେ ରହିଛି ।
ଚଳିତ ବିଶ୍ୱକପରେ ୫୦୦ରୁ ଅଦିକ ରନ୍ ସଂଗ୍ରହ କରିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ଏହାବ୍ୟତୀତ ଅଧିନାୟକ ଭାବରେ ସେ ଭାରତକୁ ଲିଗ୍ ପର୍ଯ୍ୟାୟର ସମସ୍ତ ୯ଟି ଯାକ ମ୍ୟାଚରେ ବିଜୟୀ କରାଇଛନ୍ତି । ଏହାପରେ ମଧ୍ୟ ରୋହିତଙ୍କୁ ଏହି ଦଳରେ ସ୍ଥାନ ଦେଇନାହିଁ କ୍ରିକେଟ ଅଷ୍ଟ୍ରେଲିଆ । ତେବେ ବିରାଟ କୋହଲି ଟୁର୍ଣ୍ଣାମେଣ୍ଟର ସର୍ବାଧିକ ସ୍କୋର କରିଥିବା ବ୍ୟାଟର ଭାବରେ ଗୋଲ୍ଡେନ ବ୍ୟାଟ ପାଇଁ ଖୁବ ଆଗରେ ରହିଛନ୍ତି ।
କ୍ରିକେଟ ଅଷ୍ଟ୍ରେଲିଆର ସର୍ବଶ୍ରେଷ୍ଠ ବିଶ୍ୱକପ Plaing-11: କ୍ୱିଣ୍ଟନ ଡି’ କକ୍, ଡାଭିଡ ୱାର୍ଣ୍ଣର, ରଚିନ୍ ରବିନ୍ଦ୍ର, ବିରାଟ କୋହଲି(ଅଧିନାୟକ), ଏଡେନ୍ ମାର୍କରମ୍, ଗ୍ଲେନ ମାକ୍ସୱେଲ, ମାର୍କୋ ଜାନସେନ୍, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମୀ, ଆଡାମ୍ ଜାମ୍ପା, ଜଶପ୍ରୀତ ବୁମରାହା ଦିଲଶାନ୍ ମଧୁଶଙ୍କା-(ଦ୍ୱାଦଶ ଖେଳାଳି) ।