fbpx

ନବ ଦାସଙ୍କ ହତ୍ୟା ପଛରେ ଗୋପାଳ ଏକା ନୁହନ୍ତି ଆହୁରି ଅନେକ? ବିଜୟଙ୍କ ବୟାନକୁ ନେଇ ରାଜନୀତି ସରଗରମ୍

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ଏହା ମଧ୍ୟରେ ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି । ସ୍ୱାସ୍ଥ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମ ଅବସରରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରକୁ ଯାଇଥିବା ବେଳେ ଏଏସଆଇ ଗୋପାଳ ଦାସ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହା ମଧ୍ୟରେ ଗୁଜରାଟର ଗାନ୍ଧିନଗରଠାରେ ଗୋପାଳଙ୍କ ନାର୍କୋ ଓ ପଲ୍ଲୀଗ୍ରାଫ ଟେଷ୍ଟ ସରିଛି । ତେବେ ଏହି ଟେଷ୍ଟରୁ ଆଗାମୀ ଦିନରେ କିଛି ଗୁମର ଫିଟିବାର ଆଶା କରାଯାଉଛି ।

ତେବେ ନବଙ୍କ ହତ୍ୟାକୁ ନେଇ ରାଜ୍ୟର ରାଜନୈତିକ ପରିସ୍ଥିତି ମଧ୍ୟ ସରଗରମ୍ ହୋଇ ଉଠିଛି । ବିରୋଧୀ ବିଜେପି ଓ କଂଗ୍ରେସ ସିବିଆଇ ଓ ଏସଆଇଟି ତଦନ୍ତ ଦାବି କରିଆସୁଛନ୍ତି । ଏହି ହତ୍ୟା ପଛରେ ଜଣେ ପ୍ରଭାବଶାଳୀ ନେତାଙ୍କର ହାତ ଥିବା ନେଇ ଉଭୟ ବିଜେଡି ଓ ବିଜେପି ପରସ୍ପର ଉପରକୁ କାଦୁଅ ଫୋପାଡ଼ୁଛନ୍ତି । ତେବେ ଏହା ମଧ୍ୟରେ ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖାସ୍ ଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଏକ ବଡ଼ ବୟାନ ଦେଇଛନ୍ତି ।

ନିକଟରେ ବିଜୟ କଂଗ୍ରେସରେ ଯୋଗ ଦେଇଛନ୍ତି । ଏହା ମଧ୍ୟରେ ବିଜୟ ଦିଲ୍ଲୀରୁ ଓଡ଼ିଶା ଫେରୁଫେରୁ ଶାସକ ଦଳ ଉପରେ ବର୍ଷିବା ଆରମ୍ଭ କରିଦେଇଛନ୍ତି । ଏହି ଅବସରରେ ବିଜୟ କହିଛନ୍ତି, ବୋଧହୁଏ ଗୋପାଳ ନବଙ୍କୁ ମାରିନାହାନ୍ତି । ଜଣେ ଏଏସଆଇ ଏକା କ’ଣ କାହାକୁ ମାରିପାରିବେ? ଏହି ହତ୍ୟା ପଛରେ ଅନ୍ୟ କାହାର ହାତ ରହିଛି, ସେନେଇ କ୍ରାଇମବ୍ରାଞ୍ଚ ସତ୍ୟର ଉନ୍ମୋଚନ କରିବା ଦରକାର । ଯଦି କ୍ରାଇମବ୍ରାଞ୍ଚ ଏ କ୍ଷେତ୍ରରେ ସଫଳତା ହାସଲ କରିବାରେ ଅକ୍ଷମ ହେଉଛି, ତେବେ ମାମଲାଟି ସିବିଆଇକୁ ହସ୍ତାନ୍ତର କରାଯିବା ଦରକାର । ତେବେ ବିଜୟଙ୍କର ଏହି ବୟାନ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଗୋପାଳଙ୍କ ପଛରେ ଅନ୍ୟ କେଉଁମାନେ ରହିଛନ୍ତି, ସେନେଇ ଆଗାମୀ ଦିନରେ ହୁଏତ ଖୁଲାସା ହେବ ।

Get real time updates directly on you device, subscribe now.