fbpx

ଗ୍ରୀଷ୍ମ ପ୍ରବାହରେ ବଢୁଛି ତରଭୁଜର ଚାହିଦା ,ଚାଷୀକୁ ମିଳୁନି ଉଚିତ୍ ପଇସା: ବଜାର ଓ ଶୀତଳୀକରଣ କେନ୍ଦ୍ର ପାଇଁ କୃଷକଙ୍କ ଦାବି

ମାଲକାନଗିରି (ଭାସ୍କର ନ୍ୟୁଜ୍‌): ଖରାଦିନ ଆସିଗଲେ ବଜାରରେ ବଢିଥାଏ ଖରାଦିନିଆ ଫଳର ଚାହିଦା, ଆଉ ଗରମରୁ ଆଶ୍ୱସ୍ତି ଦେବାପାଇଁ ତରଭୁଜ ହେଇଥାଏ ଲୋକଙ୍କ ମୁଖ୍ୟ ପସନ୍ଦ । ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ବେସ ପସନ୍ଦର ଫଳ ତରଭୁଜ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ତରଭୁଜର ଉତ୍ପାଦନ ବେଶ ଅଧିକ । ଜିଲ୍ଲାରେ ଲୋକେ ପ୍ରାୟ ଚାଷ କରି ଗୁଜୁରାଣ ମେଣ୍ଟାଉ ଥିବା ବେଳେ ଚାଷୀ ଖରାଦିନେ ତରଭୁଜ ଚାଷ କରିଥାନ୍ତି । ତେବେ ଚଳିତ ବର୍ଷ ଜିଲ୍ଲାରେ ତରଭୁଜ ଚାଷ ଭଲ ହୋଇଛି, ଉତ୍ପାଦନକୁ ଦେଖି ବେଶ ଦୁଇପଇସା ଭଲ ରୋଜଗାର ପାଇଁ ଚାଷୀ ସ୍ୱପ୍ନ ଦେଖୁଥିବା ବେଳେ ସେମାନଙ୍କ ପାଇଁ ତରଭୁଜ ବିକ୍ରିନିମନ୍ତେ ଉପଯୁକ୍ତ ବଜାରର ଆବଶ୍ୟକତା ରହିଥିବା ଚାଷୀ ପ୍ରକାଶ କରିଛନ୍ତି ।

ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲା, ଜିଲ୍ଲାରେ ଲୋକଙ୍କ ମୁଖ୍ୟ ରୋଜଗାରର ପନ୍ଥା କହିଲେ ଚାଷଙ୍କୁ ହିଁ ବୁଝାଯାଇଥାଏ । ଲୋକେ ଚାଷ କରି ନିଜ ପରିବାର ପ୍ରତିପୋଷଣ କରୁଥିବା ବେଳେ ଖରାଦିନରେ ଚାଷୀ ତରଭୁଜ ଚାଷ କରିଥାନ୍ତି । ତରଭୁଜ ଚାଷ ପାଇଁ ମାଲକାନଗିରି ଜିଲ୍ଲାର ବେସ ନାଁ ଥିବା ସହ ଖରା ଦିନ ଆସିଲେ ବଢିଥାଏ ତରଭୁଜର ଚାହିଦା । ଚଳିତ ଗ୍ରୀଷ୍ମଋତୁ ଆରମ୍ଭ ହୋଇଥିବା ବେଳେ ବଢିବାରେ ଲାଗିଛି ଗ୍ରୀଷ୍ମ ପ୍ରବାହ । ଆଉ ଏହାରି ମଧ୍ୟରେ ବଜାରରେ ବଢିବାରେ ଲାଗିଛି ତରଭୁଜର ଚାହିଦା । ତେବେ ଚଳିତ ବର୍ଷ ତରଭୁଜ ଚାଷୀଙ୍କ ଅମଳ ମଧ୍ୟ ବେସ ଭଲ ହୋଇଥିବା ବେଳେ ବଜାରରେ ତରଭୁଜ ବିକ୍ରି ମଧ୍ୟ ଆରମ୍ଭ ହୋଇଯାଇଛି । ହେଲେ ଚାଷୀଙ୍କ ଅମଳ ଭଲ ହୋଇଛି ସତ କିନ୍ତୁ ଏହା ସତ୍ୱେ ମଧ୍ୟ ତରଭୁଜ ଚାଷୀ ବର୍ତ୍ତମାନ ଚିନ୍ତାରେ । ଯେଉଁ ଆସା ଓ ପରିଶ୍ରମରେ ସେମାନେ ଚାଷକରି ଭଲ ଫସଲ ଉତ୍ପାଦନ କରିଛନ୍ତି, ସେ ଅନୁଯାଇ ଚାଷୀଙ୍କୁ ରୋଜଗାର ମିଳୁନଥିବା ପରିଲକ୍ଷିତ କରାଯାଉଛି । ବଜାରରେ ତରଭୁଜ ଭରପୁର ଉପଲବ୍ଧ ଥିବାବେଳେ ଲୋକେ ଏହାକୁ ଅତିକମ ଦାମରେ କିଣୁଛନ୍ତି । ଚାଷୀ ବି ଫଳ ନଷ୍ଟ ହୋଇଯିବା ଭୟରେ ଲୋକଙ୍କୁ କମ ଦରରେ ତରଭୁଜ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ତରଭୁଜ ରଖିବା କିମ୍ବା ରପ୍ତାନି କରିବା ନିମନ୍ତେ ସେଭଳି କୌଣସି ବ୍ୟବସ୍ତା କରାଯାଇ ନଥିବାରୁ ଚାଷୀ ନିଜ ପରିଶ୍ରମର ମୂଲ୍ୟ ପାଇପାରୁ ନଥିବା ପ୍ରକାଶ କରିଛନ୍ତି ।

