fbpx
BJD
BJD SKY
BJD SKY

୨୦୨୪ ଲଢ଼େଇ: ଏଥର ଢେଙ୍କାନାଳ ଲୋକସଭା ସିଟ୍ କିଏ ହାତେଇବ, ୨୦ ବର୍ଷ ହେଲା ଏହି ଆସନରେ ବିଜେଡି ରହିଛି ଅପରାଜେୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ଦେଶରେ ଲୋକସଭା ନିର୍ବାଚନ ପାଇଁ ସାତ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇସାରିଥିବା ବେଳେ ଆଗକୁ ଆଉ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ତେବେ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରିବା ପରେ ଟିକେଟ କଟିଥିବା କିଛି ନେତା ଦଳ ଛାଡ଼ି ନୂଆ ଏକ ଦଳରେ ସାମିଲ ହେଉଥିବା ଦେଖାଯାଉଛି । ସେହିପରି ଟିକେଟ ପାଇଥିବା ନେତାମାନେ ପ୍ରବଳ ଖରାକୁ ଖାତିର ନକରି ପ୍ରଚାରରେ ଲାଗିପଡ଼ିଛନ୍ତି । ମେ ୧୩, ମେ ୨୦, ମେ ୨୫ ଓ ଜୁନ ୧ରେ ଚାରିଟି ପର୍ଯ୍ୟାୟରେ ଓଡ଼ିଶାରେ ମତଦାନ ଗ୍ରହଣ କରାଯିବ ।

ତେବେ ଏଥର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ରାଜ୍ୟର ଢେଙ୍କାନାଳ ଲୋକସଭା ଆସନ । ଏହି ଆସନରେ ଏଥର ତ୍ରିମୁଖୀ ଲଢ଼େଇ ହେବାର ସମ୍ଭାବନା ରହିଛି । ଏହି ଆସନ ପାଇଁ ଏଥର ବିଜେଡି ନୂଆ ଚେହେରା ଭାବେ ଡାକ୍ତର ଅବିନାଶ ସାମଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ ତାଙ୍କର ଦାଦା ତଥା ବିଧାୟକ ପ୍ରାର୍ଥୀ ସୁଧୀର କୁମାର ସାମଲଙ୍କ ସହଯୋଗରେ ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି । ଅନ୍ୟପକ୍ଷରେ ବିଜେପି ତା’ର ପୁରୁଣା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣିଙ୍କୁ ରଣାଙ୍ଗନରେ ଅବତୀର୍ଣ୍ଣ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନମତ ଓ ନିଜର ଅଭିଜ୍ଞତାକୁ ଆଧାର କରି ରୁଦ୍ର ଏଥର ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛନ୍ତି । ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରାଙ୍କ ଝିଅ ସସ୍ମିତା ବେହେରାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ବାପାଙ୍କର ରାଜନୈତିକ ଅଭିଜ୍ଞତାକୁ ଆଧାର କରି ସସ୍ମିତା ବିଜୟ ପାଇଁ ଆଶାବାଦୀ ରହିଛନ୍ତି ।

ଗତ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ମହେଶ ସାହୁ ୫ ଲକ୍ଷରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ରୁଦ୍ର ୪.୮୭ ଲକ୍ଷରୁ ଅଧିକ ଭୋଟ ପାଇଥିଲେ ଓ କଂଗ୍ରେସ ପ୍ରାର୍ଥୀ କାମାକ୍ଷା ପ୍ରସାଦ ସିଂହ ୮୦ ହଜାରରୁ ଅଧିକ ଭୋଟ ପାଇଥିଲେ । ସେହିପରି ୨୦୧୪ରେ ବିଜେଡି ପ୍ରାର୍ଥୀ ତଥାଗତ ଶତପଥୀ ୪.୫ ଲକ୍ଷରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ରୁଦ୍ର ୩.୧୫ ଲକ୍ଷରୁ ଅଧିକ ଭୋଟ ପାଇଥିଲେ ଓ କଂଗ୍ରେସ ପ୍ରାର୍ଥୀ ସୁଧିର କୁମାର ସାମଲ ୨.୧୩ ଲକ୍ଷରୁ ଅଧିକ ଭୋଟ ପାଇଥିଲେ । ସେହିପରି ୨୦୦୯ ଓ ୨୦୦୪ରେ ବିଜେଡି ପ୍ରାର୍ଥୀ ତଥାଗତ ବିଜୟୀ ହୋଇଥିଲେ । ୨୦୦୪ ମସିହା ପରଠାରୁ ବିଜେଡି ଏହି ଆସନରୁ କ୍ରମାଗତ ଭାବେ ଜିତି ଆସୁଛି । ୧୯୯୯ରେ କଂଗ୍ରେସ ପ୍ରାର୍ଥୀ କାମାକ୍ଷା ପ୍ରସାଦ ବିଜୟୀ ହୋଇଥିବା ବେଳେ ୧୯୯୮ରେ ବିଜେଡି ପ୍ରାର୍ଥୀ ତଥାଗତ ଜିତିଥିଲେ । ୧୯୯୬ ଓ ୧୯୯୧ରେ କଂଗ୍ରେସ ପ୍ରାର୍ଥୀ କାମାକ୍ଷା ପ୍ରସାଦ ବିଜୟୀ ହୋଇଥିଲେ ।

Get real time updates directly on you device, subscribe now.