fbpx

କିଏ ରାଜ୍ୟପାଳ, ତ କିଏ ରାଜ୍ୟସଭା… ଜାଣନ୍ତୁ ଅଯୋଧ୍ୟା ମାମଲାରେ ଶୁଣାଣି କରିଥିବା ଜଜ୍‌ମାନେ ଏବେ କେଉଁଠି

Advertisement

ନୂଆଦିଲ୍ଲୀ : ବିଜେପି ସରକାର କ୍ଷମତାକୁ ଆସିଲା ପରେ ସୁପ୍ରିମକୋର୍ଟର ବିଚାର କେନ୍ଦ୍ର ସରକାର ସାପେକ୍ଷ ହେଉଛି । ତେଣୁ କେନ୍ଦ୍ର ସରକାର ସପକ୍ଷରେ ରାୟ ଦେଇଥିବା ବିଚାରପତିମାନଙ୍କୁ ବଡ ଧରଣର ଉପହାର ମିଳୁଛି ବା ଏମିତି କହି ପାରିବା ଅବସର ପରେ ସେମାନଙ୍କୁ ଉଚ୍ଚ ପଦବୀ ମିଳୁଛି ବୋଲି ଚର୍ଚ୍ଚା ଜୋର ଧରିଛି । ଗତକାଲି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅବଦୁଲ ନାଜିରଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ଏହି ଚର୍ଚ୍ଚାର ପୁନରାବୃତ୍ତି ହୋଇଛି । ବିଶେଷ କରି ଅଯୋଧ୍ୟା ରାମ ମନ୍ଦିର-ବାବ୍ରି ମସଜିଦ ବିବାଦ ମାମଲାରେ ରାୟ ଶୁଣାଇଥିବା ବିଚାରପତି ଏବେ ରାଜ୍ୟପାଳ ବା ରାଜ୍ୟସଭାର ସଦସ୍ୟ ହେଉଛନ୍ତି ବୋଲି ଶୁଣିବାକୁ ମିଳୁଛି । ତେବେ ଆସନ୍ତୁ ଜାଣିବା ଏହି ବିବାଦୀୟ ମାମଲାରେ ରାୟ ଶୁଣାଇଥିବା ପଞ୍ଚ ଜଣିଆ ଖଣ୍ଡପୀଠରେ ଥିବା ବିଚାରପତିମାନେ ଏବେ କେଉଁଠି ଏବଂଳ କେଉଁ ପଦବୀରେ ଅଛନ୍ତି ।

୨୦୧୯ ରେ ଅଯୋଧ୍ୟା ରାମ ମାନ୍ଦିର-ବାବ୍ରି ମସଜିଦ ବିବାଦ ମାମଲାରେ ପଞ୍ଚଜଣିଆ ଖଣ୍ଡପୀଠରେ ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ନେତୃତ୍ୱରେ ଜଷ୍ଟିସ ଶରଦ ଅରବିନ୍ଦ ବବଡେ, ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ଼, ଜଷ୍ଟିସ ଅଶୋକ ଭୂଷଣ ଏବଂ ଜଷ୍ଟିସ ନାଜିର ସାମିଲ ହୋଇଥିଲେ।

ଜଷ୍ଟିସ୍ ରଂଜନ ଗୋଗୋଇ ଜଷ୍ଟିସ୍ ରଂଜନ ଗୋଗୋଇ ୧୭ ନଭେମ୍ବର ୨୦୧୯ ରେ ସୁପ୍ରିମକୋର୍ଟରୁ ଅବସର ଦେବାର ୪ ମାସ ପରେ ରାଷ୍ଟ୍ରପତି ତାଙ୍କୁ ରାଜ୍ୟସଭା ସଦସ୍ୟ ଭାବରେ ମନୋନୀତ କରିଥିଲେ। ରାଜ୍ୟସଭାରେ ଯିବାରେ ସେ ତୃତୀୟ ବିଚାରପତି ଥିଲେ ଏବଂ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଥମ ମନୋନୀତ ହୋଇଥିଲେ। ତାଙ୍କ ପୂର୍ବରୁ ଦେଶର ୨୧ତମ ବିଚାରପତି ରଙ୍ଗନାଥ ମିଶ୍ର (୧୯୯୦ ରୁ ୧୯୯୧) କଂଗ୍ରେସ ରାଜ୍ୟସଭାକୁ ପଠାଇଥିଲା। ଏହାପୂର୍ବରୁ ୧୯୮୩ ମସିହାରେ ଜଷ୍ଟିସ ବାହୁରୁଲ ଇସଲାମକୁ ରାଜ୍ୟସଭାକୁ ପଠାଇଥିଲା। ଅବସର ନେବାର ୫ ମାସ ପରେ କଂଗ୍ରେସ ତାଙ୍କୁ ରାଜ୍ୟସଭା ପଠାଇଥିଲେ ।