ଅପରପଟେ ଜିଲ୍ଲାର ତରଭୁଜ ବିକ୍ରିକୁ ଦୃଷ୍ଟିରେ ରଖି ଆନ୍ଧ୍ର, ଛତିଶଗଡ ଓ ତେଲେଙ୍ଗାନାର ବେପାରୀ ଆସି ମାଲକାନଗିରି ଚାଷୀଙ୍କ ଠାରୁ ଭଲ ଓ ବଡ ତରଭୁଜ ଅଳ୍ପ ଦରରେ କିଣି ନେଇ ବାହାରେ ଚଢା ଦରରେ ବିକ୍ରି କରୁଛନ୍ତି । ନିଜ ଫସଲ ନଷ୍ଟ ହେବା ଭୟରେ ଚାଷୀ କଳାବଜାରୀଙ୍କୁ ତରଭୁଜ ବିକ୍ରି କରୁଥିବା ବେଳେ ଏହାର ବେସ ଲାଭ ଉଠାଉଛନ୍ତି ଅସାଧୁ ବ୍ୟବସୀୟୀ । ସରକାର ଜିଲ୍ଲାର ତରଭୁଜ ଚାଷୀଙ୍କ ପାଇଁ ଉପଯୁକ୍ତ ଶୀତଳୀକରଣ କେନ୍ଦ୍ର ଓ ବାହାର ରାଜ୍ୟକୁ ରପ୍ତାନି କରାଇବା ନିମନ୍ତେ ଉପଯୁକ୍ତ ବଜାର କରାଇଲେ ଚାଷୀ ବେସ ଲାଭବାନ ହୋଇପାରିଥାନ୍ତେ ବୋଲି ଚାଷୀ କୁଳ ପ୍ରକାଶ କରିଛନ୍ତି । ମାଲକାନଗିରି ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଲୋକେ ଚାଷକରି ଭଲ ଅମଳ କରୁଥିବା ଫସଲ ପାଇଁ ବିଶେଷ ଦୃଷ୍ଟି ଦେଲେ ଜିଲ୍ଲାବାସୀ ତଥା ଚାଷୀକୁଳ ଭଲ ରୋଜଗାରକ୍ଷମ ହେବାସହ କଳାବଜାରୀ କମିପାରିବ ବୋଲି ବୁଦ୍ଧିଜୀବି ମତ ରଖିଛନ୍ତି ।

Get real time updates directly on you device, subscribe now.