fbpx
BJD
BJD SKY
BJD SKY

ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇଁ ଯଦି ଅମାନିଆ ଦାୟୀ, ତେବେ ପ୍ରଶାସନ କରୁଛି କ’ଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ହ୍ରାସ ପାଇଥିଲେ ବି ସମ୍ପୂର୍ଣ୍ଣ ଭାବେ ଆୟତ୍ତକୁ ଆସିପାରିନାହିଁ । ଗୋଟିଏ ଦିନ ସଂକ୍ରମଣ ବଢ଼ିଲେ ଆଉ ଦିନେ କମୁଥିବାର ଦେଖାଯାଉଥିଲା । ଅନ୍ୟପକ୍ଷରେ ମୃତ୍ୟୁସଂଖ୍ୟାରେ କିନ୍ତୁ ରୋକ ଲାଗି ପାରୁନଥିଲା । ତେବେ ରାଜ୍ୟର କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଜ ମତ ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ସମସ୍ତ ରାଜ୍ୟରେ କୋଭିଡ୍ କଟକଣା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଥାଏ । ଯଦିଓ ରାଜ୍ୟରେ ସଂକ୍ରମଣ କମିଛି, ତେବେ ଯେଉଁ ମାତ୍ରରେ କମିବା କଥା ତାହା ହୋଇନାହିଁ । ଗତ ଦୁଇଦିନ ହେଲା ରାଜ୍ୟରେ ସଂକ୍ରମଣ ଉପରମୁହାଁ ହୋଇଛି । ତେବେ କିଛି ଅମାନିଆଙ୍କ ପାଇଁ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣକୁ ଆସି ନଥିବା ବେଳେ ବିଭିନ୍ନ ଜିଲ୍ଲାକୁ ଲୋକମାନେ ଯିବା ଆସିବା କରୁଛନ୍ତି, ଯାହାକି ରାଜଧାନୀ ଭୁବନେଶ୍ୱରରେ ସଂକ୍ରମଣ ବୃଦ୍ଧିର ଅନ୍ୟତମ କାରଣ ବୋଲି ସେ କହିଛନ୍ତି ।

ଏଠାରେ ପ୍ରଶ୍ନ ଉଠୁଛି, ଯଦି ସଂକ୍ରମଣ ବୃଦ୍ଧି ପାଇଁ ଅମାନିଆ ଦାୟୀ, ତେବେ ପ୍ରଶାସନ କରୁଛି କ’ଣ? ପ୍ରଶାସନ ଯଦି ନିଜ କାର୍ଯ୍ୟ ଠିକ ଭାବେ କରିପାରିବ ନାହିଁ, ତେବେ ଏତେ କଟକଣା କ’ଣ ପାଇଁ? ଆଗକୁ ପୁଣି ଡେଲଟା ପ୍ଲସ୍ ଭାରିଆଣ୍ଟ ଆସୁଛି, ସେତେବେଳେ ତ ପ୍ରଶାସନ ଆଣ୍ଠେଇ ପଡ଼ିବ । କରୋନା ଆରମ୍ଭରୁ କେବଳ ଏଇ ଗୋଟିଏ ଶବ୍ଦ ଶୁଣିବାକୁ ମିଳୁଛି ‘ଅମାନିଆ’ । ସରକାରୀ ବୁଝିବା ଦରକାର ଯେ, ଅମାନିଆଙ୍କୁ ପ୍ରଶାସନ ଚାହିଁଲେ ସାବାଡ୍ କରିପାରିବ । ମାତ୍ର ଦୁଃଖର କଥା, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଯେଉଁଭଳି ଢଙ୍ଗରେ ବୟାନ ଦେଉଛନ୍ତି ‘ଅମାନିଆଙ୍କ ପାଇଁ ସଂକ୍ରମଣ ବଢ଼ୁଛି’, ଏଥିରୁ ବୁଝିବାକୁ ହେବ ଅମାନିଆ ହିଁ ଆମ ପ୍ରଶାସନକୁ ଚଳାଉଛନ୍ତି । ସରକାର ସ୍ପଷ୍ଟ କରିବା ଦରକାର ଯେ, ଅମାନିଆଙ୍କ ସଂଖ୍ୟା ଆମ ରାଜ୍ୟ ଜନସଂଖ୍ୟାର କେତେ ପ୍ରତିଶତ । ଯେତେ କଠୋର ନିୟମ ହେଲେ ମଧ୍ୟ ଅମାନିଆ ନିଶ୍ଚିତ ବାହାରିବେ, ଏଥିରେ ଦ୍ୱିମତ ନାହିଁ । ତେବେ କ’ଣ ସେହି ଅଳ୍ପସଂଖ୍ୟକ ଲୋକଙ୍କ ପାଇଁ ସଂକ୍ରମଣ ଏତେମାତ୍ରାରେ ବଢ଼ିଗଲା । ଯଦି ହଁ, ତେବେ କଠୋରରୁ କଠୋରୁ ନିୟମ କରାଯାଉ, ଅମାନିଆଙ୍କୁ ରୋକାଯାଉ । ମୁଖ୍ୟ କଥା ହେଉଛି, କୌଣସି ପରିସ୍ଥିତିରେ ସରକାର ନିଜ ଦୋଷ ମୁଣ୍ଡାଇବାକୁ ରାଜି ନୁହନ୍ତି । ସରକାରଙ୍କ କାର୍ଯ୍ୟଶୈଳୀ ପ୍ରତି ଅଙ୍ଗୁଳି ଉଠାଇବା ଆମର ଉଦ୍ଦେଶ୍ୟ ନୁହେଁ, କୋଭିଡ୍ ପରିଚାଳନାରେ ସାମାନ୍ୟ ତ୍ରୁଟି ଯୋଗୁଁ ଲକ୍ଷ ଲକ୍ଷ ନିରୀହ ଲୋକ ବଳିପଡ଼ିବାକୁ ବାଧ୍ୟ ହେଉଛନ୍ତି ଏକଥା ପ୍ରଶାସନ ବୁଝିବା ଦରକାର ।

Get real time updates directly on you device, subscribe now.