fbpx

ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ପ୍ରକୃତ ବୟସ କେତେ? କେନ୍ଦ୍ରର ୬ ଥିବା ବେଳେ ରାଜ୍ୟର ଏତିକି

ଭୁବନେଶ୍ୱର: ସାଧାରଣତଃ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ବୟସ ୬ ରୁ ୭ବର୍ଷ ହୋଇଥାଏ । ପିଲା ଏହି ସମୟରେ ବିଦ୍ୟାଳୟରେ ନାମଲେଖାଇ ପାଠ ପଢିଥାନ୍ତି । ହେଲେ ଏହି ବୟସର ସଠିକତାକୁ ନେଇ ବର୍ତ୍ତମାନ ଅଡୁଆରେ ପଡୁଛନ୍ତି ଅଭିଭାବକ । ତେବେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସମସ୍ତ ବିଦ୍ୟାଳୟକୁ ପ୍ରଥମ ଶ୍ରେଣୀରେ ନାମଲେଖା ବୟସ ୬ ରଖିଛନ୍ତି । ଅଭିଭାବକ ମାନେ ପିଲାମାନଙ୍କୁ ୩ବର୍ଷରୁ ନର୍ସରି, ଏଲକେଜି ଓ ୟୁକେଜିରେ ପାଠପଢା ଆରମ୍ଭ କରି ୬ ବର୍ଷରେ ପ୍ରଥମଶ୍ରେଣୀରେ ନାମ ଲେଖାଇବା ପାଇଁ ସିବିଏସଇ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ରାଜ୍ୟ ସରକାରଙ୍କ ଅଧୀନ ସରକାରୀ, ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ଘରୋଇ ବିଦ୍ୟାଳୟରେ ନାମଲେଖା ବୟସକୁ ନେଇ ଦ୍ୱନ୍ଦ ସୃଷ୍ଟି ହେବା ପରେ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ଆଇସିଏଫସିଇ ଆଇନର ଧାରା ୨୦୦୯ ଧାରା ୨.୧ ସି ଅନୁଯାୟୀ, ୩ ରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ପ୍ରି-ସ୍କୁଲରେ ନାମଲେଖାଯିବ । ପ୍ରଥମ ଶ୍ରେଣୀ ପାଇଁ ବୟସ ସୀମା ୫ରୁ ୭ ବର୍ଷ ବାଧ୍ୟତା ମୂଳକ କରାଯାଇଛି ।

ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ, ୬ବର୍ଷ ବୟସରେ ନାମଲେଖା ହେବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆମକୁ କୌଣସି ପତ୍ର ଆସିନାହିଁ । ତେଣୁ ଆମେ ପୂର୍ବ ଧାର୍ଯ୍ୟ ବୟସ ଅନୁଯାୟୀ ପିଲାଙ୍କ ନାମ ଲେଖା କରାଇବୁ । ନାମଲେଖା ବୟସ ହଠାତ୍ ୬ବର୍ଷ ହୋଇଗଲେ ବହୁ ଛାତ୍ରଛାତ୍ରୀ ଡ୍ରପଆଉଟ୍ ହୋଇଯିବେ । ତେଣୁ ୫ ରୁ ୭ ବର୍ଷ ବୟସର ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରଥମ ଶ୍ରେଣୀରେ କରିବାକୁ ବିଦ୍ୟାଳୟ ମାନଙ୍କୁ କୁହାଯାଇଛି ।

Get real time updates directly on you device, subscribe now.