fbpx

କେଉଁଠି ଅଛି ଦୁନିଆର ସବୁଠାରୁ ଛୋଟ ଜେଲ୍‌ ? ଯେଉଁଠାରେ ରହିପାରିବେ ମାତ୍ର ୨ ଜଣ କଏଦୀ

ଯେତେବେଳେ ବି ଭାରତରେ ଜେଲ ବିଷୟରେ ଆଲୋଚନା ହୁଏ, ପ୍ରଥମେ ତିହାଡ଼ ଜେଲର ନାମ ନିଆଯାଏ । କାହିଁକି ତିହାଡ଼ ଜେଲ ହେଉଛି ଭାରତର ସବୁଠାରୁ ବଡ ଜେଲ । କିନ୍ତୁ ଯଦି ଆପଣଙ୍କୁ ପଚରାଯାଏ ଦୁନିଆର ସବୁଠାରୁ ଛୋଟ ଜେଲ କେଉଁଠାରେ ଅଛି? ୯୦ ପ୍ରତିଶତ ଲୋକ ଏହାର ଉତ୍ତର ଜାଣି ନଥିବେ । ଆଜି ଆମେ ଆପଣଙ୍କୁ କହିବୁ ଦୁନିଆର ସବୁଠାରୁ ଛୋଟ ଜେଲ କେଉଁଠାରେ ଅଛି ଏବଂ ଏଥିରେ କେତେଜଣ କଏଦୀ ଏକାଠି ରହିପାରିବେ ।

ବ୍ରିଟେନର ସାର୍କ ଦ୍ୱୀପରେ ରହିଛି ବିଶ୍ୱର ସବୁଠୁ ଛୋଟ ଜେଲ୍ । ଏହା ଏତେ ଛୋଟ ଯେ ଏଥିରେ କେବଳ ମାତ୍ର ୨ ଜଣ କଏଦୀ ରହିପାରିବା ଭଳି ସ୍ଥାନ ରହିଛି । ଜେଲ୍କୁ ୧୬୮ ବର୍ଷ ପୂର୍ବରୁ ନିର୍ମାଣ କରାଯାଇଥିଲା । ରିପୋର୍ଟ ଅନୁସାରେ, ସାର୍କ ଦ୍ୱୀପ ୫.୪ ବର୍ଗ କିମି ଅଞ୍ଚଳରେ ପରିବ୍ୟାପ୍ତ । ୨୦୨୩ରେ କରାଯାଇଥିବା ଜନଗଣନା ଅନୁସାରେ ସେହି ଦ୍ୱୀପରେ ମୋଟ ୫୬୨ ଜଣ ଲୋକ ରହନ୍ତି ।

୧୮୩୨ ମସିହାରେ ଏହି ଜେଲ୍ ନିର୍ମାଣ ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିଲେ :-

କିନ୍ତୁ ଅର୍ଥାଭାବରୁ ତାହା ପୂରା ହେବାକୁ ୨୪ ବର୍ଷ ସମୟ ଲାଗିଥିଲା । ଜେଲ୍ର ନିର୍ମାଣ ହେବା ପରଠାରୁ ଅଦ୍ୟାବଧି ସେଠାରେ ସେମିତି କୌଣସି ଉଲ୍ଲେଖନୀୟ ପରିବର୍ତ୍ତନ ହୋଇନାହିଁ । ଅବଶ୍ୟ ଜେଲ୍ ଭିତରର ସୁବିଧାରେ ଟିକେ ଉନ୍ନତି ହୋଇଛି । ପାଣି, ଟୟଲେଟ୍ ସହିତ ବିଜୁଳିର ବ୍ୟବସ୍ଥା କରାଯାଇଛି । ଜେଲ୍ ଭିତର ଅଂଶକୁ ଦୁଇ ଭାଗରେ ବିଭକ୍ତ କରି ଦୁଇଟି କୋଠରୀ କରାଯାଇଛି । ଦୁଇଟି ଯାକ କୋଠରୀରେ କଏଦୀଙ୍କ ଲାଗି କାଠର ଖଟ ଥିବାବେଳେ ତା’ ଉପରେ ପତଳା ମ୍ୟାଟ୍ରେସ୍ ବିଛାଯାଇଛି ।

ଏହି ଦ୍ୱୀପରେ କୌଣସି ବଡ଼ ଧରଣର ଅପରାଧ ହୋଇନଥାଏ । ତେଣୁ ଏଠାରେ ମାତ୍ର ୨ ଜଣ ପୁଲିସକର୍ମୀ ଅଛନ୍ତି ବୋଲି ଜଣାପଡ଼ିଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ, ଦ୍ୱୀପର କିଛି ଲୋକଙ୍କ ବିରୋଧରେ ନିଶାସକ୍ତ ହୋଇ ଗାଡ଼ି ଚଳାଇବା କିମ୍ବା ଅନ୍ୟ ଅପରାଧରେ ମାମଲା ରହିଛି । କିନ୍ତୁ ସଂଶାଧନର ଅଭାବ ଯୋଗୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରୁନାହିଁ । ସେଥିଯୋଗୁ ଦ୍ୱୀପରେ ଜେଲ୍ ଥିଲେ ମଧ୍ୟ ତାର ସେତେ ଅଧିକ ବ୍ୟବହାର ହେଉନାହିଁ ।

Get real time updates directly on you device, subscribe now.