fbpx

War Updates; ଇସ୍ରାଏଲ ବିରୋଧରେ ଏକାଠି ହେଲେ ୫୭ଟି ଇସଲାମିକ ରାଷ୍ଟ୍ର

ଓଡିଶା ଭାସ୍କର; ଦୀର୍ଘ ଏକ ମାସ ହେଲାଣି ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଏହି ଲଢେଇରେ ଅନେକ ନିରୀହ ଲୋକେ ପ୍ରାଣ ହରାଉଥିବା ବେଳେ ଯୁଦ୍ଧର ସ୍ଥିତିକୁ ନେଇ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛି । ଅନ୍ୟପଟେ କିଛି ଦେଶ ଇସ୍ରାଏଲ ସପକ୍ଷରେ ରହିଥିବା ବେଳେ ଆଉ କିଛି ଦେଶ ପାଲେଷ୍ଟାଇନ ସପକ୍ଷରେ ରହିଛନ୍ତି । ବିଶେଷ କରି ବିଶ୍ୱର ବହୁ ଇସଲାମିକ ରାଷ୍ଟ୍ର ଇସ୍ରାଏଲର ବିପକ୍ଷରେ ରହିଛନ୍ତି । ତେବେ ଏପର୍ୟ୍ୟନ୍ତ ଚୁପଥିବା ସାଉଦି ଆରବ ଇସଲାମିକ ସହଯୋଗ ସଂଗଠନ(ଓଆଇସି) ଏକ ସମ୍ମିଳନୀ ଆୟୋଜନ କରି ଇସ୍ରାଏଲ ଓ ହମାସ ଯୁଦ୍ଧ ଉପରେ ଚର୍ଚ୍ଚା କରିବାକୁ ଯାଉଛି ।

ସୂଚନା ମୁତାବକ, ସାଉଦି ଆରବ ଇସଲାମିକ ସହଯୋଗ ସଂଗଠନ(ଓଆଇସି) ରେ ସାମିଲ ୫୭ଟି ଦେଶକୁ ନେଇ ଏକ ବୈଠକ ଡକାଯାଇଛି । ବୈଠକରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି ମଧ୍ୟ ସାମିଲ ହୋଇଛନ୍ତି। ଏହି ବୈଠକରେ ଇସ୍ରାଏଲ ଓ ହମାସ ଯୁଦ୍ଧ ଉପରେ ଚର୍ଚ୍ଚା ହେବ ବୋଲି ଜଣାପଡିଛି । ତେବେ ସାଉଦି ଆରବ ପକ୍ଷରୁ ଆୟୋଜିତ ଆଉ ଏକ ସମ୍ମିଳନୀ ଶନିବାର ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି। ଇସ୍ରାଏଲର ଲଗାତାର ଆକ୍ରମଣକୁ ଦେଖି ତାହା ବିରୋଧରେ ସମସ୍ତ ଇସଲାମିକ ରାଷ୍ଟ୍ର ଏକାଠି ହେଉଥିବା କୁହାଯାଉଛି ।

ସୂଚନା ଯୋଗ୍ୟ, ଗତ ଅକ୍ଟୋବର ୭ ତାରିଖରେ ଗାଜା ଉପତ୍ୟକାରୁ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ହାମାସ ଦକ୍ଷିଣ ଇସ୍ରାଏଲ ଉପରେ ମାରାତ୍ମକ ଆକ୍ରମଣ କରିଥିଲା। ଯେଉଁଥିରେ ୧୪୦୦ ନିରୀହ ଲୋକଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟପଟେ ହାମାସ ଆତଙ୍କବାଦୀମାନେ ୨୦୦ ରୁ ଅଧିକ ଇସ୍ରାଏଲ ଲୋକଙ୍କୁ ବନ୍ଧକ ରଖିଥିବା ମଧ୍ୟ ଜଣାପଡିଥିଲା । ଏହାପରେ ପ୍ରତିଆକ୍ରମଣ କରିବାକୁ ଯାଇ ଇସ୍ରାଏଲ ଯୁଦ୍ଧ ଘୋଷଣା କରିଥିଲା । ବିଶେଷ କରି ଗାଜା ସହରକୁ ଟାର୍ଗେଟ କରି ଘନ ଘନ ଆକ୍ରମଣ କରି ଚାଲିଛି ଇସ୍ରାଏଲ ସେନା । ଯେଉଁଥିରେ ବର୍ତମାନ ସୁଦ୍ଧା ୧୦,୩୦୦ ଲୋକ ପ୍ରାଣ ହରାଇଥିବା ସୂଚନା ରହିଛି ।

Get real time updates directly on you device, subscribe now.