fbpx

ସାମ୍ନାକୁ ଆସିଲା ହିମାଚଳ ପ୍ରଦେଶ କ୍ରସ୍ ଭୋଟିଂର ପ୍ରକୃତ କାରଣ! ଦଳୀୟ ବିଧାୟକ-ଭାଗ୍ୟ ସମସ୍ତେ ଦେଲେ ଧୋକ୍କା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ୧୦ଟି, କର୍ଣ୍ଣାଟକର ୪ଟି ଓ ହିମାଚଳ ପ୍ରଦେଶର ୧ଟି ରାଜ୍ୟସଭା ଆସନ ପାଇଁ ଗତ ୨୭ ତାରିଖ ଦିନ ଭୋଟ ଗ୍ରହଣ ହୋଇଥିଲା । ତେବେ ଉତ୍ତରପ୍ରଦେଶରେ ବିଜେପି ୮ଟିରେ ଓ କଂଗ୍ରେସ ୨ଟିରେ ଜିତିଥିଲେ । କର୍ଣ୍ଣାଟକରେ କଂଗ୍ରେସ ୩ଟିରେ ଓ ବିଜେପି ୧ଟି ଆସନରେ ଜିତିଥିଲେ । ସବୁଠାରୁ ବଡ଼ ଗେମ୍ ଦେଖିବାକୁ ମିଳିଥିଲା ହିମାଚଳ ପ୍ରଦେଶରେ । କଂଗ୍ରେସ ପାଖରେ ବହୁମତ ରହିଥିଲେ ହେଁ ଶେଷରେ ବିଜେପି ବାଜି ମାରିନେଇଥିଲା ।

ହିମାଚଳ ପ୍ରଦେଶରେ ବିଜେପି ପ୍ରାର୍ଥୀ ହର୍ଷ ମହାଜନ ଜିତିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଙ୍ଘଭୀ ପରାସ୍ତ ହୋଇଥିଲେ । ଏହି ଫଳାଫଳ ପରେ ଏବେ ରାଜ୍ୟର ସୁଖବିନ୍ଦର ସିଂହ ସୁଖୁ ସରକାର ଭାଙ୍ଗିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟି ଫ୍ଲୋର ଟେଷ୍ଟ କରିବାକୁ ଅନୁରୋଧ କରିଛନ୍ତି । ଯଦି ଆବଶ୍ୟକ ସଂଖ୍ୟକ ବିଧାୟକ ସମର୍ଥନ ନ କରନ୍ତି ତେବେ ରାଜ୍ୟରେ କଂଗ୍ରେସ ସରକାରର ପତ୍ତନ ଘଟିପାରେ ।

ରାଜ୍ୟ ବିଧାନସଭାର ମୋଟ ବିଧାୟକଙ୍କ ସଂଖ୍ୟା ୬୮ ହୋଇଥିବା ବେଳେ ସେଥିମଧ୍ୟରେ କଂଗ୍ରେସର ୪୦ ଜଣ, ବିଜେପିର ୨୫ ଜଣ ଓ ୩ ଜଣ ସ୍ୱାଧୀନ ବିଧାୟକ ରହିଛନ୍ତି । ରାଜ୍ୟସଭା ନିର୍ବାଚନରେ ଜିତିବା ପାଇଁ ୩୫ଟି ଭୋଟ ଆବଶ୍ୟକ ପଡ଼ୁଥିବା ବେଳେ କଂଗ୍ରେସର ୬ ଜଣ ବିଧାୟକ କ୍ରସ ଭୋଟିଂ କରିଥିଲେ । ଏଥିସହିତ ୩ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ବିଜେପିକୁ ଭୋଟ ଦେଇଥିଲେ । ଦଳୀୟ ବିଧାୟକମାନେ ଧୋକ୍କା ଦେବାରେ କଂଗ୍ରେସ ଓ ବିଜେପିକୁ ୩୪ଟି ଲେଖାଏଁ ଭୋଟ୍ ମିଳିଥିଲା । ଫଳାଫଳ ଟାଇ ହେବା ପରେ ପର୍ଚି ମାଧ୍ୟମରେ ଫଳାଫଳ ନିର୍ଦ୍ଧାରଣ କରାଯାଇଥିଲା । ତେବେ ସେଥିରେ ମଧ୍ୟ ବିଜେପିର ବିଜୟ ହୋଇଥିଲା ।

ତେବେ କଂଗ୍ରେସ ଜିତିବା ବାଜିରେ ହାରିବାର ପ୍ରକୃତ କାରଣ ହେଉଛି କ୍ରସ ଭୋଟିଂ । ଏଠାରେ ପ୍ରଶ୍ନ ଉଠୁଛି ଦଳୀୟ ବିଧାୟକମାନେ ନିଜ ଦଳର ପ୍ରାର୍ଥୀ ସିଙ୍ଘଭୀଙ୍କୁ କାହିଁକି ଭୋଟ ଦେଲେନି? କୁହାଯାଉଛି ଅଭିଷେକଙ୍କ ପ୍ରାର୍ଥୀତ୍ୱକୁ ନେଇ କଂଗ୍ରେସର କିଛି ନେତା ସନ୍ତୁଷ୍ଟ ନଥିଲେ । ଏପରିକି ବରିଷ୍ଠ ନେତା ଆନନ୍ଦ ଶର୍ମା ମଧ୍ୟ ନାରାଜ ଥିଲେ । ଆନନ୍ଦ ରାଜ୍ୟସଭା ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ, ମାତ୍ର ଦଳ ତାଙ୍କୁ ଟିକେଟ ଦେଇନଥିଲା । ଏପରିକି ଏହି ଲଢ଼େଇ କଂଗ୍ରେସ-ବିଜେପି ମଧ୍ୟରେ ନୁହେଁ ବରଂ କଂଗ୍ରେସ-କଂଗ୍ରେସ ମଧ୍ୟରେ ହୋଇଥିଲା ବୋଲି ନିଜେ ସିଙ୍ଘଭୀ କହିଥିଲେ ।

Get real time updates directly on you device, subscribe now.