fbpx
BJD SKY
BJD SKY

ମେଘାଳୟର ଗୁମ୍ଫାରେ ଲୁଚି ରହିଛି ପାଣିପାଗର ଇତିହାସ: ୧୦୦୦ ବର୍ଷ ଧରି ଭାରତରେ ମରୁଡ଼ି ଏବଂ ବର୍ଷାର…

BJD

ଉତ୍ତର-ପୂର୍ବ ମେଘାଳୟର ଏକ ଗୁମ୍ଫାରେ ଥିବା ଖଣିଜ ସ୍ତମ୍ଭକୁ ନେଇ ହୋଇଥିବା ଗବେଷଣାରୁ ଗତ ୧୦୦୦ ବର୍ଷ ଧରି ଭାରତରେ ମରୁଡ଼ି ଏବଂ ବର୍ଷାର ଇତିହାସ ବିଷୟରେ ସୂଚନା ମିଳିଛି । ଏହି ଗୁମ୍ଫା ଅତୀତର ପାଣିପାଗ ସହିତ ଜଡିତ ଅନେକ ରହସ୍ୟ ସାମ୍ନାକୁ ଆଣିପାରିବ ବୋଲି ଗବେଷକମାନେ କହିଛନ୍ତି । ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସ ପ୍ରୋସିଡିଙ୍ଗର ସର୍ବେକ୍ଷଣ ପତ୍ରିକାରେ ଏହି ଗବେଷଣା ପ୍ରକାଶିତ ହୋଇଛି ।

ଏହି ଗବେଷଣା ରିପୋର୍ଟରେ ଦେଶରେ ମରୁଡ଼ି ଏବଂ ଦୁର୍ଭିକ୍ଷ ବିଷୟରେ ଅନେକ ନୂତନ ସୂଚନା ପ୍ରକାଶ ପାଇଥିବାବେଳେ ଏହା ବହୁ ପୁରାତନ ତଥ୍ୟକୁ ମଧ୍ୟ ପ୍ରତିପାଦନ କରିଛି । କାହିଁ କେଉଁ କାଳରୁ ସମୁଦ୍ର ଜଳର ପ୍ରବାହ ଯୋଗୁଁ ଏହି ଗୁମ୍ଫାଗୁଡ଼ିକରେ ଖଣିଜ ପଦାର୍ଥ ଏବଂ ଚୂନ ପଥରର ଜମା ହୋଇଥିବା କାରଣରୁ ସେଠାରେ ପାଣିପାଗର ସ୍ଥିତି, ମରୁଡ଼ି ଏବଂ ବନ୍ୟା ପରିବର୍ତ୍ତନ ହେବାର ପୂର୍ବାନୁମାନ କରିବାରେ ସାହାଯ୍ୟ କରୁଛି ।

ପ୍ରାୟ ତିନିବର୍ଷ ପୂର୍ବେ ଆମେରିକାର ୱାଣ୍ଡରବିଲ୍ଟ ୟୁନିଭରସିଟିର ଏକ ଅନୁସନ୍ଧାନକାରୀ ଦଳ ଦାବି କରିଥିଲେ ଯେ ଏହି ଗୁମ୍ଫା ସେତେବେଳର ଜଳବାୟୁ ପରିବର୍ତ୍ତନ ସ୍ଥିତି ସମ୍ପର୍କରେ ତମାମ ବିବରଣୀ ପ୍ରଦାନ କରିବାରେ ସାହାଯ୍ୟ କରିପାରିବ । ୧୭୮୦ ଏବଂ ୧୭୯୦ ଦଶକରେ ତିରିଶ ବର୍ଷର ଭୟଙ୍କର ମରୁଡ଼ି ସମୟରେ ମୋଗଲ ସାମ୍ରାଜ୍ୟ କିପରି ପତନ ହେଲା ଏବଂ ଭାରତର ବୟନ କିପରି ଧ୍ୱଂସ ହେବାକୁ ଲାଗିଲା, ସେ ବିଷୟରେ ମଧ୍ୟ ଖୋଦିତ ହୋଇ ରହିଥିବା କୁହାଯାଉଛି ।

ଏହି ଅଧ୍ୟୟନ ବା ଗବେଷଣାରୁ ୧୬୩୦-୧୬୩୨ ସମୟରେ ଡେକାନରେ ହୋଇଥିବା ଭୟଙ୍କର ଦୁର୍ଭିକ୍ଷକୁ ନେଇ ମଧ୍ୟ ସ୍ପଷ୍ଟ ସୂଚନା ମିଳିଛି । ମରୁଡ଼ି ହେତୁ ଲକ୍ଷ ଲକ୍ଷ ଲୋକ ଅକାଳରେ ମୃତ୍ୟୁ ବରଣ କରିଥିବା ଭଳି ଘଟଣାର ବିବରଣୀ ବି ଏହି ଗୁମ୍ପାରୁ ମିଳିଛି । ଅନୁସନ୍ଧାନକାରୀ ଦଳରେ ସଦସ୍ୟ ଥିବା ଡାକ୍ତରୀ ଛାତ୍ର ଏଲି ରୋନ୍ କହିଛନ୍ତି ଯେ ଗୁମ୍ଫା ଭିତରେ ବାୟୁ ଏବଂ ଜଳର ପ୍ରବାହରେ ଶୁଖିଲା ପାଗରେ ବୁଡ଼ି ରହିଥିବା ଚୂନ ପଥରଗୁଡ଼ିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଯାହାକି ଗୁମ୍ଫା ଭିତରର ପରିବେଶ ଉପରେ ଗଭୀର ପ୍ରଭାବ ପକାଇଥାଏ ।

ମେଘାଳୟର ଉତ୍ତର ପୂର୍ବାଞ୍ଚଳ ହିଲ ବିଶ୍ୱବିଦ୍ୟାଳୟର ଡକ୍ଟର ତିଲକ ଠାକୁରିଆ କହିଛନ୍ତି ଯେ ପୁରାତନ ତଥ୍ୟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରି ଭବିଷ୍ୟତରେ ଭୟଙ୍କର ପାଣିପାଗ ପରିବର୍ତ୍ତନକୁ ମୁକାବିଲା କରିବାରେ ଏହି ଅଧ୍ୟୟନ ପ୍ରଭାବଶାଳୀ ହୋଇପାରିବ । ଅନ୍ୟ ଜଣେ ପାଣିପାଗ ବିଜ୍ଞାନୀ ପ୍ରଫେସର ଦିନବନ୍ଧୁ ସାନିଆଲ କହିଛନ୍ତି, ଏହି ଅଧ୍ୟୟନ ରିପୋର୍ଟକୁ ଆଧାର କରି ସରକାର ଏହି ଦିଗରେ ଅଧିକ ତୀବ୍ର ଗବେଷଣା ଉପରେ ଧ୍ୟାନ ଦେବା ଉଚିତ୍ । ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉତ୍ତର-ପୂର୍ବ ଭାରତରେ ଦେଖିବାକୁ ମିଳୁଛି । ଭବିଷ୍ୟତର ବିପଦ ଏବଂ ମରୁଡ଼ି ଇତ୍ୟାଦି ସମ୍ପର୍କରେ ପୂର୍ବାନୁମାନ କରିବାରେ ଏହି ଅନୁସନ୍ଧାନ,ଅଧ୍ୟୟନ ତଥା ଗବେଷଣାର ଫଳାଫଳ ବିଶେଷ ସହାୟକ ହୋଇପାରେ ।

Get real time updates directly on you device, subscribe now.