fbpx
BSKY
BJD MC SKY
BJD YOUTH SKY

୩ଟି ରାଜ୍ୟରେ କାହିଁକି ହାରିଲା କଂଗ୍ରେସ? କାରଣ କହିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…

କୋଲକାତା: ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଭଳି ରାଜ୍ୟରେ ବିଜେପି ସରକାର ଗଢିବାକୁ ଯାଉଥିବା ବେଳେ ତେଲେଙ୍ଗାନାରେ ବିଆରଏସକୁ ହରାଇ ସରକାରକୁ ଆସିଛି କଂଗ୍ରେସ। ତେବେ ୩ ପ୍ରମୁଖ ରାଜ୍ୟରେ ବିଜେପିର ବିଜୟ ଓ କଂଗ୍ରେସର ପରାଜୟକୁ ନେଇ ବୟାନ ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ। ଆଜି ପଶ୍ଚିମବଙ୍ଗ ବିଧାନସଭାକୁ ସମ୍ବୋଧିତ କରିବାବେଳେ ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି ଯେ, ଏହା କଂଗ୍ରେସର ପରାଜୟ, ଲୋକଙ୍କର ନୁହେଁ। ସେ ଆହୁରି ମଧ୍ୟ କହିଛନ୍ତି, ସହଯୋଗୀ “ଇଣ୍ଡିଆ” ସଦସ୍ୟମାନଙ୍କ ସହ ଆସନ ବାଣ୍ଟିବାର ବ୍ୟବସ୍ଥା ନ ଥିବାରୁ କଂଗ୍ରେସ ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ​​ହାରିଛି। କଂଗ୍ରେସ ତେଲେଙ୍ଗାନା ଜିତିଛି। ସେ ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନ ଜିତି ପାରିଥାନ୍ତେ। ବିରୋଧୀ ସହଯୋଗୀ ଦଳ “ଇଣ୍ଡିଆ” ପକ୍ଷରୁ କିଛି ଭୋଟ୍ ଦିଆଯାଇଥିଲା। ଏହା ସତ୍ୟ। ଅନ୍ୟପଟେ ଆମେ ଏକ ସିଟ୍ ବଣ୍ଟନ ବ୍ୟବସ୍ଥା ପାଇଁ ପରାମର୍ଶ ମଧ୍ୟ ଦେଇଥିଲୁ। ହେଲେ ଭୋଟ୍ ବିଭାଜନ ହେତୁ କଂଗ୍ରେସ ହାରିଗଲା।

ଅନ୍ୟପଟେ ମମତା ବାନାର୍ଜୀ କହିଛନ୍ତି ଯେ, ଆଦର୍ଶ ସହିତ ଆପଣଙ୍କୁ ମଧ୍ୟ ରଣନୀତି ଆବଶ୍ୟକ। ଯଦି ଆସନ ବଣ୍ଟନ ବ୍ୟବସ୍ଥା କରାଯାଏ, ତେବେ ୨୦୨୪ ରେ ବିଜେପି କ୍ଷମତାକୁ ଆସିବ ନାହିଁ। ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳର ମିଳିତ ମଞ୍ଚ ମିଳିତ ଭାବେ କାର୍ୟ୍ୟ କରିବ ଏବଂ ଭୁଲଗୁଡ଼ିକୁ ସଂଶୋଧନ କରିବ ବୋଲି ସେ କହିଛନ୍ତି। ‘ଆମେ ଭୁଲରୁ ଶିଖିବା’ ବୋଲି ମମତା ବାନାର୍ଜୀ କହିଛନ୍ତି।

ସୂଚନା ଥାଉକି, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମ ଭଳି ୫ଟି ରାଜ୍ୟରେ ନିର୍ବାଚନ ହୋଇଥିବା ବେଳେ ଗତକାଲି ୪ ରାଜ୍ୟର ଫଳାଫଳ ଘୋଷଣା ହୋଇଥିଲା। ୪ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ବଡ଼ ବ୍ୟବଧାନରେ ହରାଇ ବିଜେପି ୩ଟି ରାଜ୍ୟ ନିଜ କ୍ଷମତାକୁ ନେଇଛି। ସେପଟେ ବାକି ଥିବା ଆଉ ଗୋଟିଏ ରାଜ୍ୟ ମିଜୋରାମର ଫଳାଫଳ ଆଜି ପ୍ରକାଶ ପାଇଛି। ମିଜୋରାମରେ ଆଞ୍ଚଳିକ ଦଳ ଜେଡ.ପି.ଏମ ଉଭୟ ବିଜେପି ଓ କଂଗ୍ରେସ ଠାରୁ ଢେର ଆଗରେ ରହି ସରକାର ଗଠନ କରିଛି। ତେବେ ଗତକାଲି ୩ ରାଜ୍ୟର ବିଜୟ ପରେ ବର୍ତ୍ତମାନ ବିଜେପି ୧୨ ଟି ରାଜ୍ୟରେ କ୍ଷମତାରେ ରହିଛି। ଅପରପକ୍ଷେ କଂଗ୍ରେସ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ହାରିବା ପରେ ମାତ୍ର ୩ଟି ରାଜ୍ୟରେ କ୍ଷମତାକୁ ଫେରିଛି। କର୍ଣ୍ଣାଟକ, ହିମାଚଳ ପ୍ରଦେଶ ଏବଂ ତେଲେଙ୍ଗାନାରେ କଂଗ୍ରେସର କ୍ଷମତା ବଜାୟ ରହିଛି। ତେବେ ବିଜେପିକୁ କ୍ଷମତାରୁ ହଟାଇବାକୁ ରଣନୀତି ପ୍ରସ୍ତୁତ କରୁଥିବା ବିରୋଧୀ ମେଣ୍ଟ ଦଳ “ଇଣ୍ଡିଆ”ର ବୁଦ୍ଧି ଶେଷରେ ଫେଲ ମାରିଛି। ୫ଟି ରାଜ୍ୟ ବିଧାନସଭା ନିର୍ବାଚନରେ ସିଟ୍ ବଣ୍ଟନ ସମସ୍ୟାକୁ ନେଇ ଇଣ୍ଡିଆ ମେଣ୍ଟ ଫଳପ୍ରଦ ହୋଇପାରି ନାହିଁ। ଯାହାର ଫାଇଦା ବିପକ୍ଷ ବିଜେପି ଉଠାଇଥିବା ଦେଖିବାକୁ ମିଳିଛି।

Get real time updates directly on you device, subscribe now.