fbpx

ରାକ୍ଷୀରେ କାହିଁକି ପକାଯାଏ ୩ଟି ଗଣ୍ଠି? ତ୍ରିଦେବଙ୍କ ସହ ରହିଛି ସମ୍ପର୍କ… ଜାଣନ୍ତୁ ରକ୍ଷାବନ୍ଧନର ରହସ୍ୟ

ଓଡ଼ିଶା ଭାସ୍କର: ରକ୍ଷାବନ୍ଧନ ହେଉଛି ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ପବିତ୍ର ସମ୍ପର୍କର ସବୁଠାରୁ ବଡ ପର୍ବ । ଏହି ଦିନ ଭଉଣୀମାନେ ନିଜ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କର ସୁଖମୟ ଜୀବନ କାମନା କରନ୍ତି । ଭାଇ ତାଙ୍କ ଭଉଣୀକୁ ତାଙ୍କ ଜୀବନ ରକ୍ଷା କରିବାକୁ ପ୍ରତିଜ୍ଞା କରନ୍ତି । ଏହା ପ୍ରତିବର୍ଷ ଶ୍ରାବଣ ମାସର ଶୁକ୍ଲ ପକ୍ଷର ପୂର୍ଣ୍ଣିମା ଦିନ ପାଳନ କରାଯାଏ । କିନ୍ତୁ ଏଥର ରାକ୍ଷୀ ପୂର୍ଣ୍ଣମୀରେ ଅମଙ୍ଗଳ ରୂପୀ ଭଦ୍ରାଙ୍କ ଛାୟା ରହିବ । ଏହାଫଳରେ ଭାଇଙ୍କୁ ରାକ୍ଷୀ ବାନ୍ଧିବାର ଶୁଭ ମୁହୂର୍ତ୍ତକୁ ନେଇ ଲୋକଙ୍କ ମନରେ ଅନେକ ଆଶଙ୍କା ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ମୁହୂର୍ତ୍ତରେ ରାକ୍ଷୀ ବାନ୍ଧିବା ଉଚିତ୍ । ତେବେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବା ବେଳେ ରାକ୍ଷୀରେ ୩ଟି ଗଣ୍ଠି ପକାଯାଏ । ରାକ୍ଷୀରେ ପଡ଼ୁଥିବା ଏହି ୩ଟି ଗଣ୍ଠି ଏବଂ ତ୍ରିଦେବଙ୍କ ସହ ଏକ ସମ୍ପର୍କ ରହିଛି । ତେବେ ଆପଣ ଜାଣିଛନ୍ତି କି ଏହି ୩ଟି ଗଣ୍ଠିର ମହତ୍ତ୍ୱ? ଆସନ୍ତୁ ଜାଣିବା…

ରାକ୍ଷୀରେ ତିନୋଟି ଗଣ୍ଠି ବାନ୍ଧିବାର ମହତ୍ତ୍ୱ:

ରକ୍ଷାବନ୍ଧନ ଦିନ ଯେତେବେଳେ ଭଉଣୀ ତାଙ୍କ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିଥାଏ, ସେତେବେଳେ ସେ ରକ୍ଷା ସୂତ୍ର ଉପରେ ତିନୋଟି ଗଣ୍ଠି କରନ୍ତି ।ଧାର୍ମିକ ବିଶ୍ୱାସ ଅନୁଯାୟୀ, ରାକ୍ଷୀ ବାନ୍ଧିବାବେଳେ ତିନୋଟି ଗଣ୍ଠି ବାନ୍ଧିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । କାରଣ ତିନୋଟି ଗଣ୍ଠି ତ୍ରିଦେବ ଯଥା ବ୍ରହ୍ମା, ବିଷ୍ଣୁ ଏବଂ ମହେଶ ସହିତ ଜଡିତ ।

ରାକ୍ଷୀର ପ୍ରଥମ ଗଣ୍ଠି: ରାକ୍ଷୀର ପ୍ରଥମ ଗଣ୍ଠି ଭାଇଙ୍କ ଜୀବନ ପାଇଁ ବନ୍ଧାଯାଏ । କୁହାଯାଏ ଭାଇଙ୍କ ଆୟୁ ଲମ୍ବା ହୋଇଥାଏ ।