 

ଜଷ୍ଟିସ୍ ଶରଦ ଅରବିନ୍ଦ ବବଡେ ୨୩ ଏପ୍ରିଲ ୨୦୨୧ ରେ ମୁଖ୍ୟ ବିଚାରପତି ଭାବରେ ଅବସର ନେଇଥିଲେ। ଜଷ୍ଟିସ ବବଡେ ସୁପ୍ରିମକୋର୍ଟରେ ୮ ବର୍ଷ ବିଚାରପତି ଥିଲେ। ତେବେ ଅବସର ପରେ ଜଷ୍ଟିସ୍ ବବଡେ କୌଣସି ସରକାରୀ ପଦବୀରେ ଅବସ୍ଥାପିତ ହୋଇନଥିଲେ। ସେ ନାଗପୁରର ମହାରାଷ୍ଟ୍ର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ଅଛନ୍ତି।

 

ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୁଡ଼ ହେଉଛନ୍ତି ଭାରତର ଦୀର୍ଘତମ ମୁଖ୍ୟ ବିଚାରପତି ଜଷ୍ଟିସ୍ ୟ.ଭି ଚନ୍ଦ୍ରଚୂଡଙ୍କ ପୁଅ। ସେ ନଭେମ୍ବର ୨୦୨୨ ରେ ଭାରତର ୫୦ ତମ ମୁୂଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ।


ଜଷ୍ଟିସ ଅଶୋକ ଭୂଷଣ ଜୁଲାଇ ୨୦୨୧ ରେ ଅବସର ନେଇଥିଲେ। ଚାରିମାସ ପରେ ନଭେମ୍ବରରେ ତାଙ୍କୁ ଜାତୀୟ କମ୍ପାନୀ ଆଇନ ଆପିଲ୍ ଟ୍ରିବ୍ୟୁନାଲ୍ (ଏନସିଏଲ୍ଏଟ୍) ର ଚେୟାରମ୍ୟାନ୍ କରାଯାଇଥିଲା। ତାଙ୍କର କାର‌୍ୟ୍ୟକାଳ ଚାରି ବର୍ଷ । ତାଙ୍କ ପୂର୍ବରୁ ଏହି ପଦବୀ ୨୦ ମାସ ଧରି ଖାଲି ପଡ଼ିଥିଲା । କ୍ୟାବିନେଟର ନିଯୁକ୍ତି କମିଟି ଅକ୍ଟୋବର ୨୦୨୧ ରେ ତାଙ୍କ ନିଯୁକ୍ତିକୁ ଅନୁମୋଦନ ଦେଇଥିଲେ ।

ଜଷ୍ଟିସ ଅବଦୁଲ ନାଜିର ଜାନୁଆରୀ ୨୦୨୩ ରେ ସୁପ୍ରିମକୋର୍ଟରୁ ଅବସର ନେଇଛନ୍ତି। ଏକ ମାସ ପରେ ତାଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ କରାଯାଇଥିଲା। ଅଯୋଧ୍ୟା ମାମଲାରେ ଏହି ରାୟ ପ୍ରଦାନ କରିଥିବା ୫ ଜଣ ବିଚାରପତିଙ୍କ ମଧ୍ୟରେ ସେ ଏକମାତ୍ର ମୁସଲମାନ ଥିଲେ। କେବଳ ଏତିକି ନୁହେଁ, ବିମୁଦ୍ରୀକରଣକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ରାୟ ଘୋଷଣା କରିଥିବା ଖଣ୍ଡପୀଠରେ ଅବଦୁଲ ନାଜିର ମଧ୍ୟ ଅନ୍ତର୍ଭୁକ୍ତ ଥିଲେ ।

Get real time updates directly on you device, subscribe now.