fbpx

୨ ଦିନ ପରେ ମୁହଁ ଖୋଲିଲେ ରାହୁଲ: କହିଲେ, ଆମକୁ ନୀତୀଶ କୁମାରଙ୍କ ଆବଶ୍ୟକତା ନାହିଁ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳ ପରିବର୍ତ୍ତନକୁ ନେଇ ଗତ କିଛିଦିନ ହେବ ଅନେକ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଥିଲା। ଆଉ ଶେଷରେ ଗତ ରବିବାର ଦିନ ନୀତିଶ ତାଙ୍କର ଦଳ ପରିବର୍ତ୍ତନ କରିଥିଲେ। ସକାଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସନ୍ଧ୍ୟାରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଏନଡିଏ ସମର୍ଥନରେ ସେ ରାଜ୍ୟରେ ୯ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ତେବେ ଅଗଷ୍ଟ ୨୦୨୨ରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ଦଳ ଗଠନ କରିଥିବା ବେଳେ ନୀତିଶ କୁମାର ଏଥିରେ ମୁଖ୍ୟ ଭୂମିକା ନିର୍ବାହ କରୁଥିଲେ। କିନ୍ତୁ ନୀତିଶ ହଠାତ ଏକ ୟୁ-ଟର୍ଣ୍ଣ ନେଇ ବିଜେପି ସହ ହାତ ମିଳାଇଛନ୍ତି। ଆଉ ଏହାର ଦୁଇ ଦିନ ନୀରବତା ପରେ ଅର୍ଥାତ ଆଜି ବିରୋଧୀ ଭାବେ ନୀତିଶ କୁମାରଙ୍କୁ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହା ସହ ବିହାରରେ କରାଯାଇଥିବା ଜାତିଗତ ସର୍ଭେ ସମ୍ପର୍କରେ ଏକ ବଡ଼ ଦାବି ମଧ୍ୟ କରିଛନ୍ତି। ସେ କହିଛନ୍ତି , ଏହି ସର୍ଭେ ପାଇଁ ଆମେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କହିଥିଲୁ, କିନ୍ତୁ ଭାଜପା ଏଥିରେ ରାଜି ହୋଇ ନ ଥିଲା। ଗ୍ରାଣ୍ଡ ଆଲାଏନ୍ସ ବିହାରରେ ସାମାଜିକ ନ୍ୟାୟ ପାଇଁ ଲଢେଇ ଲଢିବ। ଏଭଳି ପରିସ୍ଥିତିରେ ଆମକୁ ନୀତୀଶ କୁମାରଙ୍କ ଆବଶ୍ୟକତା ନାହିଁ।

ରାହୁଲ କହିଛନ୍ତି ଯେ, ଅନ୍ୟ ପଛୁଆ ବର୍ଗ (ଓବିସି) ସମ୍ପ୍ରଦାୟ ହେଉଛି ଦେଶର ସବୁଠାରୁ ବଡ ସମ୍ପ୍ରଦାୟ, କିନ୍ତୁ ଯଦି ମୁଁ ଆପଣଙ୍କୁ ପଚାରିବି ଦେଶର ଓବିସି ସମ୍ପ୍ରଦାୟର ଜନସଂଖ୍ୟା କ’ଣ, ଆପଣ କହିପାରିବେ ନାହିଁ। ଏହି ଦେଶରେ କାହାର କେତେ ଜନସଂଖ୍ୟା ଅଛି। ଏହି ବିଷୟରେ ଏକ ଗଣନା ହେବା ଉଚିତ୍‌। ଏଣୁ ମୁଁ ନୀତୀଶ କୁମାରଙ୍କୁ ସ୍ପଷ୍ଟ ଭାବରେ କହିଥିଲି ଯେ ଆପଣଙ୍କୁ ବିହାରରେ ଜାତିଗତ ଜନଗଣନା କରିବାକୁ ପଡିବ। ଆମ ଚାପରେ ନୀତୀଶ କୁମାରଙ୍କ ବିହାରରେ ଜାତିଗତ ଜନଗଣନା କରାଇଥିଲେ, କିନ୍ତୁ ଭାଜପା ଚାହୁଁନାହିଁ ଦେଶରେ ଜାତିଗତ ଜନଗଣନା କରାଯାଉ।

 

Get real time updates directly on you device, subscribe now.