fbpx

ବ୍ୟାଙ୍କ ଖାତାରୁ ଟଙ୍କା ହଡପ ହୋଇଗଲେ କଣ କରିବା ଉଚିତ୍, କେମିତି ଫେରି ପାଇବେ ପୂରା ପଇସା ? ଜାଣନ୍ତୁ…

ନୂଆଦିଲ୍ଲୀ: ଆଜିକା ସମୟରେ ଦୁନିଆ ଯେତେ ଡିଜିଟାଲ୍ ହେଉଛି ସେତେ ପରିମାଣରେ ଅନଲାଇନ୍ ଠକେଇ ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ବ୍ୟାଙ୍କିଙ୍କ୍ କ୍ଷେତ୍ରରେ ଅଧିକ ମାତ୍ରାରେ ଠକେଇ ହେଉଥିବା ଖବର ଅଧିକ ସାମନାକୁ ଆସୁଛି । ଖାସ୍ କରି କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ସବୁକିଛି ଅନଲାଇନ୍ ମାଧ୍ୟମରେ ହେଉଥିବାରୁ ଠକ ମାନେ ଏହି ସମୟକୁ ସୁବର୍ଣ୍ଣ ସୁଯୋଗ ଭାବରେ ନେଇ ଅଧିକ ଅପରାଧ କରିବା ଆରମ୍ଭ କରିଦେଇଛନ୍ତି । ଏହିଭଳି କିଛି ସାଇବର୍ ଠକ ମାନେ ବ୍ୟାଙ୍କର ସବୁପ୍ରକାର ବିବରଣୀକୁ ବାହାର କରି ଖାତାରୁ ଟଙ୍କା ଲୁଟି ନେଇଯାଉଛନ୍ତି ।

ତେଣୁ ବ୍ୟାଙ୍କ୍ ପକ୍ଷରୁ ଏବଂ ଆରବିଆଇ ପକ୍ଷରୁ ଲଗାତର ଭାବରେ ଲୋକମାନଙ୍କୁ ସଚେତନ କରାଯାଉଛି । କୌଣସି ସୋସିଆଲ ସାଇଟ୍ ରେ ନିଜର ଓଟିପି କିମ୍ବା ଆକାଉଣ୍ଟ ନମ୍ବର ଦେବା ପୂର୍ବରୁ ଭଲ ଭାବେ ଯାଞ୍ଚ କରିବାକୁ ବାରମ୍ବାର ସତର୍କ ସୂଚନା ଜାରି କରୁଛନ୍ତି । କିନ୍ତୁ ଏତେ ସବୁ ପରେ ବି ଅନେକ ଲୋକ ଏହି ଅପରାଧର ଶିକାର ହେଉଛନ୍ତି । ଏହିଭଳି ପରିସ୍ଥିତିରେ ତୁରନ୍ତ ପୁଲିସ୍ କିମ୍ବା ନିଜର ବ୍ୟାଙ୍କ୍ ଶାଖା ସହିତ ଯୋଗାଯୋଗ କରିବାକୁ କୁହାଯାଉଛି । ତେବେ ଚାଲନ୍ତୁ ଜାଣିବା ଏହିଭଳି ପରିସ୍ଥିତିର ଶିକାର ହେଲେ କଣ କରିବେ । ….

ଅଧିକାଂଶ ଲୋକଙ୍କ ମନରେ ଏହି ପ୍ରଶ୍ନ ଉଠିଥାଏ ଯେ, ଯଦି ଏହିଭଳି କିଛି ଫ୍ରଡ୍ ଟାନଜାକ୍ସନ୍ ହୁଏ ତେବେ କଣ କରାଯିବା ଦରକାର ବା କିପରି ପୁଣି ସେହି ଟଙ୍କା ଫେରିପାଇବେ ? ଏହାସହ ଟଙ୍କା କଟିଯିବା ପରେ ବ୍ୟାଙ୍କ ରେ ଅଭିଯୋଗ କରିବା ପରେ ସେମାନେ କେଉଁଠାରୁ ଟଙ୍କା ଆଣି ଦେବେ? ଉଲ୍ଲେଖନୀୟ ଯେ, ବ୍ୟାଙ୍କ ପକ୍ଷରୁ ଏହିଭଳି ବ୍ୟାଙ୍କ ଠକେଇକୁ ଆଖି ଆଗରେ ରଖି ଇନସ୍ୟୁରାନ୍ସ ପଲିସି ନିଆଯାଇଥାଏ । ତେଣୁ ଆପଣ ଅଭିଯୋଗ କରିବା ଦ୍ୱାରା ବ୍ୟାଙ୍କ ନିଜର ଇନସ୍ୟୁରାନ୍ସ କମ୍ପାନୀକୁ ସୂଚନା ଦେଇଥାଏ । ଏହାପରେ ଉକ୍ତ ଇନସ୍ୟୁରାନ୍ସ କମ୍ପାନୀ ଆପଣ ହରାଇଥିବା ଟଙ୍କାକୁ ଫେରାଇଥାଏ । ତେବେ ଏହି ଇନସ୍ୟୁରାନ୍ସ କମ୍ପାନୀ ମାନେ ସିଧାସଳଖ ଗ୍ରାହକଙ୍କ ସହିତ ମଧ୍ୟ ଯୋଡ଼ିହୋଇଥାଏ ।

