fbpx

କେଉଁ ଟିମ୍ ଭାରତ ସହ ସେମିଫାଇନାଲ ଖେଳିବ: ରେସରେ ଅଛନ୍ତି ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଆଫଗାନିସ୍ତାନ

Advertisement

ନୂଆଦିଲ୍ଲୀ: ଭାରତରେ ଅନୁଷ୍ଠିତ ହୋଇଥିବା ଦିନିକିଆ କ୍ରିକେଟ ବିଶ୍ୱକପ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ବିଶ୍ୱ ଚାମ୍ପିୟନ ଟିମ୍ ବାଛିବାର ଏହି ଲଢ଼େଇର ସେମିଫାଇନାଲ ପୂର୍ବରୁ ଆଉ ମାତ୍ର ୫ଟି ମ୍ୟାଚ ବାକି ଅଛି । ସେଥିମଧ୍ୟରୁ ୧୧ରେ ହେବାକୁ ଥିବା ଅଷ୍ଟ୍ରେଲିଆ-ବାଂଲାଦେଶ ମ୍ୟାଚ ଓ ୧୨ରେ ହେବାକୁ ଥିବା ଭାରତ-ନେଦରଲାଣ୍ଡସ ମ୍ୟାଚ ସେମି ସମୀକରଣ ଉପରେ କୌଣସି ଫରକ ପକାଇବ ନାହିଁ ।

ଭାରତ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ସେମି ପାଇଁ ନିଜ ନିଜର ସ୍ଥାନ ସୁରକ୍ଷିତ କରି ସାରିଥିବା ବେଳେ ଏବେ ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସେମି ପାଇଁ ଟକ୍କର ଦେଖିବାକୁ ମିଳିବ । ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଆଫଗାନିସ୍ତାନ ପ୍ରତ୍ୟେକ ୪ଟି ଲେଖାଏଁ ମ୍ୟାଚ୍ ଜିତି ୮ ପଏଣ୍ଟ ଲେଖାଏଁ ପାଇଛନ୍ତି । ପ୍ରତ୍ୟେକ ଆଉ ଗୋଟିଏ ଲେଖାଏଁ ମ୍ୟାଚ ଖେଲିବେ ।

ନଭେମ୍ବର ୯ରେ ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା, ୧୦ରେ ଦକ୍ଷିଣ ଆଫ୍ରିକା-ଆଫଗାନିସ୍ତାନ ଓ ୧୧ରେ ଇଂଲଣ୍ଡ-ପାକିସ୍ତାନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ଏହି ତିନୋଟି ମ୍ୟାଚର ଫଳାଫଳ ସେମିଫାଇନାଲର ଚତୁର୍ଥ ଟିମକୁ ବାଛିବ । କିଛି ଟିମକୁ ସେମିରେ ପହଞ୍ଚିବା ପାଇଁ ହେଲେ ଅନ୍ୟ ଟିମର ବିଜୟ / ପରାଜୟ ଉପରେ ନିର୍ଭର କରିବାକୁ ପଡ଼ିବ । ଏଥିସହିତ ବର୍ଷା ମଧ୍ୟ ଏହି ସମୀକରଣକୁ ବିଗାଡ଼ି ଦେଇପାରେ । ତେବେ ଛୋଟ ଟିମ୍ ହୋଇଥିଲେ ହେଁ ଆଫଗାନିସ୍ତାନ ଚଳିତ ବିଶ୍ୱକପରେ ଇଂଲଣ୍ଡ, ପାକିସ୍ତାନ ଓ ଶ୍ରୀଲଙ୍କାକୁ ପରାସ୍ତ କରିଥିବାରୁ ସେ ଦକ୍ଷିଣ ଆଫ୍ରିକାକୁ କଡ଼ା ଟକ୍କର ଦେଇ ପାରିବ । ସେହିପରି ଦକ୍ଷିଣ ଆଫ୍ରିକା ନେଦରଲାଣ୍ଡସ ପରି ଛୋଟ ଦଳ ଠାରୁ ମଧ୍ୟ ପରାସ୍ତ ହୋଇଥିଲା ।

ଭାରତ ଟେବୁଲ ଟପରେ ରହିଥିବା ବେଳେ ଚତୁର୍ଥ ଟିମ ସହ ତା’ର ମୁକାବିଲା ହେବ । ତେଣୁ ଭାରତ ସହିତ କିଏ ସେମି ଖେଳିବ ତାହାକୁ ନେଇ ଏବେ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି । ନଭେମ୍ବର ୧୫ରେ ପ୍ରଥମ ସେମିଫାଇଲ, ୧୬ରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବା ପରେ ନଭେମ୍ବର ୧୯ରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ କ୍ରିକେଟ ମହାକୁମ୍ଭର ବିଶ୍ୱ ଚାମ୍ପିୟନ ପାଇଁ ମହାଲଢ଼େଇ ହେବ ।

Get real time updates directly on you device, subscribe now.