ଅମର ଶତପଥୀଙ୍କୁ ଦଳର ମୁଖପାତ୍ର ବାହାରର ରାସ୍ତା ଦେଖାଇବା ପ୍ରସଙ୍ଗରେ ଭିନ୍ନ ମତ

ଭୁବନେଶ୍ୱର: ନା ଏବେ ଅଛି କୌଣସି ନିର୍ବାଚନ, ନାହିଁ ଶାସକ ବିରୋଧୀ ମଧ୍ୟରେ ଟକ୍କରା ଟକ୍କରୀ ସ୍ଥିତି । ହେଲେ ରାଜ୍ୟ ରାଜନୀତିରେ ଭରିଛି ତାତି । ଗାଁଠୁ ସହର, ସବୁଠି ରାଜନୀତି ଚର୍ଚ୍ଚା । ସବୁଠି ଗୋଟିଏ ବିଷୟ, ବିଜେଡି କଳି । ଦଳର ଜଣେ ପ୍ରତିଷ୍ଠାତା ସଦସ୍ୟଙ୍କୁ ଦଳ ଛାଡିବାକୁ କହିବା, ତାହା ପୁଣି ଜଣେ କନିଷ୍ଠ କହିବା, ଏହାକୁ ଗ୍ରହଣ କରିପାରୁନାହାନ୍ତି ରାଜନୀତିରେ ରୁଚି ରଖୁଥିବା ଲୋକେ । ଏହାକୁ ନେଇ ବିଭିନ୍ନ ମହଲରୁ ଆସୁଛି ଭିନ୍ନ ମତ।

ଅମର ଶତପଥୀଙ୍କୁ ଦଳର ମୁଖପାତ୍ର ବାହାରର ରାସ୍ତା ଦେଖାଇବାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ନେତୃତ୍ୱ ଉପରେ ଉଠିଲାଣି ପ୍ରଶ୍ନବାଚୀ । ନବୀନଙ୍କ ହାତରୁ ଦଳର ଲଗାମ ଖସିଯାଇଥିବା ଲୋକେ କୁହାକୁହି ହେଉଛନ୍ତି । କାରଣ ୨୪ ବର୍ଷ ଧରି ନବୀନଙ୍କ ଶାସନକୁ ସାଧାରଣ ଜନତା ଦେଖିଥିଲା । ବିରୋଧୀ ଯେତେ ଗର୍ଜନ, ତର୍ଜନ କରୁ, ଯେତେ କୁତ୍ସା ରଟନା କରୁ, ସେସବୁକୁ ନଥିଲା ନବୀନଙ୍କ ନିଘା । ନା ନିଜେ କୌଣସି ଖରାପ ବ୍ୟବହାର ବା ଶବ୍ଦ କହୁଥିଲେ, ନାହିଁ ନିଜ ଦଳର ଅନ୍ୟମାନଙ୍କୁ କହିବାକୁ ଦେଉଥିଲେ । ହେଲେ ଏବେ ଲେନିନ ଅମରଙ୍କୁ ଦଳ ଛାଡି ଖୋଲାରେ ନିଶ୍ୱାସ ନେବାକୁ କହିବା ପଛର ରହସ୍ୟକୁ ନେଇ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି ।
ଲୋକେ କହୁଛନ୍ତି, ଏତେ ବଡ କଥା ଲେନିନ କହିିଥିଲେ ସତ, କିନ୍ତୁ ତାହା ଥିଲା ନବୀନଙ୍କ ଉତ୍ତରାଧିକାରୀ ତଥା ମାନସ ସନ୍ତାନ ପାଣ୍ଡିଆନଙ୍କର । ପାଣ୍ଡିଆନ ସନ୍ୟାସ ନେବା କଥା ରାଜ୍ୟବାସୀଙ୍କ ଆଗରେ ବଡ ଦାଣ୍ଠରେ ଘୋଷଣା କରିଛନ୍ତି । ତେଣୁ ସେ ସର୍ବ ସମ୍ମୁଖକୁ ଆସି ଅମରଙ୍କୁ ଏମିତି କଥା କହି ପାରିବେ ନାହିଁ । ଏମିତି କଲେ ରାଜ୍ୟବାସୀ ନୁହଁନ୍ତି, ଦଳର ଅସନ୍ତୁଷ୍ଟଙ୍କୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇଯିବ ତାଙ୍କ ପାଇଁ । ତେଣୁ ନବୀନ ନିବାସରେ ରହି ସେ ତାଙ୍କ କଥା ଲେନିନଙ୍କ ମାଧ୍ୟମରେ କହିଛନ୍ତି । ଏମିତି ନ ହୋଇଥିଲେ, ଲେନିନଙ୍କୁ ନବୀନ କଦାପି କ୍ଷମା ଦେଇନଥାନ୍ତେ ବୋଲି ଲୋକଙ୍କ ମତ ଆସୁଛି ।

ତେବେ ରାଜନୈତିକ ବିଶାରଦଙ୍କ ମତ, ଦଳର ଆଭ୍ୟନ୍ତରୀଣ ବ୍ୟାପାର ହେଉ ଅବା ସରକାର ସମ୍ବନ୍ଧରେ, ଅଥବା ଦଳ ସହ ଜଡିତ ଅନ୍ୟ କୌଣସି ଘଟଣା, ଯଦି କେହି ମନମୁଖୀ କରିଛି, ତା ବିରୋଧରେ ନବୀନ ଯେଥୋଚିତ ପଦକ୍ଷେପ ନେଇଛନ୍ତି । କିନ୍ତୁ ଏହି କ୍ଷେତ୍ରରେ ନବୀନ ମଧ୍ୟ ନିରବ । ଏଥିରୁ ବିଶାରଦ ଆକଳନ କରୁଛନ୍ତି କି, ପାଣ୍ଡିଆନଙ୍କ ପାଇଁ ଦଳ ଭିତରରେ ଥିବା ଅସନ୍ତୋଷ ଦମନଲୀଳା ଆରମ୍ଭ ହୋଇଛି ।