ଯଦି କେହି ଖରାପ ତରିକାରେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ପ୍ରତ୍ୟାହାର କରନ୍ତି ତେବେ ଆପଣ ତିନି ଦିନ ମଧ୍ୟରେ ବ୍ୟାଙ୍କକୁ ଏହି ବିଷୟରେ ଅଭିଯୋଗ କରନ୍ତୁ । ତେବେ ଆପଣଙ୍କୁ ଏହି କ୍ଷତି ସହିବାକୁ ପଡିବ ନାହିଁ । ଆରବିଆଇ ଏହା ମଧ୍ୟ କହିଛି ଯେ ଗ୍ରାହକଙ୍କ ଆକାଉଣ୍ଟରୁ ଜାଲିଆତି ହୋଇଥିବା ଟଙ୍କା ଧାର୍ୟ୍ୟ ସମୟ ମଧ୍ୟରେ ବ୍ୟାଙ୍କକୁ ଜଣାଇବା ପରେ ୧୦ ଦିନ ମଧ୍ୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫେରସ୍ତ କରାଯିବ। ଆରବିଆଇ ଏହା ମଧ୍ୟ କହିଛି ଯେ ଯଦି ୪-୭ ଦିନ ପରେ ବ୍ୟାଙ୍କ ଆକାଉଣ୍ଟ ଠକେଇ ରିପୋର୍ଟ ହୁଏ, ତେବେ ଗ୍ରାହକଙ୍କୁ ୨୫,୦୦୦ ଟଙ୍କା ପର୍ୟ୍ୟନ୍ତ କ୍ଷତି ସହିବାକୁ ପଡିବ।

କେତେ ଟଙ୍କା ଫେରସ୍ତ ପାଇବେ

ଯଦି ବ୍ୟାଙ୍କ ଆକାଉଣ୍ଟ ବେସିକ ଜମା ଆକାଉଣ୍ଟ ଅର୍ଥାତ୍ ଶୂନ୍ୟ ବାଲାନ୍ସ ଆକାଉଣ୍ଟ, ତେବେ ଆପଣଙ୍କୁ ୫୦୦୦ ଟଙ୍କା ମିଳିବ । ଅର୍ଥାତ୍ ଯଦି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟରୁ ୧୦,୦୦୦ ଟଙ୍କା ଅନଧିକୃତ କାରବାର ହୋଇଛି, ତେବେ ଆପଣ ବ୍ୟାଙ୍କରୁ କେବଳ ୫୦୦୦ ଟଙ୍କା ଫେରସ୍ତ ପାଇବେ । ଆପଣଙ୍କୁ ବାକି ୫୦୦୦ ଟଙ୍କା କ୍ଷତି ସହିବାକୁ ପଡିବ ।

ସେଭିଂସ୍ ଆକାଉଣ୍ଟ ପାଇଁ କଣ ରହିଛି ନିୟମ

ଯଦି ଆପଣଙ୍କର ଏକ ସେଭିଂସ୍ ଆକାଉଣ୍ଟ୍ ଅଛି ଏବଂ ଆପଣଙ୍କ ଆକାଉଣ୍ଟରୁ ଅନଧିକୃତ କାରବାର ହୋଇଛି, ତେବେ ଆପଣଙ୍କୁ ୧୦୦୦୦ ଟଙ୍କା ମିଳିବ । ଅର୍ଥାତ୍ ଯଦି ଆପଣଙ୍କ ଆକାଉଣ୍ଟରୁ ୨୦,୦୦୦ ଟଙ୍କା ଅନଧିକୃତ କାରବାର ହୋଇଛି, ତେବେ ଆପଣ ବ୍ୟାଙ୍କରୁ ମାତ୍ର ୧୦,୦୦୦ ଟଙ୍କା ଫେରସ୍ତ କରିବେ । ବାକି ୧୦,୦୦୦ ଟଙ୍କା କ୍ଷତି ସହିବାକୁ ପଡିବ ।

Get real time updates directly on you device, subscribe now.