fbpx

ଚାରିଆଡ଼େ ବଜ୍ରକାପ୍ତା ଚୋରା ଚାଲାଣ ବଢ଼ୁଛି କାହିଁକି: ବଜ୍ରକାପ୍ତା ଶରୀରରେ କ’ଣ ରହିଛି, ଏହି ଜୀବକୁ କ’ଣ ପାଇଁ ଶିକାର କରାଯାଉଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଜ୍ରକାପ୍ତା ପରି ଏକ ସ୍ତନ୍ୟପାୟୀ ପ୍ରାଣୀ ସାଧାରଣରେ ଦେଖିବା ଖୁବ୍ ବିରଳ । ବଜ୍ରକାପ୍ତର ଶରୀରରେ ବଡ଼ ବଡ଼ କାତି ରହିଛି ଯାହାକି ତା’ର ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିଥାଏ । ଯଦି କେହି ବଜ୍ରକାପ୍ତାକୁ ଆକ୍ରମଣ କରେ, ତେବେ ସେ ମୋଡ଼ିମାଡ଼ି ହୋଇଯାଏ । କିଛି ଲୋକ ବଜ୍ରକାପ୍ତାକୁ ମାଂସ ପାଇଁ ଓ ଆଉ କିଛି ତା’ର ବିଭିନ୍ନ ଅଂଶକୁ ପାରମ୍ପରିକ ଔଷଧ ଭାବେ ବ୍ୟବହାର କରିଥାନ୍ତି ।

ତେବେ ସବୁଠାରୁ ବଡ଼ କଥା ହେଉଛି ଦିନକୁ ଦିନ ବଜ୍ରକାପ୍ତା ବଂଶ ଲୋପ ପାଇବାକୁ ବସିଲାଣି । ଦୈନିକ ଖବର କାଗଜର ପୃଷ୍ଠା ଓଲଟାଇଲେ କେଉଁଠି ନା କେଉଁଠି ବଜ୍ରକାପ୍ତା ଚୋରା ଚାଲାଣକାରୀ ଧରାପଡ଼ୁଛନ୍ତି । ଏହି କଥାଟି ଶୁଣିବାକୁ ଅତି ସାଧାରଣ ଲାଗେ, ମାତ୍ର ଏହା ପଛରେ ସମସ୍ତଙ୍କର ବଡ଼ ଉଦ୍ଦେଶ୍ୟ ରହିଛି । ଅନେକ ଲୋକ ହାତୀକୁ ଶିକାର କରନ୍ତି ତା’ର ମୂଲ୍ୟବାନ ଦାନ୍ତ ପାଇଁ । ସେହିପରି ବଜ୍ରକାପ୍ତା ମଧ୍ୟ ଏକ ମୂଲ୍ୟବାନ ଜୀବ ମଧ୍ୟରେ ପରିଗଣିତ । ବିଗତ ୮୦ ମିଲିୟନ ବର୍ଷରୁ ଏହି ଜୀବ ଧରିତ୍ରୀ ପୃଷ୍ଠରେ ବସବାସ କରିଆସୁଥିବା ରିପୋର୍ଟରୁ ଜଣାପଡ଼ିଛି । ତେବେ ବର୍ତ୍ତମାନ ସମୟରେ ଯେଉଁ ମାତ୍ରାରେ ବଜ୍ରକାପ୍ତାର ଶିକାର କରାଯାଉଛି ଆଗାମୀ କିଛି ବର୍ଷ ମଧ୍ୟରେ ଏହି ଜୀବ ବିଶ୍ୱବକ୍ଷରୁ ସମ୍ପୂର୍ଣ୍ଣ ଇଭେଇ ଯିବ ।

ବିଶେଷ କରି ମାଂସ, ଚମଡ଼ା ଓ କାତି ପାଇଁ ବଜ୍ରକାପ୍ତାକୁ ହତ୍ୟା କରାଯାଇଥାଏ । ବଜ୍ରକାପ୍ତାର କାତି କାମୋଦ୍ଦୀପକ ଔଷଧ ଭାବେ ବ୍ୟବହୃତ ହୋଇଥାଏ । ତା’ର ଚମଡ଼ାରୁ ଯୋତା, ଚପଲ ଆଦି ତିଆରି ହୋଇଥାଏ । ଏଥିସହିତ ବିଭିନ୍ନ ପ୍ରକାରର ଫେଶନ ପ୍ରଡକ୍ଟ ପାଇଁ ଏହି ଜୀବକୁ ବ୍ୟବହାର କରାଯାଏ । ବିଶ୍ୱସ୍ତରରେ ବଜ୍ରକାପ୍ତାର ଚାହିଦା ଏତେ ଅଧିକ ଯେ ଅନଲାଇନରେ ମେଡିସିନ ବିକ୍ରି କରୁଥିବା କିଛି ୱେବସାଇଟରେ ମଧ୍ୟ ତା’ର ଶରୀରରୁ ତିଆରି ସାମଗ୍ରୀ ବିକ୍ରି ହୋଇଥାଏ । ବିଶେଷ କରି ଚୀନ ଓ ଦକ୍ଷିଣ-ଏସୀୟ ରାଷ୍ଟ୍ରରେ ବଜ୍ରକାପ୍ତାର ଚୋରା କାରବାର ଅଧିକ ହେଉଛି ।

Get real time updates directly on you device, subscribe now.