fbpx

କେବେ ହେବ NEET PG ପରୀକ୍ଷା? ଜାରି ହେଲା ନୂଆ ସିଡ୍ୟୁଲ: ୨ଟି ସିଫ୍ଟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

Advertisement

ନୂଆଦିଲ୍ଲୀ: ନିଟ୍ ପିଜି ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରିଛି ନେସନାଲ ବୋର୍ଡ ଏଗଜାମିନେସନ(NBE) । ଆସନ୍ତା ଅଗଷ୍ଟ ୧୧ ତାରିଖରେ ନିଟ୍ ପିଜି ପରୀକ୍ଷା ଅନୁଷ୍ଠିତ ହେବା ନେଇ ଘୋଷଣା କରାଯାଇଛି । ଏହି ପରୀକ୍ଷା ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ । ଗତ ଜୁନ୍ ୨୧୩ ତାରିଖରେ ନିଟ୍ ପିଜି ପରୀକ୍ଷା ହେବାକୁ ଥିବା ବେଳେ ଏହାକୁ ସ୍ଥଗିତ ରଖାଯାଇଥିଲା । ନିଟ୍ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ବିବାଦ ଯୋଗୁଁ ପରୀକ୍ଷା ପୂର୍ବ ଦିନ ହିଁ ଏହାକୁ ସ୍ଥଗିତ କରିଥିଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସତର୍କତାମୂଳକ ଭାବରେ ଏହି ପରୀକ୍ଷାକୁ ବର୍ତ୍ତମାନ ସ୍ଥଗିତ ରଖାଯାଉଛି ବୋଲି ସେହି ସମୟରେ କୁହାଯାଇଥିଲା । ତେବେ ପରୀକ୍ଷା ସିଫ୍ଟକୁ ନେଇ ଅଧିକ ଅପଡେଟ ଉଚିତ ସମୟରେ www.natboard.edu.in ୱେବସାଇଟରେ ଅପଲୋଡ କରାଯିବ ବୋଲି ସୂଚନା ଦିଆଯାଇଥିଲା ।

ସୂଚନା ଅନୁସାରେ ସ୍ଥଗିତ ହୋଇଥିବା ନିଟ୍ ପିଜି ପରୀକ୍ଷାରେ ପ୍ରାୟ ୨ ଲକ୍ଷ ୩୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିଲେ । ମାଷ୍ଟର ଅଫ୍ ସର୍ଜରୀ, ଡକ୍ଟର ଅଫ୍ ମେଡିସିନ୍ ଏବଂ ପିଜି ଡିପ୍ଲୋମା ପ୍ରୋଗ୍ରାମ ପାଇଁ ଏହି ପରୀକ୍ଷା ଦେବାକୁ ପଡ଼ିଥାଏ । ଏମବିବିଏସ ଡିଗ୍ରୀ କିମ୍ବା ମେଡିକାଲ କାଉନ୍ସିଲ ଅଫ୍ ଇଣ୍ଡିଆ ତରଫରୁ ମାନ୍ୟତାପ୍ରାପ୍ତ ପ୍ରୋଭିଜିନାଲ ଏମବିବିଏସ ପାସ୍ ସର୍ଟିଫିକେଟ ହାସଲ କରିଥିବା ପରୀକ୍ଷାର୍ଥୀ ହିଁ ଏହି ପରୀକ୍ଷାରେ ସାମିଲ ହୋଇପାରିବେ ।

ନିଟି ପିଜି ପରୀକ୍ଷା ସମ୍ପୂର୍ଣ୍ଣ ପାରଦର୍ଶିତା ଏବଂ ସୁରକ୍ଷା ସହ ଅନୁଷ୍ଠିତ କରିବା ପାଇଁ ଏନବିଇଏମଏସ ତରଫରୁ କଡ଼ା ବ୍ୟବସ୍ଥା କରାଯାଇଛି । ନିଟ୍ ପିଜି ପରୀକ୍ଷାରେ ୨ ଘଣ୍ଟା ପୂର୍ବରୁ ପ୍ରଶ୍ନ ପତ୍ର ସେଟ୍ ହେବ ବୋଲି ଗୃହ ମନ୍ତ୍ରାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହାସହିତ ମନ୍ତ୍ରାଳୟ ପକ୍ଷରୁ ନିଟ୍ ପିଜି ପରୀକ୍ଷା ନେଇ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରାଯାଉଛି । ପେପର ଲିକ୍ ସମସ୍ୟାକୁ ଯଥାସମ୍ଭବ ଏଡ଼ାଇବାକୁ ପ୍ରୟାସ କରିବ ଗୃହ ମନ୍ତ୍ରାଳୟ । ତେବେ ପରୀକ୍ଷା ଦିନ ସକାଳରୁ ହିଁ ପ୍ରଶ୍ନପତ୍ର ଡିଜିଟାଲ ଫର୍ମାଟରେ ଜେନେରେଟ କରାଯିବ ବୋଲି ମଧ୍ୟ ଶୁଣିବାକୁ ମିଳିଛି ।

Get real time updates directly on you device, subscribe now.