ଭୋଟରଙ୍କ ହାତରେ ଗଣତନ୍ତ୍ରର ଚାବିକାଠି: ଜନତା ଚାହିଁଲେ ବଦଳିବ ସରକାର, ଜନତା ଚାହିଁଲେ ଭୁଶୁଡ଼ିବ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ପାଇଁ ଆଜି ଥିଲା ଏକ ମହାନ୍ ଦିନ । ଲୋକସଭା ଓ ୨ଟି ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି । ଯଦିଓ ବିଜେତାଙ୍କ ନାମ ନିର୍ବାଚନ ଆୟୋଗଙ୍କ ତରଫରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ, ତଥାପି ଅଧିକାଂଶ ଆସନରେ ଫଳାଫଳ ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । କେନ୍ଦ୍ରରେ ବିଜେପି ବହୁମତ ହାସଲ କରିବାକୁ ଯାଉଥିବା ବେଳେ ଓଡ଼ିଶାରେ ବିଜେଡିକୁ କ୍ଷମତାଚ୍ୟୁତ କରି ନୂଆ ସରକାର ଗଠନ କରିବା ଆଡ଼କୁ ଅଗ୍ରସର ହେଉଛି ବିଜେପି ।

ଏଥର କେନ୍ଦ୍ରରେ କଂଗ୍ରେସ ଓ ବିରୋଧୀ ଇଣ୍ଡିଆ ମହାମେଣ୍ଟ ମଧ୍ୟ ଭଲ୍ ପ୍ରଦର୍ଶନ କରିଛି । ବିଜେପିର ୪୦୦ ପାର୍ ନାରା ବୋଧହୁଏ ସଫଳ ହୋଇନପାରେ । ଯଦିଓ ବିଜେପି କ୍ଷମତାକୁ ବଜାୟ ରଖିଛି ତଥାପି ଦେଶର ଭୋଟମାନେ ସେମାନଙ୍କର ଉଚିତ ନିଷ୍ପତ୍ତି ନେଇଛନ୍ତି । କୌଣସି ସରକାର କ୍ରମାଗତ ଭାବେ ବିଜୟ ହାସଲ କଲେ ତାହା ଗଣତନ୍ତ୍ର ପାଇଁ ଯେ ଠିକ୍ ହୋଇନଥାଏ, ତାହା ଆଜିର ଶିକ୍ଷିତ ଭୋଟରମାନେ ହୃଦୟଙ୍ଗମ କରିପାରିଛନ୍ତି ।

ସେହିପରି ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶାକୁ ଶାସନ କରି ଆସିଥିବା ବିଜେଡିକୁ ଏଥର ରାଜ୍ୟବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି । ବିଜେଡି ବଦଳରେ ରାଜ୍ୟର ଭୋଟରମାନେ ଏକ ନୂଆ ଦଳ ବିଜେପିକୁ ବାଛିଛନ୍ତି । ଜନତାଙ୍କ ହିତ ପାଇଁ କାର୍ଯ୍ୟ କରିବା ପ୍ରତ୍ୟେକ ରାଜନୈତିକ ଦଳମାନଙ୍କର କର୍ତ୍ତବ୍ୟ । ଚଳିତ ନିର୍ବାଚନରେ ଅନେକ ନୂଆ ନେତାଙ୍କୁ ଜନତା ବିଜୟୀ କରାଇଥିବା ବେଳେ ବହୁ ପୁରୁଖା ହେଭିୱେଟଙ୍କୁ ପରାଜୟର ଦ୍ୱାର ଦେଖାଇଛନ୍ତି । ଗଣତନ୍ତ୍ରରେ ତିଷ୍ଠି ରହିବାକୁ ହେଲେ ଲୋକଙ୍କ ସହ ରହିବାକୁ ପଡ଼ିବା ଏହା ଜନତା ସବୁ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କୁ ଶିକ୍ଷା ଦେଇଛନ୍ତି ।

ଯୁଗ ବଦଳିବା ସହିତ ରାଜନୈତିକ ଦଳମାନଙ୍କର ନୀତି ଓ ଆଦର୍ଶ ବଦଳିବାରେ ଲାଗିଛି । ସେହି ଅନୁସାରେ ଭୋଟରମାନେ ମଧ୍ୟ ନିଜକୁ ପରିବର୍ତ୍ତନ କରୁଥିବା ଚଳିତ ଜନାଦେଶରୁ ସ୍ପଷ୍ଟ ହେଉଛି । ଜନତା ଯାହାକୁ ଚାହିଁବେ ସେ ହିଁ ହେବ ରାଜା, ଜନତା ଯାହାକୁ ପ୍ରତ୍ୟାଖାନ କରିବେ ସେ ରାଜନୀତିରେ ତିଷ୍ଠି ପାରିବ ନାହିଁ । ରାଜନୈତିକ ମୈଦାନରେ ଭୋଟର ହେଉଛନ୍ତି ପ୍ରକୃତ ଭଗବାନ । ଭୋଟରଙ୍କର ଗୋଟିଏ ଗୋଟିଏ ଭୋଟ ମିଶି ଜଣେ ଯୋଗ୍ୟତା ନେତା ନିର୍ବାଚିତ ହୋଇଥାନ୍ତି । ନିର୍ବାଚିତି ଜନପ୍ରତିନିଧିମାନେ ଦେଶର ସେବା କରିବାକୁ ଯେ ବାଧ୍ୟ, ଦେଶର ବିକାଶ କରିବାକୁ ବାଧ୍ୟ, ଗରିବର ଦୁଃଖ ବୁଝିବାକୁ ବାଧ୍ୟ ଏହା ଆଜି ପ୍ରମାଣିତ ହୋଇଛି ।