fbpx

ବ୍ୟକ୍ତିଗତ ବିକାଶ ଚାହୁଁଛନ୍ତି କି ? ବୁଝି ପାରୁନାହାଁନ୍ତି କିପରି କରିବେ ଆରମ୍ଭ, ଆପଣାନ୍ତୁ ଏହି ସହଜ ଟିପ୍ସ

Advertisement

ଓଡ଼ିଶା ଭାସ୍କର: ଜୀବନରେ ସମସ୍ତେ ସଫଳ ହେବାକୁ ଚାହିଁଥାନ୍ତି । ଏଥିପାଇଁ କଠୋର ପରିଶ୍ରମ ସହ ଦୃଢ଼ ଇଚ୍ଛା ଶକ୍ତି ଲୋଡ଼ା ରହିଛି । କିନ୍ତୁ ଏହା ସତ୍ତ୍ୱେ ବ୍ୟକ୍ତିକୁ ତା’ର ପରିଶ୍ରମର ଫଳ ମିଳନଥାଏ । ସାଧାରଣତଃ ଏହା ପଛରେ କୌଣସି ଦକ୍ଷତା, ସୂଚନା ବା ଆତ୍ମବିଶ୍ୱାସର ଅଭାବ ହୋଇପାରେ । ବାରମ୍ବାର ଅସଫଳତା ବ୍ୟକ୍ତିକୁ ନିରାଶ କରିଥାଏ ଏବଂ ସେ ନକାରାତ୍ମକ ଚିନ୍ତାଧାରା ମଧ୍ୟରେ ଘାଣ୍ଟି ହେଉଥାଏ । ଏହା ତା’ର ବ୍ୟକ୍ତିଗତ ବିକାଶ ଦିଗରେ ବାଧା ସୃଷ୍ଟି କରିପାରେ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଟିପ୍ସ ଆପଣାଇ ଆମେ ବ୍ୟକ୍ତିଗତ ବିକାଶ ସହ ଜୀବନରେ ଅଗ୍ରଗତି କରିପାରିବା ।

୧. ପଢ଼ାପଢ଼ି କରିବାର ଅଭ୍ୟାସ: କଥାରେ ଅଛି ପୁସ୍ତକ ହେଉଛି ବ୍ୟକ୍ତିର ଉତ୍ତମ ବନ୍ଧୁ । ପୁସ୍ତକ ପଢ଼ିବା ଦ୍ୱାରା ବ୍ୟକ୍ତି ମଧ୍ୟରେ ଜ୍ଞାନର ସଂଚାର ହେବା ସହ ଅତ୍ମବିଶ୍ୱାସ ବୃଦ୍ଧି ପାଇଥାଏ । ଏହା ବ୍ୟତୀତ ଦୈନିକ ଖବର କାଗଜ ପଢ଼ିବା ମଧ୍ୟ ବିଭିନ୍ନ ସାମ୍ପ୍ରତିକ ଘଟଣା ବିଷୟରେ ସହଜରେ ସୂଚନା ପାଇ ପରିିଥାଉ । ନିୟମିତ ପଢ଼ାପଢ଼ି ପାଇଁ କିଛି ସମୟ ବାହାର କରିବା ନିଜକୁ ଅନୁଶାସିତ କରିବାର ଏକ ମାଧ୍ୟମ ।

୨. ନିଜ ଦୁର୍ବଳତା ଉପରେ ଧ୍ୟାନ ଦିଅନ୍ତୁ: ମନୁଷ୍ୟ କେବେ ବି ପରଫେକ୍ଟ ନଥାଏ । ପ୍ରତ୍ୟେକ ବ୍ୟକ୍ତି ଭିତରେ କିଛି ନା କିଛି ଦୁର୍ବଳତା ରହିଛି । ତେଣୁ ଜୀବନରେ ଅଗ୍ରଗତି କରିବାକୁ ହେଲେ ଦୁର୍ବଳତା ଉପରେ ଧ୍ୟାନ ଦିଅନ୍ତୁ ଏବଂ ଏହାକୁ ସୁଧାରିବା ପାଇଁ ଚେଷ୍ଟା କରନ୍ତୁ । ଦୁର୍ବଳତାକୁ ଡରିବା ଅପେକ୍ଷା ଏହାର ସାମ୍ନା କରନ୍ତୁ ।

୩. ଦକ୍ଷତା ବୃଦ୍ଧି କରନ୍ତୁ: ନିଜ ଭିତରେ ଥିବା ଦକ୍ଷତାର ଚିହ୍ନଟ କରି ଏହାକୁ ବୃଦ୍ଧି କରିବା ପାଇଁ ଚେଷ୍ଟା କରନ୍ତୁ । ଆପଣ ଯେଉଁ କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଚାହୁଁଛନ୍ତି ତେବେ ତତ୍ ସମ୍ବନ୍ଧୀୟ ଦକ୍ଷତା ଅର୍ଜନ କରିବା ଦିଗରେ ଗୁରୁତ୍ୱାରୋପ କରନ୍ତୁ । ଯେପରି କମ୍ପ୍ୟୁଟର ଶିକ୍ଷା, ରିସ୍କ ମ୍ୟାନେଜମେଣ୍ଟ, ସ୍ପୋକେନ୍ ଇଂଗଲିଶ୍, ମ୍ୟୁଜିକ୍ ବା ଡ୍ରଇଂ କ୍ଲାସ ଇତ୍ୟାଦି । ନିଜ ଦକ୍ଷତା ଦ୍ୱାରା ଆପଣ ଅନ୍ୟକୁ ଇମ୍ପ୍ରେସ କରିପାରିବେ ।

୪. କିଛି ନୂଆ ଶିଖନ୍ତୁ: ବୃତ୍ତଗତ ହେଉ କିମ୍ବା ବ୍ୟକ୍ତିଗତ ଜୀବନରେ କିଛି ନୂଆ ଶିଖିବା ପାଇଁ କେବେ ବି ପଛଘୁଞ୍ଚା ଦିଅନ୍ତୁ ନାହିଁ । ଅଧିକାଂଶ ସମୟରେ ଏହା ପ୍ରୋମୋସନ ପାଇଁ ସହାୟକ ହୋଇଥାଏ । ବିଭିନ୍ନ ଲୋକଙ୍କ ସମ୍ପର୍କରେ ଆସିବା ଦ୍ୱାରା ଅନେକ କଥା ଜାଣିବାକୁ ମଧ୍ୟ ପାଇଥାନ୍ତି ।

୫. ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ: ଜୀବନର ବ୍ୟସ୍ତତା ଭିତରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଭୁଲନ୍ତୁ ନାହିଁ । ଜୀବନଶୈଳୀରେ ପରିବର୍ତ୍ତନ ସହ ସନ୍ତୁଳିତ ଆହାର ଏବଂ ସୁନିଦ୍ରା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ନିଜେ ଅସୁସ୍ଥ ରହିଲେ ଆପଣ କନଫିଡେଣ୍ଟ ଅନୁଭବ କରିନଥାନ୍ତି ।

Get real time updates directly on you device, subscribe now.