fbpx

ବାଲେଶ୍ୱର ସଂସଦୀୟ କ୍ଷେତ୍ରର ଭୋଟର ସବୁଠାରୁ ଭିନ୍ନ: ପ୍ରତି ଥର ନୂଆ ପ୍ରାର୍ଥୀଙ୍କୁ ଚୟନ କରୁଛନ୍ତି ଜନତା, ୧୫ ବର୍ଷର ଇତିହାସ ବଢ଼ାଉଛି ଚିନ୍ତା

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ନିର୍ବାଚନ ପାଇଁ ସାରା ଦେଶ ରାଜନୀତିମୟ ହୋଇ ଉଠିଛି । ଏହା ମଧ୍ୟରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ଜୁନ ୧ରେ ଅନ୍ତିମ ପର୍ଯ୍ୟାୟ ମତଦାନ ସରିବା ପରେ ୪ରେ ରେଜଲ୍ଟ ପ୍ରକାଶ ପାଇବ । ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଆଦି ଲୋକସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ଟିକେଟ କଟିବା ପରେ ଅନ୍ୟ ଦଳରେ ସାମିଲ ହୋଇଥିବା ନେତା ଓ ସ୍ୱାଧୀନ ଭାବେ ଲଢ଼ୁଥିବା ନେତାମାନେ ପ୍ରମୁଖ ଦଳମାନଙ୍କର ଚିନ୍ତା ବଢ଼ାଇଛନ୍ତି ।

ତେବେ ଏଥର ରାଜ୍ୟର ବାଲେଶ୍ୱର ଲୋକସଭା ଆସନରେ ରୋଚକ ଲଢ଼େଇ ଦେଖିବାକୁ ମିଳିବ । ବିଜେଡିରୁ ଲେଖାଶ୍ରୀ ସାମନ୍ତସିଂହାର, ବିଜେପିରୁ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ କଂଗ୍ରେସରୁ ଶ୍ରୀକାନ୍ତ ଜେନା ମୈଦାନକୁ ଓହ୍ଲାଇଛନ୍ତି । ବିଜେପି ଏହି ଆସନରେ ପ୍ରତାପଙ୍କୁ ରିପିଟ୍ କରିଥିବା ବେଳେ କଂଗ୍ରେସ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତଙ୍କ ପରି ଜଣେ ହେଭିୱେଟଙ୍କୁ ପ୍ରାର୍ଥୀ କରିଛି । ସେହିପରି ବିଜେଡି ଏହି ଆସନରେ ମହିଳା କାର୍ଡ ଖେଳିଛି । ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଲେଖାଶ୍ରୀଙ୍କ ଉପରେ ଏଥର ବିଜେଡି ଭରସା କରିଛି । ଦକ୍ଷତା ଆଧାରରେ ତିନି ନେତା କେହି କାହାଠାରୁ କମ୍ ନୁହନ୍ତି । ତେଣୁ ଏଥର ଜନତା କାହାକୁ ଚୟନ କରିବେ ତାହା ଏବେ ବଡ଼ ପ୍ରଶ୍ନ ।

ବାଲେଶ୍ୱର ସଂସଦୀୟ କ୍ଷେତ୍ର ଅଧିନରେ ଆସୁଥିବା ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ବିଜେଡି ପାଖରେ ୪ଟି, ବିଜେପି ପାଖରେ ୨ଟି ଓ କଂଗ୍ରେସ ପାଖରେ ଗୋଟିଏ ଆସନ ରହିଛି । ଅନ୍ୟପକ୍ଷରେ ଲୋକସଭା ଆସନ ବିଜେପି ପାଖରେ ରହିଛି । ତେଣୁ ବିଧାନସଭା ଆସନ ବିଜୟକୁ ଏଠାରେ ମୁଖ୍ୟ ଆଧାର ଭାବେ ଗ୍ରହଣ କରିହେବ ନାହିଁ । ଗତ ୧୫ ବର୍ଷ ହେଲା ଏହି ଆସନରେ ପ୍ରତ୍ୟେକ ଥର ନୂଆ ଦଳକୁ ଚୟନ କରିଛନ୍ତି ବାଲେଶ୍ୱର ଭୋଟର । ତେଣୁ ଏଥର ମଧ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ଅଧିକ । ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ଏହି ଆସନରେ ଭାଜପା ପ୍ରାର୍ଥୀ ଖାରବେଳ ସ୍ୱାଇଁ ଜିତିଥିଲେ । ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ, ୨୦୧୪ରେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର କୁମାର ଜେନା, ୨୦୧୯ରେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଜିତିଥିଲେ ।

ଗତ ନିର୍ବାଚନରେ ପ୍ରତାପ ଓ ରବୀନ୍ଦ୍ରଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଶେଷରେ ପାଖାପାଖି ୧୩ ହଜାର ଭୋଟରେ ପ୍ରତାପ ବିଜୟୀ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ପାଖପାଖି ୧.୮ ଲକ୍ଷ ଭୋଟ ପାଇଥିଲେ । ମାତ୍ର ୨୦୧୪ରେ ପ୍ରତାପଙ୍କୁ ୪୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ରବୀନ୍ଦ୍ର । ସେହି ଥର ଶ୍ରୀକାନ୍ତ ମଧ୍ୟ କଡ଼ା ଟକ୍କର ଦେଇଥିଲେ । ସମୟ ବଦଳିବା ସହିତ ବାଲେଶ୍ୱର ବାସିନ୍ଦାଙ୍କ ମନ ମଧ୍ୟ ପରିବର୍ତ୍ତନ ହେଉଛି ତାହା ଅତୀତର ଫଳାଫଳରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି । ତେଣୁ ଏଥର କ’ଣ ଘଟିବ ତାହା ଆକଳନ କରିବା ନିହାତି ମୁସ୍କିଲ । ଏଥର ବାଲେଶ୍ୱର ଆସନରେ ତ୍ରିମୁଖୀ ଲଢ଼େଇ ହେବାର ସମ୍ଭାବନା ଅଧିକ । ସେହିପରି ପ୍ରତିଥର ବାଲେଶ୍ୱର ଭୋଟର ନୂଆ ନୂଆ ନେତାଙ୍କୁ ବାଛୁଥିବାରୁ ଏଥର କ’ଣ ଘଟୁଛି ତା’ ଉପରେ ସଭିଙ୍କ ନଜର ରହିଛି ।

Get real time updates directly on you device, subscribe now.