ରାକ୍ଷୀର ଦ୍ୱିତୀୟ ଗଣ୍ଠି: ରାକ୍ଷୀର ଦ୍ୱିତୀୟ ଗଣ୍ଠି ଭଉଣୀର ଦୀର୍ଘ ଜୀବନ ପାଇଁ ବିବେଚନା କରାଯାଏ । ଏହା ଏକ ବିଶ୍ୱାସ ଯେ, ଯେତେବେଳେ ଭଉଣୀମାନେ ଭାଇକୁ ରାକ୍ଷୀ ବାନ୍ଧନ୍ତି, ସେତେବେଳେ ରାକ୍ଷୀର ଦ୍ୱିତୀୟ ଗଣ୍ଠି ନିଜ ବୟସ ପାଇଁ ବିବେଚନା କରାଯାଏ । ଏହା ସହିତ ତ୍ରିଦେବଙ୍କ କୃପା ମଧ୍ୟ ମିଳିଥାଏ ।

ରାକ୍ଷୀର ତୃତୀୟ ଗଣ୍ଠି: ରାକ୍ଷୀର ତୃତୀୟ ଗଣ୍ଠି ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ମଧୁରତା ଏବଂ ସୁରକ୍ଷା ଆଣିବ ବୋଲି ବିଶ୍ୱାସ କରାଯାଏ । ଏହା ଉଭୟଙ୍କ ପବିତ୍ର ସମ୍ପର୍କକୁ ମଜଭୁତ୍ ରଖେ ।

ଶ୍ରାବଣ ପୂର୍ଣ୍ଣିମା ଅଗଷ୍ଟ ୧୯ ବିଳମ୍ବିତ ରାତି ୦୩.୦୪ ସମୟରୁ ଆରମ୍ଭ ହେବ । ଏହା ଅଗଷ୍ଟ ୧୯ ତାରିଖ ରାତି ୧୧.୫୫ ସମୟରେ ପୂର୍ଣ୍ଣିମା ତିଥି ସମାପନ ହେବ । ତେଣୁ ଉଦୟା ତିଥି ଅଧାରରେ ରକ୍ଷା ବନ୍ଧନ ଅଗଷ୍ଟ ୧୯ ତାରିଖ ସୋମବାର ହିଁ ପାଳନ କରାଯିବ । ରକ୍ଷାବନ୍ଧନ ଉପରେ ଭଦ୍ରାକାଳ ଅଗଷ୍ଟ ୧୯ ତାରିଖ ରାତି ୦୨.୨୧ରୁ ମଧ୍ୟାହ୍ନ ୦୧.୩୦ ପର୍ଯ୍ୟନ୍ତ ରହିବ । ରକ୍ଷାବନ୍ଧନରେ ସକାଳ ୦୯.୫୧ରୁ ୧୦.୫୩ ପର୍ଯ୍ୟନ୍ତ ଭଦ୍ରା ଲାଞ୍ଜ ରହିବ । ଏହାପରେ ୧୦.୫୩ରୁ ୧୨.୩୭ ପର୍ଯ୍ୟନ୍ତ ଭଦ୍ରାଙ୍କ ମୁଖ ରହିବ । ମଧ୍ୟାହ୍ନ ୦୧.୩୦ ସମୟରେ ଭଦ୍ରାକାଳ ସମାପ୍ତ ହେବ । ତେବେ ରକ୍ଷାବନ୍ଧନ ଉପରେ ଏହି ଭଦ୍ରାକାଳର କୌଣସି ପ୍ରଭାବ ପଡ଼ିବ ନାହିଁ । ଚନ୍ଦ୍ରମା ମକର ରାଶିରେ ଥିବାରୁ ଭଦ୍ରାଙ୍କ ନିବାସ ପାତାଳ ଲୋକରେ ରହିବ । ତେଣୁ ପୃଥିବୀରେ ହେବାକୁ ଥିବା ଶୁଭକାର୍ଯ୍ୟରେ ବାଧା ସୃଷ୍ଟି ହେବନାହିଁ । ଅର୍ଥାତ୍ ରକ୍ଷାବନ୍ଧନରେ ଆପଣ ଯେକୌଣସି ସମୟରେ ଭାଙ୍କ ହାତରେ ରାକ୍ଷୀ ବାନ୍ଧିପାରିବେ ।

Get real time updates directly on you device, subscribe now.