fbpx

JDU-RJD ମଧ୍ୟରେ ଫାଟ ସୃଷ୍ଟି ହେବାର କାରଣ କ’ଣ: ନୀତିଶ କାହିଁକି ପୁଣି ଥରେ BJP ସହ ହାତ ମିଳାଇବାକୁ ଚାହୁଁଛନ୍ତି

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ତା’ ପୂର୍ବରୁ ଅଚାନକ ବିହାର ରାଜନୀତିରେ ଏକ ବଡ଼ଧରଣର ହଲଚଲ୍ ଦେଖିବାକୁ ମିଳିଛି । ଏକଦା ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ସହ ମେଣ୍ଟ କରି ରାଜ୍ୟରେ ସରକାର ଗଠନ କରିଥିବା ନୀତିଶ କୁମାରଙ୍କ ଜେଡିୟୁ ଏବେ ବିଜେପି ସହ ହାତ ମିଳାଇବାକୁ ପ୍ରସ୍ତୁତ ହେଉଛି । ନୀତିଶଙ୍କ ଏଭଳି ଆଭିମୁଖ୍ୟ ଦେଖି ଆରଜେଡି ନେତା ତଥା ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ପ୍ରତିପକ୍ଷଙ୍କୁ କଡ଼ା ଚାଲେଞ୍ଜ ଦେବାକୁ ପ୍ରସ୍ତୁତ ହେଉଛନ୍ତି ।

ଆଗକୁ ନୀତିଶ ବିଜେପି ସହ ମିଶି ରାଜ୍ୟରେ ନୂଆ ସରକାର ଗଠନ କରିବେ ବୋଲି ଶୁଣାଯାଉଛି । ତେବେ ଏଠାରେ ଗୋଟିଏ ବଡ଼ ପ୍ରଶ୍ନ ସାମ୍ନାକୁ ଆସୁଛି । ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)କୁ ୨୦୨୪ ଲୋକସଭା ନିର୍ବାଚନରେ ରୋକିବା ଲକ୍ଷ୍ୟରେ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ) ମହାମେଣ୍ଟରେ ସାମିଲ ହୋଇଥିଲେ ନୀତିଶ । ମାତ୍ର ଅଚାନକ କ’ଣ ଏପରି ହୋଇଗଲା ଯେ, ନୀତିଶ ପୁଣି ଥରେ ତାଙ୍କର ପୁରୁଣା ସାଥୀ ବିଜେପି ସହ ବୁଝାମଣା କରିବାକୁ ପ୍ରସ୍ତୁତ ହୋଇଗଲେ? ଏହା ପଛରେ ଅନେକ କାରଣ ଥାଇପାରେ ।

ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳ କହିଛନ୍ତି, ‘ମହାମେଣ୍ଟରେ ନୀତିଶ କୁମାରଙ୍କୁ ସମ୍ମାନ ମିଳିନଥିଲା । ତାଙ୍କ ସହ ଦୁର୍ବବ୍ୟହାର ପ୍ରଦର୍ଶନ କରାଯାଇଥିଲା । ତେଣୁ ଏପରି ସ୍ଥିତିରେ ନୀତିଶ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ଛାଡ଼ି ବିଜେପି ସହ ମେଣ୍ଟ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ନୀତିଶଙ୍କ ଅସ୍ତିତ୍ୱ ସଙ୍କଟରେ ରହିଥିବାରୁ ସେ ତାହାକୁ ବଞ୍ଚାଇବା ପାଇଁ କିଛି କରିପାରନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିଶ ଯୁଆଡ଼େ ଯିବେ ଆମେ ତାଙ୍କୁ ସମର୍ଥନ କରିବୁ’ । ଇଣ୍ଡିଆ ମେଣ୍ଟରୁ ଓହରିବା ପାଇଁ ଏହି କାରଣ ନୀତିଶଙ୍କୁ ବାଧ୍ୟ କରିଥାଇପାରେ ।

