fbpx

SL vs IND; ଶ୍ରୀଲଙ୍କା ବିପକ୍ଷରେ କାହିଁକି ବାଦ୍ ପଡ଼ିଲେ ଋଷଭ? ପ୍ରଥମ ଦିନିକିଆରେ ରାହୁଲଙ୍କୁ ସୁଯୋଗ

ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ ଆଜିଠାରୁ ଆରମ୍ଭ ହୋଇଛି । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ପ୍ରଥମ ଦିନିକିଆ ଖେଳୁଛି ଟିମ ଇଣ୍ଡିଆ । ତେବେ ମ୍ୟାଚରେ ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି । କିନ୍ତୁ ଆରମ୍ଭରୁ ହିଁ ଦଳର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଅଧିନାୟକ ରୋହିତ ପ୍ଲେଇଙ୍ଗ-୧୧ରୁ ଷ୍ଟାର ୱିକେଟ କିପର ଋଷଭ ପନ୍ତଙ୍କୁ ବାଦ୍ ଦେଇଛନ୍ତି । ତାଙ୍କ ସ୍ଥାନରେ ଦଳକୁ କମବ୍ୟାକ କରିଛନ୍ତି କେ.ଏଲ ରାହୁଲ । ତେବେ ଟି-୨୦ ସିରିଜରେ ଦମଦାର ବ୍ୟାଟିଂ କରିଥିବା ଋଷଭଙ୍କୁ ଦଳରେ କାହିଁକି ମିଳିଲାନି ସୁଯୋଗ?

ପ୍ରଥମ ଦିନିକିଆରେ ବଦଳିଯାଇଛି ସମ୍ପୂର୍ଣ୍ଣ ଟିମ୍ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସମେତ ଅନେକ ଖେଳାଳି ଦଳକୁ କମବ୍ୟାକ କରିଛନ୍ତି । କିନ୍ତୁ ଟି-୨୦ ସିରିଜରେ ଦମଦାର ବ୍ୟାଟିଂ କରିଥିବା ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଦଳରୁ ବାଦ୍ ପଡ଼ିଛନ୍ତି । ତେବେ ଏହାର କାରଣ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ହୋଇନାହିଁ । କିନ୍ତୁ ଅନୁମାନ କରାଯାଉଛି ଯେ, ଟିମ ଇଣ୍ଡିଆର ମିଡିଲ ଅର୍ଡରରେ ଅନେକ ବାମ ହାତୀ ଖେଳାଳି ରହିଥିବାରୁ ଋଷଭ ପନ୍ତଙ୍କୁ ଦଳରୁ ବାଦ୍ ଦିଆଯାଇଛି । ମିଡିଲ ଅର୍ଡରରେ ବର୍ତ୍ତମାନ ଶିବମ ଦୁବେ, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର ସାମିଲ ରହିଛନ୍ତି । ତେଣୁ ଋଷଭ ପନ୍ତଙ୍କୁ ଦଳରୁ ବାଦ୍ ଦେଇ ତାଙ୍କ ସ୍ଥାନରେ କେ.ଏଲ ରାହୁଲଙ୍କୁ ସୁଯୋଗ ମିଳିଛି ।

ଆଇପିଏଲ-୨୦୨୪ ପରେ କେ.ଏଲ ରାହୁଲ ଟିମ ଇଣ୍ଡିଆରେ ସୁଯୋଗ ପାଇନାହାନ୍ତି । ଟି-୨୦ ବିଶ୍ୱକପ ଏବଂ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ମଧ୍ୟ ରାହୁଲଙ୍କୁ ସୁଯୋଗ ମିଳିନଥିଲା । ବର୍ତ୍ତମାନ ଦିନିକିଆ ସିରିଜରୁ ଦଳକୁ କମବ୍ୟାକ କରୁଛନ୍ତି ରାହୁଲ । ଦିନିକିଆ ଇତିହାସରେ ୫ ନମ୍ବରରେ କେ.ଏଲ ରାହୁଲଙ୍କ ନାମରେ ଦମଦାର ବ୍ୟାଟିଂର ରେକର୍ଡ ରହିଛି । ଏହାବ୍ୟତୀତ ୱିକେଟ କିପିଙ୍ଗରେ ମଧ୍ୟ ନିଜ ଦକ୍ଷତା ପ୍ରମାଣ କରିଛନ୍ତି ରାହୁଲ ।

Get real time updates directly on you device, subscribe now.