fbpx

ମୋଦୀଙ୍କ ଆମେରିକା ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ, ଭାରତକୁ QUAD ସମିଟରୁ କ’ଣ ଫାଇଦା ହେବ ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ସେପ୍ଟେମ୍ବର ୨୧ରୁ ୨୩ ପର୍ଯ୍ୟନ୍ତ ୩ ଦିନ ପାଇଁ ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତକୁ ଯାଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ୱିଲମିଙ୍ଗଟନରେ ଆୟୋଜିତ ୬ଷ୍ଠ QUAD ଶିଖର ସମ୍ମିଳନୀରେ ସାମିଲ ହେବେ ମୋଦୀ । ଗସ୍ତ ସମୟରେ କ୍ୱାଡ୍ ଲିଡର୍ସ ସମିଟ୍‌, ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ଏବଂ ଜାତିସଂଘର ‘ସମିଟ୍ ଅଫ୍ ଦି ଫ୍ୟୁଚର’ରେ ସାମିଲ ହେବେ । ଏହା ସହ ପ୍ରବାସୀ ଭାରତୀୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

QUAD ଶିଖର ସମ୍ମିଳନୀ ୨୦୨୪ ପ୍ରଥମେ ଭାରତରେ ଆୟୋଜିତ ହେବାକୁ ଥିଲା କିନ୍ତୁ ଆମେରିକାର ଅନୁରୋଧ କ୍ରମେ ଏହାକୁ ୨୦୨୫କୁ ସ୍ଥଗିତ କରାଯାଇଛି । ୨୦୨୧ ମାର୍ଚ୍ଚ ୧୨ରେ ପ୍ରଥମ ଲିଡର୍ସ ମିଟିଂ ଆଭାସୀ ମାଧ୍ୟମରେ ହୋଇଥିଲା । ଏଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ୍ ଏବଂ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଡେ ସୁଗା ସାମିଲ ହୋଇଥିଲେ । ଦ୍ୱିତୀୟ ଲିଡର୍ସ ମିଟିଂ ୨୦୨୧ ସେପ୍ଟେମ୍ବର ୨୪ରେ ଆମେରିକାର ୱାଶିଂଟନ୍ ଡିସିରେ ଆୟୋଜିତ ହୋଇଥିଲା । ଏଥିରେ ମଧ୍ୟ ୪ ଜଣ ଲିଡର ସାମିଲ ଥିଲେ । ୨୦୨୨ ମାର୍ଚ୍ଚ ୩ରେ ଆଭାସୀ ମାଧ୍ୟମରେ ୩ୟ, ୨୦୨୨ ମେ ୨୪ରେ ଜାପାନ ରାଜଧାନୀ ଟୋକିଓରେ ୪ର୍ଥ, ୨୦୨୩ ମେ ୨୦ରେ ଜାପାନରେ ୫ମ ମିଟିଂ ହୋଇଥିଲା । କ୍ୱାଡ୍ ଶବ୍ଦ ହେଉଛି QUADRILATERAL (ଚତୁର୍ଭୂଜ) ଶବ୍ଦର ସଂକ୍ଷିପ୍ତ ନାମ । ଏଥିରେ ୪ଟି ଦେଶ ଅନ୍ତର୍ଭୂକ୍ତ ଯଥା ଭାରତ, ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ୍ । Quadrilateral Security Dialogueରେ ଏହି ୪ଟି ଦେଶ ସାମିଲ ଅଛନ୍ତି । ୨୦୦୭ ମସିହାରେ ଏହାର ଗଠନ ହୋଇଥିଲା । ପରେ ଆଷ୍ଟ୍ରଲିଆ କ୍ୱାଡରୁ ବାହାରିଯିବା ପରେ ଏହା କାର୍ଯ୍ୟକାରୀ ହୋଇପାରି ନଥିଲା । ୨୦୨୧୭ରେ ଏହା ପୁନଃ ସକ୍ରିୟ ହୋଇଥିଲା । QUAD ରଣନୈତିକ ଭାବେ ଚୀନର ଆର୍ଥିକ ଏବଂ ସୈନ୍ୟ ବୃଦ୍ଧିକୁ କାଉଣ୍ଟର କରିଥାଏ । ଏକ୍ସପର୍ଟର୍ଙ୍କ ଅନୁଯାୟୀ ଆନ୍ତର୍ଜାତୀୟ ମାମଲାରେ ଚୀନ-ଭାରତ ମଧ୍ୟରେ ଦୀର୍ଘ ସମୟ ଧରି ସୀମା ବିବାଦ ଲାଗି ରହିଆସିଛି । ଏଭଳି ସ୍ଥିତିରେ ସୀମାରେ ଆକ୍ରମଣ ବୃଦ୍ଧି ପାଇଲେ କ୍ୱାଡ ଦେଶର ସାହାଯ୍ୟ ନେଇ ଭାରତ ଚୀନର ଚାଲ ଉପରେ ଅଙ୍କୁଶ ଲଗାଇପାରେ ।

ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତର ସିଡ୍ୟୁଲ

ସେପ୍ଟେମ୍ବର ୨୧ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ଏବଂ କ୍ୱାଡ୍ ସମ୍ମିଳନୀରେ ସାମିଲ ହେବା ପରେ ନ୍ୟୁୟର୍କ ଗସ୍ତ କରିବେ । ସେପ୍ଟେମ୍ବର ୨୨ରେ ନାସାଉ କଲେଜିୟମରେ ମିଟିଂ, ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ ଏବଂ ଶୀର୍ଷ ଆମେରିକୀୟ ସିଇଓଙ୍କୁ ଭେଟିବେ । ସେପ୍ଟେମ୍ବର ୨୩ରେ ସମିଟ୍ ଅଫ୍ ଦି ଫ୍ୟୁଚରରେ ସାମିଲ ହେବେ ଏବଂ ଭାରତ ପାଇଁ ପ୍ରସ୍ଥାନ କରିବେ ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଏବଂ ଭାରତକୁ କ୍ୱାଡ୍ ସମିଟରୁ କ’ଣ ଫାଇଦା ହେବ ?

– ରୁଷ-ୟୁକ୍ରେନ୍ ଯୁଦ୍ଧର ଅନ୍ତ ଘଟାଇ ଶାନ୍ତି ସ୍ଥାପନା କରିବା ଦିଗରେ କ୍ୱାଡ୍ ସମିଟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ ।

– AI, କ୍ୱାଣ୍ଟମ୍ କମ୍ପ୍ୟୁଟିଂ, ସେମିକଣ୍ଡକ୍ଟର ଏବଂ ବାୟୋଟେକ୍ନୋଲୋଜି ଭଳି ଅତ୍ୟାଧୁନିକ କ୍ଷେତ୍ରରେ ଭାରତ- ଆମେରିକା ମଧ୍ୟରେ ସହଯୋଗୀତାକୁ ପ୍ରୋତ୍ସାହିତ କରିବା ଦିଗରେ ପ୍ରମୁଖ ଆମେରିକୀୟ କମ୍ପାନୀ ସିଇଓଙ୍କ ସହ ବାର୍ତ୍ତାଳାପ ।
– ଚୀନ୍ ଉପରେ ଆର୍ଥିକ ନିର୍ଭରଶୀଳତା ହ୍ରାସ ହେବ ।

– ଭାରତର ଆର୍ଥିକ ସ୍ଥିରତା ବୃଦ୍ଧି ଏବଂ ଏହାର ଶିଳ୍ପକୁ ସମର୍ଥନ କରିବା ପାଇଁ କ୍ୱାଡ୍ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ।

– ଭାରତର ଦକ୍ଷିଣ ପୂର୍ବ ଏସୀୟ ଦେଶ ଏବଂ ଆଞ୍ଚଳିକ ଭାଗିଦାରୀକୁ ପ୍ରଭାବଶାଳୀ କରିବା ।

Get real time updates directly on you device, subscribe now.