fbpx

ବଡ଼ ଝଟକା: ଭାରୋତ୍ତଳନକାରୀ ସଞ୍ଜିତା ଚାନୁ ୪ ବର୍ଷ ପାଇଁ ବ୍ୟାନ, NADAର କଠୋର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଏକ ବଡ଼ ଖବର ଆସିଛି । କମନୱେଲଥ କ୍ରୀଡ଼ାରେ ଦୁଇ ଥର ଚାମ୍ପିୟନ ହୋଇଥିବା ଭାରତୀୟ ଭାରୋତ୍ତଳନକାରୀ ସଞ୍ଜିତା ଚାନୁଙ୍କ ଉପରେ ହୋଇଛି କଠୋର କାର୍ଯ୍ୟାନୁଷ୍ଠାନ । ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ପକ୍ଷରୁ ସଞ୍ଜିତାଙ୍କୁ ୪ ବର୍ଷ ପାଇଁ ବ୍ୟାନ୍ କରାଯାଇଛି । ଗତ ବର୍ଷ ଡୋପ ଟେଷ୍ଟରେ ଅସଫଳ ରହିଥିବା କାରଣରୁ ନାଡା ପକ୍ଷରୁ ସଞ୍ଜିତାଙ୍କ ଉପରେ ଏହି କଟକଣା ଲାଗୁ କରାଯାଇଛି ।

ଗତବର୍ଷ ସେପ୍ଟେମ୍ବର-ଅକ୍ଟୋବରରେ ଗୁଜରାଟରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରୀୟ ଖେଳ ଅବସରରେ ସଞ୍ଜିତାଙ୍କ ଠାରୁ ଏନାବଲିକ ଷ୍ଟେରଏୟଡ- ଡ୍ରୋସ୍ତାନୋଲୋନ ମେଟାବୋଲାଇଟ ପଜିଟିଭ୍ ମିଳିଥିଲା । ତାହା ବିଶ୍ୱ ଡୋପିଂ ପ୍ରତିରୋଧୀ ଏଜେନ୍ସି (ୱାଡା)ର ପ୍ରତିବନ୍ଧିତ ସୂଚୀ ମଧ୍ୟରେ ସାମିଲ ଥିଲା । ସଞ୍ଜିତାଙ୍କ ଉପରେ କଟକଣା ଲାଗୁ କରାଯାଇଥିବା ନେଇ ଭାରତୀୟ ଭାରୋତ୍ତାଳନ ମହାସଂଘର ଅଧ୍ୟକ୍ଷ ସହଦେବ ଯାଦବ ସୂଚନା ଦେଇଛନ୍ତି । ସଞ୍ଜିତାଙ୍କ ଉପରେ ୪ ବର୍ଷର ବ୍ୟାନ ଲାଗୁ ହୋଇଥିବା ସେ କହିଛନ୍ତି ।

ତେବେ ନାଡାର ଏହି କଟକଣା ପରେ ସଞ୍ଜିତାଙ୍କୁ ଲାଗିଛି ଏକ ବଡ଼ ଝଟକା । ସେ ରାଷ୍ଟ୍ରୀୟ ଖେଳରେ ଜିତିଥିବା ପଦକ ହରାଇଛନ୍ତି । ସେ ଗତ ୨୦୧୪ରେ ଗ୍ଲାସଗୋ ରାଷ୍ଟ୍ରମଣ୍ଡଳ ଖେଳରେ ୪୮ କେଜି ଭାର ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେହିପରି ୨୦୧୮ରେ ସେ ଗୋଲ୍ଡ କଷ୍ଟରେ ୫୩ କେଜି ଭାର ବର୍ଗରେ ମଧ୍ୟ ଗୋଲ୍ଡ ମେଡାଲ ଜିତିଥିଲେ । ତେବେ ମଣିପୁରର ଏହି ଖେଳାଳିଙ୍କ ନିକଟରେ ଅପିଲ କରିବାର ବିକଳ୍ପ ରହିଥିଲେ ହେଁ ସେ ଏ ବାବଦରେ କିଛି ନିଷ୍ପତ୍ତି ନେଇ ନାହାନ୍ତି ।

Get real time updates directly on you device, subscribe now.