fbpx
BJD SKY
BJD SKY

ଏଣିକି ରାସ୍ତାରେ ଯିଏ ଆବର୍ଜନା ପକାଇବ, ସିଏ ଗଣିବ ଫାଇନ୍: BMC ପକ୍ଷରୁ ଆରମ୍ଭ ହେଲା ‘ସ୍ୱଚ୍ଛ ଓଡ଼ିଶା, ସୁସ୍ଥ ଓଡ଼ିଶା’ ଅଭିଯାନ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆପଣମାନେ ରାସ୍ତାରେ ଅଳିଆ, ଆବର୍ଜନା ପକାଉଛନ୍ତି କି? ଯଦି ପକାଉଛନ୍ତି ତେବେ ତୁରନ୍ତ ସାବଧାନ ହୋଇଯାଆନ୍ତୁ । କିଛି ଲୋକ ସର୍ବସାଧାରଣ ସ୍ଥାନରେ ଇଟା, ମାଟି ପଥର, ବର୍ଜ୍ୟବସ୍ତୁକୁ ଗଦା କରି ରଖିଥାନ୍ତି । ଏଣିକି ରାସ୍ତାରେ ଅଳିଆ ପକାଇଲେ ଗଣିବାକୁ ପଡ଼ିବ ଫାଇନ୍ । ପରିବେଶକୁ ସୁସ୍ଥ ରଖିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଆରମ୍ଭ ହୋଇଛି ‘ସ୍ୱଚ୍ଛ ଓଡ଼ିଶା, ସୁସ୍ଥ ଓଡ଼ିଶା’ । ଏକ ସପ୍ତାହ ଧରି ବିଏମସିର ସମସ୍ତ ୱାର୍ଡମାନଙ୍କରେ ଏହି ଅଭିଯାନ ଚାଲିବ ।

ତେବେ ପ୍ରଥମ ଦିନରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଏଥିସହ ୧୦ଟି ୱାର୍ଡରେ ଚଢ଼ାଉ କରାଯାଇ ୭୧ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଏଥିସହ ୭୬ ଟ୍ରିପ୍ ବର୍ଜ୍ୟବସ୍ତୁ ମଧ୍ୟ ସଂଗ୍ରହ କରାଯାଇଛି । ୱାର୍ଡ ଅଧିକାରୀ, ସ୍ୱଚ୍ଛ ସାଥୀ, ପରିମଳ ନିରୀକ୍ଷକ ଓ ସ୍ୱଚ୍ଛ ଭୁବନେଶ୍ୱର ଅଭିଯାନ ସେଲ ଅଧିକାରୀମାନେ ଏହି କାର୍ଯ୍ୟକୁ ପରିଚାଳନା କରୁଛନ୍ତି । ଯେ କୌଣସି ବ୍ୟକ୍ତି ବା ଅନୁଷ୍ଠାନ ବର୍ଜ୍ୟବସ୍ତୁ ନିଷ୍କାସନ ପାଇଁ ଦେୟମୁକ୍ତ ନମ୍ବର ୧୯୨୯କୁ କଲ୍ କରି ବିଏମସି ଉପାୟୁକ୍ତ (ପରିମଳ)ଙ୍କ ସହ ଯୋଗାଯୋଗ କରିପାରିବେ ।

ପ୍ରତ୍ୟେକ ବ୍ୟକ୍ତି ବା ଅନୁଷ୍ଠାନ ନିଜସ୍ୱ ବ୍ୟବସ୍ଥା ମାଧ୍ୟମରେ ନିର୍ମାଣ ଓ ଭଗ୍ନାବଶେଷ ବର୍ଜ୍ୟବସ୍ତୁକୁ ପୌରସଂସ୍ଥାର ଅନୁମତି ନେଇ ଚିହ୍ନିତ ସ୍ଥାନରେ ପକାଇ ପାରିବେ । ଭୀମପୁର ମୌଜାର କାର୍ଗିଲ ବସ୍ତିରେ ଥିବା ପଥରଖାଲ ଓ ପଟିଆ ମୌଜାର ସେସୁ ସବଷ୍ଟେସନକୁ ଲାଗି ରହିଥିବା ପଥରଖାଲକୁ ଏଥିପାଇଁ ଚିହ୍ନଟ କରାଯାଇଛି । ନାଗରିକ ଓ ଅନୁଷ୍ଠାନ ମାନେ ବର୍ଜ୍ୟବସ୍ତୁ ନିଷ୍କାସନ ପାଇଁ ୱାର୍ଡ ଅଧିକାରୀ, ସ୍ୱଚ୍ଛସାଥୀ ଓ ଜୋନ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କୁହାଯାଇଛି ।

Get real time updates directly on you device, subscribe now.