କେବେ ଲଞ୍ଚ୍ ହେବ BSNL 5G? ଘୋଷଣା ହେଲା ତାରିଖ, ୟୁଜରଙ୍କ ପାଇଁ ଆସିଲା ବଡ଼ ଅପଡେଟ୍

ଓଡ଼ିଶା ଭାସ୍କର: ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଭୋଡାଫୋନ-ଆଇଡିଆ ପରେ BSNL ଆଣୁଛି ହାଇ ସ୍ପିଡ ନେଟୱର୍କ । ଭାରତ ସଞ୍ଚାର ନିଗମ ଲିମିଟେଡ(BSNL )ଖୁବଶୀଘ୍ର 4G ଏବଂ 5G ସର୍ଭିସ ଲଞ୍ଚ୍ କରିବାକୁ ଯାଉଛି । ଏ ନେଇ ଟେଲିକମ୍ କମ୍ପାନୀ ତରଫରୁ ଅଫିସିଆଲ ଘୋଷଣା ହୋଇସାରିଛି । କେବେ 5G ସର୍ଭିସର ରୋଲ ଆଉଟ ହେବ, ସେ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏହି ସର୍ଭିସରେ ଗ୍ରାହକ କମ୍ ମୂଲ୍ୟରେ ହାଇ ସ୍ପିଡ ଇଣ୍ଟରନେଟ ପାଇପାରିବେ ବୋଲି କୁହାଯାଇଛି । ବିଭିନ୍ନ ଘରୋଇ ଟେଲିକମ୍ କମ୍ପାନୀ ବର୍ତ୍ତମାନ ରିଚାର୍ଜ ପ୍ଲାନ ମହଙ୍ଗା କରୁଥିବା ବେଳେ ଏଥିରୁ ଜନତାଙ୍କୁ ମିଳିବ ଆଶ୍ୱସ୍ତି ।

ରିପୋର୍ଟ ଅନୁସାରେ, ଆନ୍ଧ୍ରପ୍ରଦେଶର BSNL ପିନ୍ସିପାଲ ଜେନେରାଲ ମ୍ୟାନେଜର, ଏଲ ଶ୍ରୀନୁ ପ୍ରେସ କନଫରେନ୍ସରେ ଏକ ବଡ଼ ଅପଡେଟ ଦେଇଛନ୍ତି । ଆସନ୍ତାବର୍ଷ(୨୦୨୫) ସଂକ୍ରାନ୍ତି ସୁଦ୍ଧା ବିଏସଏନଏଲ ଟେଲିକମ୍ କମ୍ପାନୀ ନିଜର 5G ସର୍ଭିସ ଲଞ୍ଚ୍ କରିବାକୁ ପ୍ରସ୍ତୁତି ଜାରି ରଖିଛି । ବର୍ତ୍ତମାନ କମ୍ପାନୀ ଟାୱାର ତଥା ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣକୁ ଅପଡେଟ କରିବା ଭଳି କାମ କରୁଛି । ଫଳରେ ଯଥାଶୀଘ୍ର BSNL 5G ସର୍ଭିସ ଲଞ୍ଚ୍ ହୋଇପାରିବ । ଏବେ ସାରା ଦେଶରେ BSNL 4G ସାଇଟ୍ସ ଇନଷ୍ଟଲ କରୁଛି । ଏହାକୁ ୨୦୨୫ ସୁଦ୍ଧା 5G ସର୍ଭିସକୁ ଅପଗ୍ରେଡ କରି ଦିଆଯିବ ବୋଲି କୁହାଯାଇଛି ।

ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ, BSNL ଏହାର 5G ରେଡିଓ ଆକସେସ୍ ନେଟୱାର୍କ (RAN) ଏବଂ କୋର ନେଟୱାର୍କର ପରୀକ୍ଷଣକୁ 3.6 GHz ଏବଂ 700 MHz ଫ୍ରିକ୍ୱେନ୍ସି ବ୍ୟାଣ୍ଡରେ ସଫଳତାର ସହ ସମାପ୍ତ କରିଛି। ଖୁବ୍ ଶୀଘ୍ର ଭାରତରେ 5G ସେବା ଆରମ୍ଭ ହେବ । ୨୦୨୫ ମଧ୍ୟବର୍ତ୍ତୀ ସମୟ ମଧ୍ୟରେ ୧ ଲକ୍ଷ ସାଇଟ୍ସ ଇନଷ୍ଟଲ କରିବା ପାଇଁ ଲକ୍ଷ୍ୟ ରଖିଛି ଟେଲିକମ୍ କମ୍ପାନୀ । ତେବେ ବର୍ତ୍ତମାନ ସୁଦ୍ଧା ମୋଟ ୩୯,୦୦୦ ସାଇଟ୍ସ ସ୍ଥାପନା ହୋଇସାରିଛି । ଦେଶର ପ୍ରଥମ ଅପରେଟର ଭାବରେ ସ୍ୱଦେଶୀ 4G ଏବଂ 5G ସର୍ଭିସ ଲାଗୁ କରିବ BSNL । ତେବେ ବର୍ତ୍ତମାନ ଟେଷ୍ଟ ପିରିୟଡରେ ରହିଛି BSNL ର ଏହି ସର୍ଭିସ ।