ଦୁର୍ଘଟଣା ପାଇଁ ଅବହେଳା ଦାୟୀ! ଗରିବଙ୍କ ସୁରକ୍ଷା ଆଗ ନା ବୁଲେଟ୍ ଟ୍ରେନ, ବନ୍ଦେ ଭାରତ ଏକ୍ସପ୍ରେସ୍ ଆଗ: ବାହାନଗା ଦୁର୍ଘଟଣା ପରେ ଲୋକଙ୍କ ମଧ୍ୟରେ ଉଠିଲା ବଡ଼ ପ୍ରଶ୍ନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱରରେ ଜିଲ୍ଲାର ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୨୭୫ ଜଣ ଯାତ୍ରୀ ମୃତ୍ୟୁବରଣ କରିବା ସହିତ ଏକ ହଜାରରୁ ଅଧିକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏହି ଦୁର୍ଘଟଣାର ଭୟାବହତାକୁ ନେଇ ସାରା ବିଶ୍ୱବାସୀ ଆତଙ୍କିତ ହୋଇ ପଡ଼ିଥିଲେ । ବିଭିନ୍ନ ରାଷ୍ଟ୍ରର ମୁଖ୍ୟମାନେ ପୀଡ଼ିତଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ । କେନ୍ଦ୍ର, ରେଳ ମନ୍ତ୍ରଣାଳୟ ଓ ବିଭିନ୍ନ ରାଜ୍ୟ ସରକାର ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଥିଲେ ।
ତେବେ ଏତେବଡ଼ ଦୁର୍ଘଟଣା ଘଟିବା ପରେ ବିଭିନ୍ନ ମହଲରୁ ଏକାଧିକ ପ୍ରଶ୍ନ ଉଠିଥିଲା । ରେଳବାଇର ସୁରକ୍ଷା ‘କବଚ’କୁ ନେଇ ଜନସାଧାରଣ ପ୍ରଶ୍ନ ଉଠାଇବା ସହିତ ବାହାନଗା ରୁଟରେ ତା’ର ବ୍ୟବସ୍ଥା କାହିଁକି କରାଯାଇ ନଥିଲା ବୋଲି ଅନେକ ଯୁକ୍ତି ବାଢ଼ିଥିଲେ । ଏପରିକି ଏହି କବଚ ଥିଲେ ବହୁ ଲୋକଙ୍କ ଜୀବନ ବଞ୍ଚି ପାରିଥାନ୍ତା ବୋଲି ଅନେକ ଯୁକ୍ତି ବାଢ଼ିଥିଲେ । ତେବେ ଇଣ୍ଟରଲକିଂ ତ୍ରୁଟି କାରଣରୁ ଏହି ଦୁର୍ଘଟଣା ହୋଇଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିବା ସହ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ।
ତେବେ ଏହି ଦୁର୍ଘଟଣାକୁ ନେଇ ଏବେ ରେଳବାଇର ବିଭିନ୍ନ ଅବହେଳାକୁ ନେଇ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି । ଦୁର୍ଘଟଣାର ୩ ମାସ ପୂର୍ବରୁ ଉତ୍ତରପ୍ରଦେଶର ଜଣେ ରେଳ ଅଧିକାରୀ ଏ ବାବଦରେ କିଛି ତ୍ରୁଟି ନେଇ ରେଳ ବିଭାଗକୁ ଚିଠି ଲେଖିଥିଲେ ହେଁ ସେନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା । କେନ୍ଦ୍ର ସରକାର ଗୋଟିଏ ପଟେ ବନ୍ଦେ ଭାରତ ଏକ୍ସପ୍ରେସ, ବୁଲେଟ୍ ଟ୍ରେନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗରିବ ଲୋକମାନେ ଯାତାୟତ କରୁଥିବା ସାଧାରଣ ଟ୍ରେନ ପାଇଁ ସେଭଳି କିଛି ବ୍ୟବସ୍ଥା କରୁନାହାନ୍ତି । ବିକାଶର ଦ୍ୱାହି ଦେଇ ଗରିବଙ୍କ ସୁରକ୍ଷା ପ୍ରତି ଅବହେଳା କରାଯାଉଥିବା ନେଇ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି ।