fbpx

ଆଗକୁ ଆସୁଛି ବିଧାନସଭା ନିର୍ବାଚନ: ସୌମ୍ୟଙ୍କୁ ନେଇ ବଢ଼ୁଛି ରାଜନୈତିକ ମହଲରେ ଚର୍ଚ୍ଚା

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ନେଇ ଗତ କିଛିଦିନ ଧରି ରାଜ୍ୟ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ଜାରି ରହିଛି । ଦୈନିକ ଖବର କାଗଜ ‘ସମ୍ବାଦ’ର ସମ୍ବାଦକୀୟ ମାଧ୍ୟମରେ ସୌମ୍ୟ ରାଜ୍ୟ ସରକାର ଓ ୫-ଟି ସଚିବଙ୍କୁ ନେଇ ଖୋଲାଖୋଲି ଟାର୍ଗେଟ୍ କରିଥିଲେ ।

ତେବେ ପରବର୍ତ୍ତୀ ସମୟରେ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗରେ ସୌମ୍ୟଙ୍କୁ ସେପ୍ଟେମ୍ବର ମାସ ୧୨ ତାରିଖରେ ବିଜେଡି ଉପସଭାପତି ପଦରୁ ହଟାଯାଇଥିଲା । ଏହାପରେ ସେପ୍ଟେମ୍ବର ୨୧ ତାରିଖରୁ ସୌମ୍ୟଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା । କର୍ମଚାରୀଙ୍କ ନାଁରେ ଲୋନ ଜାଲିଆତି କରିଥିବା ନେଇ ସୌମ୍ୟଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ସେହି ଆଧାରରେ ସୌମ୍ୟ ଓ ତାଙ୍କ ସଂସ୍ଥାର କିଛି କର୍ମଚାରୀଙ୍କ ବିରୋଧରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ରେ ମାମଲା ରୁଜୁ କରାଯାଇଥିଲା ।

ତେବେ ସୌମ୍ୟଙ୍କ ଭଳି ଜଣେ ପ୍ରଭାବଶାଳୀ ନେତାଙ୍କୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ୍ ରହିଥିବା ବେଳେ ଏହା ମଧ୍ୟରେ ସୌମ୍ୟ ‘ସମ୍ବାଦ’ର ସମ୍ପାଦକ ପଦ ଛାଡ଼ିଛନ୍ତି । ତେଣୁ କ’ଣ ପାଇଁ ସୌମ୍ୟ ଏହି ପଦକ୍ଷେପ ନେଲେ ବୋଲି ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି । ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ସୌମ୍ୟଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଯାଇଛି । ଅତୀତରେ ସୌମ୍ୟ ଏନସିପି, ବିଜେପି, କଂଗ୍ରେସରେ ରହିବା ସହିତ ନିଜେ ‘ଆମ ଓଡ଼ିଶା ପାର୍ଟି’ ଗଠନ କରିଥିଲେ । ତେଣୁ ଆଗାମୀ ଦିନରେ ସୌମ୍ୟ ପୁଣି ଏକ ଦଳ ଗଠନ କରିବେ କି ଅନ୍ୟ କେଉଁ ରାଜନୈତିକ ଦଳରେ ଯୋଗଦେବେ ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ । ଏହା ମଧ୍ୟରେ ସୌମ୍ୟ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଚାଣକ୍ୟ ଅମିତ ଶାହଙ୍କୁ ଭେଟିଥିବା ନେଇ କିଛି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ମାତ୍ର ଏହି ସାକ୍ଷାତ ପଛର କାରଣ ନେଇ କିଛି ସ୍ପଷ୍ଟ ହୋଇନାହିଁ । ତେଣୁ ଆଗକୁ ସୌମ୍ୟ କ’ଣ କରିବେ ତାହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି, ସମୟ ଆସିଲେ ତାହା ଜଣାପଡ଼ିବ ।

Get real time updates directly on you device, subscribe now.