ଗତ ୨୩ ତାରିଖରେ କେନ୍ଦ୍ର ସରକାର ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ ପାଇଁ ଘୋଷଣା କରିଥିଲେ । ଏନେଇ ନୀତିଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଥିଲେ । ନିକଟରେ ନୀତିଶ ବଂଶବାଦ ରାଜନୀତିକୁ ନେଇ ଏକ ବୟାନ ଦେଇଥିଲେ । ତାହାକୁ ନେଇ ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ସୋସିଆଲ ମିଡ଼ିଆରେ ନୀତିଶଙ୍କ ଉପରେ ବର୍ଷିଥିଲେ । ରୋହିଣୀ ଲେଖିଥିଲେ‘କିଛି ଲୋକ ନିଜର ଦୁର୍ବଳ ଦେଖିପାରନ୍ତି ନାହିଁ, ମାତ୍ର ଅନ୍ୟର ଦୋଷ ବାହାର କରନ୍ତି । ପବନ ଦିଗ ପରିବର୍ତ୍ତନ କରିବା ଭଳି କିଛି ଲୋକ ନିଜର ବିଚାରଧାରା ବଦଳାନ୍ତି ବୋଲି ନୀତିଶଙ୍କ ନାମ ନନେଇ ରୋହିଣୀ ଏପରି ଲେଖିଥିଲେ । ଏହି ଘଟଣା ପରେ ଜେଡିୟୁ-ଆରଜେଡି ଭିତରେ ସବୁକିଛି ଠିକଠାକ୍ ନଥିବା ଚର୍ଚ୍ଚା ଆରମ୍ଭ ହୋଇଥିଲା ।

ତେବେ ଅତୀତରେ ନୀତିଶ ବିଭିନ୍ନ ଦଳ ସହ ମେଣ୍ଟ କରି ‘ୟୁ-ଟର୍ଣ୍ଣ’ କରିବାର ଅନେକ ଉଦାହରଣ ଦେଖାଯାଇଛି । ତେଣୁ ଆଗକୁ ଲୋକସଭା ନିର୍ବାଚନ ଆସୁଥିବାରୁ ବିଜେପି ସହ ରହିଲେ ତାଙ୍କୁ ଅଧିକ ଫାଇଦା ମିଳିପାରେ ବୋଲି ନୀତିଶଙ୍କର ହୃଦବୋଧ ହୋଇଥାଇପାରେ । ନୀତିଶ ୨୦୧୫ରେ ଲାଲୁଙ୍କ ସହ, ୨୦୧୭ରେ ମୋଦୀଙ୍କ ସହ, ୨୦୧୯ ଲୋକସଭା ନିର୍ବାଚନ ଓ ୨୦୨୦ ବିଧାନସଭା ନିର୍ବାଚନରେ ମୋଦୀଙ୍କ ସହ, ୨୦୨୨ରେ ପୁଣି ଲାଲୁଙ୍କ ସହ ରହିଥିଲେ । ୨୦୨୪ରେ ପୁଣି ଥରେ ମୋଦୀଙ୍କ ସହ ଯିବାକୁ ନୀତିଶ ମନ ବଳାଇଛନ୍ତି ।

ଇଣ୍ଡିଆ ମହାମେଣ୍ଟକୁ ନେଇ ଲାଲୁ-ନୀତିଶଙ୍କ ମଧ୍ୟରେ ଏକ ଭିତିରି ବୁଝାମଣା ହୋଇଥିବା କୁହାଯାଉଛି । ସେନେଇ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପାଇଁ ନୀତିଶଙ୍କ ଉପରେ ଚାପ ପଡ଼ୁଥିଲା । ଯଦି ଇଣ୍ଡିଆ ମହାମେଣ୍ଟରେ ନୀତିଶଙ୍କୁ ପିଏମ ପଦ ମିଳିଥାନ୍ତା ବୋଧହୁଏ ସେ ଆସନ ଛାଡ଼ିଦେଇଥାନ୍ତେ । ମାତ୍ର ପିଏମ୍ ପଦ ନ ମିଳିବାରୁ ନୀତିଶ ସିଏମ ପଦ ଛାଡ଼ିବାକୁ କୁଣ୍ଠିତ ହୋଇଥିଲେ । ଏପରିକି ଜେଡିୟୁକୁ ଭାଙ୍ଗିବା ପାଇଁ ଆରଜେଡି ପ୍ରୟାସ କରିଥିବା କୁହାଯାଉଛି । ସେଥିପାଇଁ ନୀତିଶ ଲଲନ ସିଂହଙ୍କୁ ପାର୍ଟିର ଅଧ୍ୟକ୍ଷ ପଦରୁ ହଟାଇ ନିଜେ ପଦ ସମ୍ଭାଳିଥିଲେ । ଏଭଳି ସ୍ଥିତିରେ ବିଜେପି ସହ ଗଲେ ତାଙ୍କର ମୁଖ୍ୟମନ୍ତ୍ରୀ ଆସନ ସୁରକ୍ଷିତ ରହିବ ବୋଲି ନୀତିଶ ଏବେ ପଦ୍ମ ଆଡ଼କୁ ଢଳିଥିବା କୁହାଯାଉଛି ।

Get real time updates directly on you device, subscribe now.