fbpx

ଅନର କିଲିଂର ଭୟଙ୍କର ମାମଲା, ବାପା ଓ ଭାଇ ମିଶି ଯୁବତୀଙ୍କୁ ରଶିରେ ବାନ୍ଧି ଫିଙ୍ଗିଦେଲେ ନିଆଁକୁ

ଲାହୋର: ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଏକ ଭୟଙ୍କର ଅନର କିଲିଂ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବତୀଙ୍କୁ ଜୀବିତ ଅବସ୍ଥାରେ ନିଆଁରେ ଜଳାଇ ଦିଆଯାଇଛି । ଏହା ଏକ ଅନର କିଲିଂ ବୋଲି ପୋଲିସ ଗତକାଲି ସୂଚନା ଦେଇଛି । ଲାହୋର ଠାରୁ ପ୍ରାୟ ୨୦୦ କିଲୋମିଟର ଦୂର ଝାଙ୍ଗ ଜିଲ୍ଲାର ଗଡ ମହାରାଜାରେ ଏହି ଘଟଣା ଘଟିଛି । ପୋଲିସ କହିଛି ରଜାବ ଅଲ୍ଲୀ ନାମକ ଜଣେ ବ୍ୟକ୍ତି ନିଜ ପୁଅ ଜବାର, ଅମୀର ଓ ପରିବାରର କିଛି ଅନ୍ୟ ସଦସ୍ୟଙ୍କ ସହ ମିଶି ମେ ୨୬ ତାରିଖରେ ନିଜ ଝିଅକୁ ଘରେ ନିଆଁ ଲଗାଇ ଦେବା ପୂର୍ବରୁ ବହୁତ ନିର୍ଯ୍ୟାତନା ଦେଇଥିଲା । ତେବେ ଯୁବତୀଙ୍କ ଦୋଷ ଥିଲା ସେ ନିଜ ପସନ୍ଦର ଜଣେ ଯୁବକଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଏହି ଘଟଣା ଘଟିବାର ଗୋଟିଏ ଦିନ ପୂର୍ବରୁ ଯୁବତୀ ଘରୁ କିଛି ସମୟ ଲାଗି କେଉଁଆଡେ ଚାଲି ଯାଇଥିଲେ ଓ ସେହି ବ୍ୟକ୍ତି ଙ୍କ ସହ କିଛି ସମୟ ବିତାଇଥିଲେ । ଯୁବତୀଜଣକ ଘରକୁ ଫେରିବା ପରେ ତାଙ୍କ ପିତା, ଦୁଇ ଭାଇ ଓ ପରିବାରର କିଛି ମହିଳା ତାଙ୍କୁ ଏକ ରଶିରେ ବାନ୍ଧି ଦେଇଥିଲେ । ତାଙ୍କ ଦେହରେ ନିଆଁ ଲଗାଇବା ପୂର୍ବରୁ ତାଙ୍କୁ ବହୁ ନିର୍ଯ୍ୟାତନା ଦେଇଥିଲେ ।

କୌଣସି ସୂତ୍ରରୁ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ôଚ ଯୁବତୀଙ୍କୁ ହସ୍ପିଟାଲ୍ରେ ପହଞ୍ଚାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ମୃତ୍ୟୁ ପୂର୍ବରୁ ଯୁବତୀ ତାଙ୍କ ଦେହରେ ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ । ତାଙ୍କ ବୟାନ ଆଧାରରେ ପୋଲିସ ପୀଡିତାର ପିତା, ଦୁଇ ଭାଇ ଓ ଏକ ଭଉଣୀକୁ ଗିରଫ କରିଛି । ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି । ତେବେ ଗିରଫ ହୋଇଥିବା ଏହି ସମସ୍ତ ଅଭିଯୁକ୍ତଙ୍କର ନିଜ କାର୍ଯ୍ୟକୁ ନେଇ କୌଣସି ପଶ୍ଚାତାପ ନାହିଁ ବରଂ ସେମାନେ କହୁଛନ୍ତି ଯୁବତୀ ତାଙ୍କ ପରିବାରର ସମ୍ମାନ ନଷ୍ଟ କରିଥିବାରୁ ସେମାନେ ଏପରି କରିବାକୁ ବାଧ୍ୟ ହୋଇଥିଲେ ।

 

Get real time updates directly on you device, subscribe now.