fbpx

ଚାହୁଁ ଚାହୁଁ ସାତ ଦିନ ବିତିଯିବ: ଏହାପରେ ତପସ୍ୱିନୀ-ସୁମିତ କ’ଣ କରିବେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାତ ଦିନ ପାଇଁ ଏକାଠି ରହିବାକୁ କୋର୍ଟ ନିର୍ଦ୍ଦେଶ ଦେବା ପରେ ତପସ୍ୱିନୀ ଦାଶ ଓ ସୁମିତ ସାହୁ ନୂଆ ଜୀବନ ଆରମ୍ଭ କରିଛନ୍ତି । ଇତିମଧ୍ୟରେ ଦମ୍ପତି ୩ଟି ନୂଆ ସକାଳକୁ ଦେଖିସାରିଲେଣି । କୋର୍ଟଙ୍କ ଗୋଟିଏ ଅର୍ଡରରେ ସବୁ ତୁମ୍ବିତୋଫାନ୍ ଏକାଥରକେ ବନ୍ଦ ହୋଇଯାଇଛି । ଉଭୟଙ୍କୁ ଆସିକା ଥାନାଧିକାରୀଙ୍କ ହେପାଜତରେ ରଖାଯାଇଛି । ତେବେ ରାତି ଦିନ ସଂଘର୍ଷ କରି ନ୍ୟାୟ ପାଇଁ ଧାରଣା ଦେଇଆସିଥିବା ତପସ୍ୱିନୀ ଏବେ ସମ୍ପୂର୍ଣ୍ଣ ନ୍ୟାୟ ପାଇଲେ ନା ଆଗକୁ ପୁଣି ସଂଗ୍ରାମ କରିବାକୁ ପଡ଼ିବ ସେ ପ୍ରଶ୍ନଟି ଏବେ ସଭିଙ୍କ ମନରେ ଉଙ୍କି ମାରୁଛି ।

ପୂର୍ବରୁ ସୁମିତ ଓ ତାଙ୍କ ପିତା ପ୍ରମୋଦ ସାହୁ କୋର୍ଟଙ୍କ ନିର୍ଦ୍ଦେଶମତେ ଚାଲିବେ ବୋଲି ମିଡ଼ିଆରେ ମତ ଦେଇଥିଲେ । ଯେହେତୁ ମାମଲାଟି କୋର୍ଟରେ ବିଚାରାଧୀନ ଅଛି, ତେଣୁ ସେମାନେ ତପସ୍ୱିନୀଙ୍କୁ ନ୍ୟାୟ ଦେଇପାରିବେ ନାହିଁ ବୋଲି କହିଥିଲେ । ପରେ କୋର୍ଟଙ୍କ ନିର୍ଦ୍ଦେଶ ମତେ ତପସ୍ୱିନୀ ଓ ସୁମିତ ଏକାଠି ରହିଛନ୍ତି । ତେବେ ମାମଲାଟି ବର୍ତ୍ତମାନ ଏତେ ସହଜରେ ସମାପ୍ତ ହେବା ଭଳି ମନେ ହେଉନାହିଁ । ଯଦି ସମାପ୍ତ ହୁଏ, ତେବେ ଏହା ସମସ୍ତଙ୍କ ପାଇଁ ଖୁସିର କଥା । ତପସ୍ୱିନୀ ଧାରଣା ଦେବାର କିଛିଦିନର ବ୍ୟବଧାନ ପରେ ଉଭୟ ସୁମିତ ଓ ତାଙ୍କ ପିତା ମିଡ଼ିଆ ଆଗକୁ ଆସିଥିଲେ । ୮ ଦିନ ଧରି ବିଶାଖାପଟନମରେ ଥିବା ନେଇ ସୁମିତାଙ୍କ ପିତା ମିଡ଼ିଆକୁ କହିଥିଲେ । ମାତ୍ର ତାଙ୍କ ଶ୍ୱଶୁର ବାହାରକୁ ଯାଇନଥିଲେ, ସେ ଘର ଭିତରୁ ବାହାରକୁ ଆସିଲେ ବୋଲି ତପସ୍ୱିନୀ କହିଥିଲେ । ତେବେ କିଏ କହୁଛି ସତ, ଏପରି ମିଛସତର ନାଟକ ପଛର କାରଣ କ’ଣ? ଯଦି ଉଭୟ ଫ୍ୟାମିଲିଙ୍କ ମତ ଏକ, ତେବେ ଏତେ ଝାମେଲା ଲାଗିଥିଲା କ’ଣ ପାଇଁ । ଘରକଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା କ’ଣ ପାଇଁ? କୋର୍ଟଙ୍କ ଏହି ଗୋଟିଏ ନିଷ୍ପତ୍ତିରେ ଦୁହିଁଙ୍କ କେବେ ବି ନ୍ୟାୟ ମିଳିବ ନାହିଁ । ତପସ୍ୱିନୀ ଓ ସୁମିତଙ୍କ ମତକୁ ଆଧାର କରି କୋର୍ଟ ଆଗକୁ ନିଜର ନିଷ୍ପତ୍ତି ଶୁଣାଇବେ । ଦୁହିଁଙ୍କୁ ନ୍ୟାୟ ମିଳୁ, ସେମାନେ ଶାନ୍ତିରେ ରୁହନ୍ତି, ଏହା ହିଁ ଆମର ଈଶ୍ୱରଙ୍କ ନିକଟରେ କାମନା ।

Get real time updates directly on you device, subscribe now.