fbpx

G-20 Summit: ଦେଶ ପାଇଁ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ, ଭାରତକୁ କ’ଣ ସବୁ ଫାଇଦା ମିଳିବ?

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥାର ଗ୍ରୁପ ଜି-୨୦ ସମ୍ମିଳନୀ ଚଳିତ ବର୍ଷ ଭାରତ ଅଧ୍ୟକ୍ଷତାରେ ଆୟୋଜିତ ହେଉଛି । ଏହି ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ ପାଇଁ ଭାରତ ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଜୋରସୋରରେ ଆରମ୍ଭ କରିଦେଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏହି ସମ୍ମିଳନୀ ଆୟୋଜିତ ହେବ । ଜି-୨୦ ବିଶ୍ୱ ଅର୍ଥନୀତିକୁ ୮୦ ପ୍ରତିଶତରୁ ଅଧିକ ଯୋଗଦାନ ଦେଉଥିବାରୁ ଭାରତ ଏହାର ଆୟୋଜନ କରିବା ନିଶ୍ଚିତ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ।

ଜି-୨୦ ଗ୍ରୁପରେ ଭାରତ ବ୍ୟତୀତ ଆମେରିକା, ବ୍ରିଟେନ, ଚୀନ, ଜାପାନ, ମେକ୍ସିକୋ, ଜର୍ମାନୀ, ଫ୍ରାନ୍ସ, ଋଷ, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡ଼ା, ଇଣ୍ଡୋନେସିଆ, ଇଟାଲି, ଦକ୍ଷିଣ କୋରିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ ଓ ୟୁରୋପୀୟ ସଂଘ ସାମିଲ ରହିଛନ୍ତି । ଜି-୨୦ ରାଷ୍ଟ୍ରମାନେ ବିଶ୍ୱର ମୋଟ ୮୫ ପ୍ରତିଶତ ଉତ୍ପାଦନ କରୁଥିବା ବେଳେ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟରେ ଏହାର ୭୫ ପ୍ରତିଶତ ଯୋଗଦାନ ରହିଛି । ଏଥିସହିତ ବିଶ୍ୱର ଜିଡିପିରେ ଜି-୨୦ର ଗ୍ରୁପର ୮୫ ପ୍ରତିଶତ ଯୋଗଦାନ ରହିଛି ।

ବିଶ୍ୱ ଅର୍ଥନୀତିରେ ଜି-୨୦ ଗ୍ରୁପର ଯୋଗାଦାନର ହାରକୁ ଦେଖିଲେ ଏହାର ଗୁରୁତ୍ୱ କେତେ ତାହା ସ୍ପଷ୍ଟ ହେଉଛି । ଭାରତ ଏହାର ଅଧ୍ୟକ୍ଷତା କରୁଥିବାରୁ ସଦସ୍ୟ ଦେଶମାନଙ୍କ ସହିତ ବ୍ୟବସାୟିକ ସମ୍ପର୍କ ଅଧିକ ମଜବୁତ କରିବାରେ ସହାୟତା ମିଳିପାରିବ । ଭବିଷ୍ୟତରେ ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ଓ ସମୃଦ୍ଧି ହାସଲ କରିବା ପାଇଁ ଜି-୨୦ ଏକ ରଣନୀତିକ ଭୂମିକା ଗ୍ରହଣ କରିବ ବୋଲି ଏକ୍ସପର୍ଟମାନେ ମତ ଦେଇଛନ୍ତି । ଏଥିରେ ସାମିଲ ଥିବା ରାଷ୍ଟ୍ରମାନଙ୍କଠାରୁ ଭାରତୀୟ ଇନଫ୍ରାଷ୍ଟ୍ରକଚର କ୍ଷେତ୍ରକୁ ଭଲ ନିବେଶ ଆସୁଛି, ଯାହାକି ଆଗକୁ ବୃଦ୍ଧି ପାଇବାର ଆଶା ରହିଛି । ଜି-୨୦ର ଅଧ୍ୟକ୍ଷତା କରୁଥିବା ଭାରତକୁ ବିଶ୍ୱ ମଞ୍ଚରେ ଏକ ମୁଖ୍ୟ ଖେଳାଳି ହେବାର ସୁଯୋଗ ମିଳିଛି ।

ଭାରତ ଗୋଟିଏ ପଟେ ବିଶ୍ୱରେ ଦ୍ରୁତ ଅଭିବୃଦ୍ଧି ଆଡ଼କୁ ମାଡ଼ି ଚାଲିଥିବା ବେଳେ ଏଭଳି ସ୍ଥିତିରେ ଜି-୨୦ର ଅଧ୍ୟକ୍ଷତା କରିବାକୁ ନେଇ ସବୁ ଦେଶ ଉତ୍ସାହିତ ରହିଛନ୍ତି । ପ୍ରାଥମିକ ପଦକ୍ଷେପ ଭାବେ ଭାରତ ଷ୍ଟାର୍ଟଅପ ୨୦ ଏନଗେଞ୍ଜମେଣ୍ଟ ଗ୍ରୁପ ସ୍ଥାପନ କରିଛି, ଯାହାକି ବିଭିନ୍ନ ଷ୍ଟେକହୋଲଡରଙ୍କଙ୍କୁ ଗୋଟିଏ ବିଶ୍ୱସ୍ତରୀୟ ମଞ୍ଚକୁ ଆଣି ବିଶ୍ୱ ଷ୍ଟାର୍ଟ ଅପ୍ ଇକୋସିଷ୍ଟମର ସ୍ୱର ଭାବେ କାର୍ଯ୍ୟ କରିବ । ଏହି ସମ୍ମିଳନୀ ମାଧ୍ୟମରେ ନିବେଶକମାନେ ଅଧିକ ମାତ୍ରାରେ ଭାରତମୁହାଁ ହେବେ । ଏଥିସହିତ କ୍ଷୁଦ୍ର ବେପାରୀଙ୍କୁ ମଜବୁତ କରିବା ପାଇଁ ସେମାନଙ୍କର ଜଡ଼ିତ କିଛି ଘୋଷଣା କରାଯାଇପାରେ ।

Get real time updates directly on you device, subscribe now.