ପାଣ୍ଡିଆନ ଯେ କ୍ଷମତା ପାଇଁ ହାଇଁପାଇଁ ହେଉଥିଲେ, ଏହା ନିର୍ବାଚନ କାଳରେ ନେତାଙ୍କଠାରୁ ଜନତା ସମସ୍ତେ ଦେଖିଥିଲେ । ଦଳର ବିଧାୟକ, ଲୋକସଭା ସାଂସଦ ପ୍ରାର୍ଥୀଙ୍କୁ ମଞ୍ଚ ତଳେ ବା କଡରେ ଯୋଡ ହସ୍ତ ଠିଆ କରେଇ ଏକାକୀ ପ୍ରଚାର କରି ନିଜ ସଂକୀର୍ଣ୍ଣ ରାଜନୈତିକ ମହତ୍ୱାକାଂକ୍ଷାକୁ ଦର୍ଶାଇଥିଲେ ପାଣ୍ଡିଆନ । ଯାହାକୁ ସ୍ୱାଭିମାନୀ ଓଡିଆ ଗ୍ରହଣ କରି ପାରିନଥିଲା । ଠିକଣା ଯାଗା ମୁଣ୍ଡରେ ଉଚିତ ଜବାବ ଦେଲେ ।

ଦଳର ପରାଜୟ ପାଇଁ ଯେତେବେଳେ ଦଳୀୟ ନେତାଙ୍କଠାରୁ ଆରମ୍ଭ କରି ଜନତା ପାଣ୍ଡିଆନଙ୍କୁ ଦୋଷ ଦେଲେ, ନବୀନ ବାହାରି ଆସି ପାଣ୍ଡିଆନଙ୍କ ପାଇଁ ଓକିଲାତି କଲେ । ଓଡିଶା ବିକାଶର ବିନ୍ଧାଣୀ ଭାବେ ପାଣ୍ଡିଆନଙ୍କୁ ଦର୍ଶାଇଲେ ନବୀନ । ଯାହାକୁ ଦେଖି ଦଳୀୟ ନେତା ଓ କର୍ମକର୍ତ୍ତା ନିରବ ରହିବାକୁ ବାଧ୍ୟ ହୋଇଥିଲେ । ହେଲେ କେତେକାଳ ନିଜ ଅସନ୍ତୋଷ ଚାପି ରଖିବେ । ତେଣୁ ବିଦ୍ରୋହର ଚିଙ୍ଗାରି ନିଆଁ ଧରିବା ଆରମ୍ଭ କରୁଛି ।

ସମାନ ଅବସ୍ଥା ମଧ୍ୟ ପାଣ୍ଡିଆନଙ୍କର । ଏମିତି କେତେ କାଳ ଆତ୍ମଗୋପନ କରିବେ ନିଜକୁ । ଏବେଠାରୁ ମୈଦାନକୁ ଆସି ବିରୋଧୀ ଦଳର ସେନାପତିର ଭାର କାନ୍ଧକୁ ନେବାକୁ ହେବ । ମିଡିଆରେ ସରକାରକୁ ଘେରିବାକୁ ହେବ । ଲୋକଙ୍କ ଦରଦୀ ବନ୍ଧୁ ଭାବେ ନିଜକୁ ଉପସ୍ଥାପନ କରିବାକୁ ପଡିବ । ତେଣୁ ତାଙ୍କୁ ବାହାରକୁ ଆସିବାକୁ ହେବ । ହେଲେ ଦଳରେ ତାଙ୍କୁ ବିରୋଧ କରୁଥିବା ଅମରଙ୍କ ପରି କିଛି ନେତାଙ୍କୁ ସାମ୍ନା କରିବା ପାଣ୍ଡିଆନ ଓ ନବୀନଙ୍କ ପାଇଁ ଅସମ୍ଭବ । ଏମିତି କଲେ ଦଳ ଛିନଛତ୍ର ହେଇଯିବ । ତେଣୁ ଉଭୟ ଧର୍ମର ବାପା ଓ ପୁଅ ଘରେ ଥିବା ଏମିତି ଅଳିଆମାନଙ୍କୁ ସଫା କରିବା ଆରମ୍ଭ କରିଛନ୍ତି ବୋଲି ବିଶେଷଜ୍ଞ କହୁଛନ୍ତା

ଏପରି କରିବା ଦ୍ୱାରା ନେତାଙ୍କ ଭିତରେ କମୁଥିବା ଭୟ ପୁଣି ବଳବତ୍ତର ହେବ । ବିଜେଡିକୁ ଯିଏ ଆଶ୍ରା କରି ପଡି ରହିବାକୁ ଚାହିଁବେ, ସେମାନେ ପୂର୍ବପରି ମୁହଁରେ ବିଣ୍ଡା ଦେଇ ରହିବାକୁ ବାଧ୍ୟହେବେ । ଯାହା ପାଣ୍ଡିଆନଙ୍କ ନେତୃତ୍ୱ ପାଇଁ ଶୁଭଙ୍କର ହେବ । ତେଣୁ ପାଣ୍ଡିଆନଙ୍କ ଗୋଟିଚାଳନାରେ, ନବୀନ ସନମତ ବୋଲି ରାଜନୈତିକ ବିଶେଷଜ୍ଞ କହୁଛନ୍ତି ।

 

Get real time updates directly on you device, subscribe now.