fbpx

ଆମକୁ ଛୁଟି ବହୁତ ମିଳିଥାଏ..? CJI ଚନ୍ଦ୍ରଚୂଡ କହିଲେ ଆମକୁ ତ ଗୋଟିଏ ଦିନ ବି ଆରାମ ନାହିଁ

AAKASH

ନୂଆଦିଲ୍ଲୀ: ଭାରତର ମୁଖ୍ୟ ବିଚାରପତି (CJI) ଡି.ୱାଇ ଚନ୍ଦ୍ରଚୂଡ ବିଚାରପତିଙ୍କ ଛୁଟୀକୁ ନେଇ କହିଛନ୍ତି କି ଆମକୁ ସପ୍ତାହରେ ସାତ ଦିନ କାମ କରିବାକୁ ପଡିଥାଏ ଓ ବହୁ କଷ୍ଟରେ ଆରାମ କରିବାକୁ ସମୟ ମିଳିଥାଏ । ପ୍ରୟାଗରାଜରେ CJI ‘କୋର୍ଟସ୍ ଅଫ୍ ଉତ୍ତରପ୍ରଦେଶ’ ପୁସ୍ତକ ଲଞ୍ଚ ଅବସରରେ ଏହି କଥା କହିଛନ୍ତି । ସେ କହିଛନ୍ତି ଛୁଟୀକୁ ନେଇ ଆମମାନଙ୍କୁ ନେଇ ବହୁତ ଆଲୋଚନା ହୋଇଥାଏ । ଲୋକମାନେ କୁହନ୍ତି ଆମକୁ ବହୁତ ଛୁଟୀ ମିଳିଥାଏ । କିନ୍ତୁ ଲୋକମାନେ ଏହି କଥା ବୁଝନ୍ତି ନାହିଁ କି ବିଚାରପତିଙ୍କୁ ସପ୍ତାହରେ ୭ ଦିନ କାମ କରିବାକୁ ହୋଇଥାଏ । ଆମ ଜିଲ୍ଲା ଜଜ୍ ପ୍ରତିଦିନ କାର୍ଯ୍ୟ କରିଥାନ୍ତି । ଏପରିକି ଶନିବାର ଓ ରବିବାର ବି ଆମକୁ ଛୁଟି ମିଳି ନ ଥାଏ । ଏହିଦିନରେ ବି ବିଚାରପତି ଲିଗାଲ ଆଡ୍ କ୍ୟାମ୍ପ କିମ୍ବା ପ୍ରଶାସନିକ କାର୍ଯ୍ୟରେ ବ୍ୟସ୍ତ ରହିଥାନ୍ତି ।

ସେ କହିଛନ୍ତି ସୁପ୍ରିମକୋର୍ଟ ଜଜ୍‌ଙ୍କୁ ୱିକଏଣ୍ଡରେ ବିଭିନ୍ନ ସମ୍ମିଳନୀ ଓ ଲେକଚର୍ ସଭାରେ ବି ଯୋଗ ଦେବାକୁ ହୋଇଥାଏ । ଏଥିପାଇଁ ମଧ୍ୟ ସେମାନଙ୍କୁ ପ୍ରସ୍ତୁତ ହେବାକୁ ପଡିଥାଏ । ଏବେ ତ ବିଚାରପତିଙ୍କ କାମ ଆହୁରି କଠିନ ହୋଇଗଲାଣି । ଆମ ଉପରେ ଏକ ନୂଆ ପ୍ରକାରର ଚାପ ରହିଛି । ପୂର୍ବରୁ କେବଳ କୋର୍ଟରୁମ୍‌ରେ ହିଁ କୌଣସି ମାମଲାର ଶୁଣାଣୀ ଉପରେ ଧ୍ୟାନ ଦିଆଯାଉଥିଲା । ଏଠାରେ ଅତି ବେଶୀରେ ୧୦୦ ଲୋକ ଉପସ୍ଥିତ ରହୁଥିଲେ । କିନ୍ତୁ ଏବେ ୟୁଟ୍ୟୁବରେ ଲାଇଭ୍ ଷ୍ଟ୍ରିମିଂ କାରଣରୁ ସାରା ଦେଶର ଜନତା ଆମକୁ ଦେଖୁଛନ୍ତି । ତେଣୁ ଜଜ୍‌ଙ୍କ ଉପରେ ବି ଏକ ଚାପ ରହୁଛି କି ସେ କ’ଣ କହିବା ଉଚିତ ଓ କ’ଣ କହିବା ଉଚିତ ନୁହେଁ ।

CJI କହିଛନ୍ତି ଆମକୁ କିଛି କହିବା ସମୟରେ ବହୁତ ସାବଧାନ ରହିବାକୁ ପଡିଥାଏ । ଯାହା କୋର୍ଟରେ କୁହାଯାଏ ଲୋକମାନେ ତାହାର ଭୁଲ୍ ଅର୍ଥ ବି ବାହାର କରିପାରନ୍ତି । ଏଣୁ ଜଜ୍‌ଙ୍କୁ ବି ବୁଝିବାକୁ ପଡିବ କି ସମୟ ହିସାବରେ ସେମାନେ କେଉଁପରି ସାବଧାନ ରହିବା ଉଚିତ ।

Get real time updates directly on you device, subscribe now.