୫ ବର୍ଷ ପରେ କାହିଁକି ଚାଇନାକୁ କୋଭିଡ ଡାଟା ମାଗୁଛି WHO?

୫ ବର୍ଷ ହେଲା କୋଭିଡ ମହାମାରୀ ତଥ୍ୟ ଲୁଚାଇଥିଲା ଚୀନ୍। ଏବେ ସବୁ ଡାଟା ମାଗୁଛି WHO।

ନୂଆଦିଲ୍ଲୀ: ୫ ବର୍ଷ ତଳେ ଚୀନ୍ର ଉହାନ ସହରରୁ କୋଭିଡ୍ ମହାମାରୀ ସମଗ୍ର ବିଶ୍ୱରେ ବ୍ୟାପିଥିଲା। କିନ୍ତୁ ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଚୀନ୍କୁ କୋଭିଡ୍ ମହାମାରୀର ଉତ୍ପତ୍ତି ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରିଛି।

କୋଭିଡ୍ ମହାମାରୀର ପାଞ୍ଚ ବର୍ଷ ପୂର୍ତ୍ତି ଅବସରରେ ଏକ ବିବୃତିରେ ଡବ୍ଲ୍ୟୁଏଚ୍ଓ କହିଛି, ଏହା ଏକ ନୈତିକ ଏବଂ ବୈଜ୍ଞାନିକ ଆବଶ୍ୟକତା।

ସ୍ୱଚ୍ଛତା, ଭାଗିଦାରୀ ଏବଂ ଦେଶମାନଙ୍କ ମଧ୍ୟରେ ସହଯୋଗ ବିନା ବିଶ୍ୱ ଭବିଷ୍ୟତର ମହାମାରୀ ଏବଂ ସଂକ୍ରମଣକୁ ରୋକିବା ଏବଂ ପ୍ରସ୍ତୁତ କରିବାରେ ସକ୍ଷମ ହୋଇପାରିବ ନାହିଁ ବୋଲି WHO କହିଛି।

ପଶୁଙ୍କଠାରୁ ମଣିଷକୁ ବ୍ୟାପିଥିଲା: ଅନେକ ବୈଜ୍ଞାନିକ ବିଶ୍ୱାସ କରନ୍ତି ଯେ ଏହି ଭୂତାଣୁ ପଶୁଙ୍କଠାରୁ ମଣିଷକୁ ବ୍ୟାପିଥିଲା, କିନ୍ତୁ କିଛି ଲୋକ ଏବେ ବି ସନ୍ଦେହ କରୁଛନ୍ତି ଯେ ଏହା ଉହାନର ଏକ ପରୀକ୍ଷାଗାରରୁ ଉତ୍ପନ୍ନ ହୋଇଥିଲା।

ତେବେ ସୋମବାର ଡବ୍ଲ୍ୟୁଏଚ୍ଓ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିଉପରେ ଚୀନ୍ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ।

ସେପ୍ଟେମ୍ବର ରେ ବୈଜ୍ଞାନିକଙ୍କ ଏକ ଦଳ କହିଥିଲେ ଯେ ଏହା ସ୍ପଷ୍ଟ ଯେ କୋଭିଡ୍ ମହାମାରୀ ପରୀକ୍ଷାଗାରରୁ ନୁହେଁ ବରଂ ବଜାରରେ ବିକ୍ରି ହେଉଥିବା ସଂକ୍ରମିତ ପଶୁମାନଙ୍କ ଠାରୁ ଆରମ୍ଭ ହୋଇଥିଲା ଏବଂ ଜାନୁଆରୀ ୨୦୨୦ରେ ଉହାନରୁ ସଂଗ୍ରହ କରାଯାଇଥିବା ଶତାଧିକ ନମୁନାକୁ ବିଶ୍ଳେଷଣ କରିବା ପରେ ଏହି ଫଳାଫଳ ଆସିଥିଲା ।

କେତେ ଲୋକ ମରିଥିଲେ?: ଡବ୍ଲ୍ୟୁଏଚଓ ତାଙ୍କ ବିବୃତ୍ତିରେ କୋଭିଡ୍ର ପ୍ରାରମ୍ଭିକ ଦିନଗୁଡ଼ିକ ବିଷୟରେ ଉଲ୍ଲେଖ କରି ଦର୍ଶାଇଛି ଯେ ଏହା କିପରି ଏକ ସ୍ଥାନୀୟ ଘଟଣାରୁ ଏକ ବିଶ୍ୱ ସଙ୍କଟରେ ପରିଣତ ହୋଇଥିଲା ଯାହା ସମଗ୍ର ବିଶ୍ୱରେ ଲକ୍ଡାଉନ୍ ସୃଷ୍ଟି କରିଥିଲା ଏବଂ ଶେଷରେ ଏକ ଟିକା ଆଣିଥିଲା।

ମେ ୨୦୨୩ରେ ଡବ୍ଲ୍ୟୁଏଚ୍ଓ ଘୋଷଣା କରିଥିଲା ଯେ କୋଭିଡ୍-୧୯ ଆଉ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ନୁହେଁ।

କୋଭିଡ୍ ସମୟରେ ଡବ୍ଲ୍ୟୁଏଚ୍ଓର ତତ୍କାଳୀନ ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଆଧାନମ୍ ଗେବ୍ରେୟେସୁସ୍ କହିଛନ୍ତି ଯେ ମହାମାରୀରେ ଅତି କମ୍ରେ ୭ ନିୟୁତ ଲୋକ ପ୍ରାଣ ହରାଇଛନ୍ତି। କିନ୍ତୁ ପ୍ରକୃତ ସଂଖ୍ୟା ପାଖାପାଖି ୨୦ ନିୟୁତ, ଯାହା ସରକାରୀ ଆକଳନର ପ୍ରାୟ ତିନି ଗୁଣ।

ସେବେଠାରୁ ଡବ୍ଲ୍ୟୁଏଚଓ ବାରମ୍ବାର ଚେତାବନୀ ଦେଇ ଆସୁଛି ଯେ ଭବିଷ୍ୟତରେ କୋଭିଡ୍ ଭଳି ରୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।