fbpx

କେବେ ସମାପ୍ତ ହେବ ଯୁଦ୍ଧ ? ସୋମବାର ଆଇସିଜେରେ ମୁହାଁମୁହିଁ ହେବେ ୟୁକ୍ରେନ ଓ ରୁଷ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି। କିଭ୍ ଦଖଲ ପାଇଁ ରୁଷ ନିର୍ଣ୍ଣାୟକ ଲଢେଇ କରିବା ମୁଡରେ ରହିଛି। ସେଥିପାଇଁ ୟୁକ୍ରେନର ରାଜଧାନୀ କିଭ୍ ଉପରେ କ୍ଷେପଣାସ୍ତ୍ର ମାଡ କରିବା ସହ ଘନ ଘନ ବୋମା ବର୍ଷଣ କରୁଛି। ତେବେ ରୁଷର ସୈନ୍ୟ କାର୍ଯ୍ୟାନୁଷ୍ଠାନ ଉପରେ ତୁରନ୍ତ ରୋକ୍ ଲଗାଇବା ପାଇଁ ଅନ୍ତର୍ଜାତୀୟ ନ୍ୟାୟାଳୟ(ଆଇସିଜେ)ରେ ଦ୍ଵାରସ୍ଥ ହୋଇଥିଲା ୟୁକ୍ରେନ। ଜରୁରୀକାଳୀନ ଶୁଣାଣି ପାଇଁ ମଧ୍ୟ ଅପିଲ୍ କରିଥିଲା। ଆଇସିଜେ ୟୁକ୍ରେନର ଆବେଦନକୁ ଗ୍ରହଣ କରି ଏହା ଉପରେ ସୋମବାର ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛି। ଏବେ ଆଇସିଜେରେ ମୁହାଁମୁହିଁ ହେବେ ରୁଷ ଏବଂ ୟୁକ୍ରେନ। ଅନ୍ୟପଟେ ରୁଷର ଆଇନଗତ ଟିମର ପ୍ରମୁଖ ଓକିଲ ଏଲେନ ପେଲେଟ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ଆଇସିଜେରେ ୟୁକ୍ରେନ ଦ୍ଵାରା ଦାଖଲ ମାମଲାରେ ନରସଂହାର ରୋକିବା ନେଇ ୧୯୪୮ରେ ହୋଇଥିବା ସନ୍ଧିରେ ରୁଷ ଏବଂ ୟୁକ୍ରେନ ହସ୍ତାକ୍ଷର କରିଛନ୍ତି। ସନ୍ଧିରେ ଅଦାଲତ ବିବାଦର ସମାଧାନ କରିବା ନେଇ ଉଲ୍ଲେଖ କରାଯାଇଛି। ଏବେ ଆଇସିଜେ ରୁଷ ଏବଂ ୟୁକ୍ରେନ ବିବାଦ ଉପରେ ଶୁଣାଣି କରିବ।

ୟୁକ୍ରେନ ମୋକଦ୍ଦମା ଦାୟର କରି କହିଛି ଯେ, ପୂର୍ବ ୟୁକ୍ରେନରେ ନରସଂହାର ହୋଇଛି କି ନାହିଁ ତାର କୌଣସି ପ୍ରମାଣ ନାହିଁ। ଏପରିକି ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ରୁଷ ନିକଟରେ କୌଣସି ଯୁକ୍ତିସଙ୍ଗତ ବୈଧ୍ୟ ଆଧାର ନାହିଁ। ଅନ୍ୟପଟେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଛନ୍ତି, ପୂର୍ବ ୟୁକ୍ରେନରେ ଲୋକଙ୍କ ରକ୍ଷା ପାଇଁ ୟୁକ୍ରେନ ଉପରେ ସୈନ୍ୟ କାର୍ଯ୍ୟାନୁଷ୍ଠାନ କରାଯାଇଛି।

ଏହା ପୂର୍ବରୁ ଆଇସିଜେ କହିଛନ୍ତି ଯେ, ବର୍ତ୍ତମାନ ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଶୁଣାଣି ହାଇବ୍ରିଡ ପ୍ରଣାଳୀରେ କରାଯିବ। ନ୍ୟାୟାଳୟର କିଛି ସଦସ୍ୟ ହିଁ ଗ୍ରେଟ୍ ହଲ୍ ଅଫ ଜଷ୍ଟିସରେ ବ୍ୟକ୍ତିଗତ ଭାବେ ମୌଖିକ ଶୁଣାଣିରେ ସାମିଲ୍ ହେବେ। ଅନ୍ୟ ସଦସ୍ୟ ଭର୍ଚୁଆଲରେ ଯୋଗ ଦେବେ। ରୁଷ ଏବଂ ୟୁକ୍ରେନର ପ୍ରତିନିଧିଙ୍କ ନିକଟରେ ଦୁଇଟି ବିକଳ୍ପ ରହିଛି। ସେମାନେ ଚାହିଁଲେ ଆଇସିଜେରେ ହାଜର ହୋଇ ପାରିବେ କିମ୍ବା ଭର୍ଚୁଆଲି ଶୁଣାଣିରେ ସାମିଲ୍ ହୋଇ ପାରିବେ।

ସୂଚନାଯୋଗ୍ୟ, ୟୁକ୍ରେନ ଫେବଋଆରୀ ୨୬ରେ ଆଇସିଜେରେ ଆବେଦନ ଦାଖଲ କରି ରୁଷ ବିରୋଧରେ କାର‌୍ୟ୍ୟାନୂଷ୍ଠାନ ନେବାକୁ ଅନୁରୋଧ କରିଥିଲା। ଏଥିସହ ୟୁକ୍ରେନ ଉପରେ ସମସ୍ତ ସୈନ୍ୟ କାର‌୍ୟ୍ୟାନୁଷ୍ଠାନ ତୁରନ୍ତ ରୋକିବା ପାଇଁ ରୁଷକୁ ଆଦେଶ ଦେବାକୁ ୟୁକ୍ରେନ ଆଇସିଜେରେ ଅନୁରୋଧ କରିଥିଲା।

 

Get real time updates directly on you device, subscribe now.