ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଯେତେିକି ପାଖେଇ ଆସୁଛି, ଦେଶରେ ରାଜନୈତିକ ମାହୋଲ ସେତିକି ସରଗରମ୍ ହେବାରେ ଲାଗିଛି । ଏହା ମଧ୍ୟରେ କେନ୍ଦ୍ରରେ କ୍ଷମତାସୀନ ଥିବା ବିଜେପି ତା’ର ସଂଗଠନକୁ ମଜବୁତ କରିବାରେ ଲାଗିପଡ଼ିଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବିଜେପିର ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ନିକଟରେ ୪ଟି ରାଜ୍ୟର ପ୍ରଦେଶ ଅଧ୍ୟକ୍ଷଙ୍କୁ ନୂଆ ନିଯୁକ୍ତି ମିଳିଥିଲା ।
ତେବେ ଆସନ୍ତା ୨୦ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ତା’ ପୂର୍ବରୁ କେନ୍ଦ୍ର କ୍ୟାବିନେଟରେ ପରିବର୍ତ୍ତନ ହୋଇପାରେ । ତେବେ ମୋଦୀଙ୍କ ନୂଆ କ୍ୟାବିନେଟରେ କାହାକୁ ସ୍ଥାନ ମିଳିବ ଆଉ କିଏ ବାଦ୍ ପଡ଼ିବେ? ଆଗକୁ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହି ରାଜ୍ୟମାନଙ୍କର କିଛି ବଡ଼ ନେତାଙ୍କୁ ମନ୍ତ୍ରୀପଦ ମିଳିପାରେ । ଏଥିସହିତ ଦଳର ଭୋଟ ବ୍ୟାଙ୍କରେ ସହାୟକ ହେଉଥିବା ଚେହେରାଙ୍କୁ ମଧ୍ୟ ସୁଯୋଗ ଦିଆଯାଇପାରେ ।
ଓଡ଼ିଶା କଥା ବିଚାର କଲେ ଏଠାରେ ମଧ୍ୟ କିଛି ନେତାଙ୍କୁ ମନ୍ତ୍ରିମଣ୍ଡଳରେ ଓ ସଂଗଠନରେ ଦାୟିତ୍ୱ ମିଳିପାରେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କିଛି ବଡ଼ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ହେଉଛି । ଗତ ୨୦୧୯ ଲୋକସଭା ନିର୍ବାଚନ ସମୟରେ ଦଳ ଓଡ଼ିଶା ଉପରେ ଫୋକସ କରି ଅଧିକ ସିଟ୍ ହାତେଇ ପାରିଥିଲା । ତେଣୁ ୨୦୨୪ରେ ମଧ୍ୟ ଦଳ ପୁରୁଣା ଫର୍ମୂଲା ଆପ୍ଲାଏ କରିପାରେ ।
ବିଶେଷ କରି ଦଳ ପଶ୍ଚିମ ଓଡ଼ିଶାର ନେତାଙ୍କ ଉପରେ ଭରସା କରିପାରେ । କଳାହାଣ୍ଡି, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର ଓ ବଲାଙ୍ଗିର ୫ଟି ସଂସଦୀୟ କ୍ଷେତ୍ର ଏବେ ବିଜେପି ହାତରେ ରହିଥିବା ବେଳେ ଏହି କ୍ଷେତ୍ର ମଧ୍ୟରୁ ଜଣଙ୍କୁ ମନ୍ତ୍ରୀପଦ ମିଳିପାରେ ବୋଲି ରାଜନୈତିକ ବିଶାରଦମାନେ ମତ ଦେଉଛନ୍ତି । ଏଥିସହିତ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ୮ ଜଣ ସାଂସଦଙ୍କ ମଧ୍ୟରୁ ୨ ଜଣ ମହିଳା ସାଂସଦ ରହିଛନ୍ତି । ତେଣୁ ସେମାନଙ୍କ ମଧ୍ୟରୁ ମଧ୍ୟ ଜଣଙ୍କୁ ସ୍ଥାନ ମିଳିପାରେ । କେଉଁ ରଣନୀତି ପ୍ରୟୋଗ କଲେ ଦଳକୁ ଫାଇଦା ମିଳିବ ସେନେଇ କେନ୍ଦ୍ରୀୟ ନେତୃତ୍ୱ ବିଚାର କରିବେ ।