fbpx

ସୁନ୍ଦରତା ପାଇଁ ନୁହେଁ ଗଛକୁ ଧଳା କରାଯିବାର ବୈଜ୍ଞାନିକ କାରଣ ବି ରହିଛି

ଆପଣ ପ୍ରାୟ ସମୟରେ ହାଇୱେ କିମ୍ବା ସହରର ସଡକ ଉପରେ ଲାଗିଥିବା ଗଛରେ ଧଳା ରଙ୍ଗ ଲଗା ଯାଇଥିବାର ଦେଖିଥିବେ । ଭାରତରେ ବହୁ ଗଛରେ ଲାଲ ରଙ୍ଗ ମଧ୍ୟ ଦିଆଯାଇଥାଏ । ତେବେ ଏହା ପଛରେ କଣ କାରଣ ରହିଛି ତାହା ଆପଣ ଜାଣନ୍ତି କି?

ଯେତେବେଳେ ବି ଆପଣ ସଡକ ଦେଇ ଯାତ୍ରା କରିଥାନ୍ତି ସେତେବେଳେ ସଡକର ଦୁଇପଟେ ଆପଣଙ୍କୁ ବିଭିନ୍ନ ପ୍ରକାର ଗଛ ନିଶ୍ଚୟ ନଜର ଆସୁଥିବ । ଗଛର ଛାଇ ଭିତରେ ଥିବା ସଡକରେ ଗାଡି ଚଲାଇବାର ମଜା ଦୁଇଗୁଣ ହୋଇଥାଏ । ଏହି ଗଛ ମଧ୍ୟରୁ କିଛି ଗଛକୁ ଧଳା ରଙ୍ଗ ଦିଆଯାଇଥାଏ । ତେବେ କାହିଁକି ଏପରି କରାଯାଇଥାଏ ଆସନ୍ତୁ ଜାଣିବା ।

ଗଛକୁ କେବଳ ସୁନ୍ଦର ଦେଖାଯିବା ଲାଗି ପେଣ୍ଟ କରାଯାଇ ନ ଥାଏ ବରଂ ଏହା ପଛରେ କିଛି ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଏହା ମଧ୍ୟରୁ ସବୁଠାରୁ ବଡ କାରଣ ଗଛର ସୁରକ୍ଷା । ପ୍ରାୟ ସମୟରେ ଆପଣ ଏପରି ଗଛ ଦେଖିଥବେ ଯାହା ମଧ୍ୟ ଭାଗରୁ ଫାଟିବାକୁ ଲାଗିଥାଏ । ଏହି ଗଛ ଏପରି ଫାଟି ଦୁଇଭାଗ ହୋଇଯାଇଥାଏ । ଶୀତଦିନେ ବେଶୀ ମାତ୍ରାରେ ଏପରି ହୋଇଥାଏ । ଶୀତ ଦିନମାନଙ୍କରେ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ବହୁତ ଥଣ୍ଡା ଅନୁଭୂତ ହୋଇଥାଏ ଓ ଦିନ ସମୟରେ ଖରା ହୋଇଥାଏ, ଯେଉଁଥିରେ ତାପମାତ୍ରା ବେଳେ ବେଳେ ବହୁତ ବଢି ବି ଯାଏ । ଏହି ପରିବର୍ତ୍ତିତ ତାପମାତ୍ରା ଲାଗି ଗଛ ମଧ୍ୟଭାଗରୁ ଫାଟିବାକୁ ଲାଗିଥାଏ । ଏପରି କ୍ଷେତ୍ରରେ ଯଦି ଗଛରେ ଧଳା ପେଣ୍ଟ ଲଗାଇ ଦିଆଯାଏ ତେବେ ଏହା ତାପମାତ୍ରା ଶୋଷଣ କରେ ନାହିଁ ଓ ତାପମାତ୍ର ଅଚାନକ କମ୍ ବେଶୀ ହେବାର ପ୍ରଭାବ ଗଛ ଉପରେ ପଡେ ନାହିଁ । ଫଳରେ ଗଛ ଆଉ ଫାଟେ ନାହିଁ । ଜନବସତି ଅଞ୍ଚଳରେ ଥିବା ବୃକ୍ଷରେ ଅଧିକ ମାତ୍ରାରେ ଏହି ଧଳା ରଙ୍ଗ ଲାଗିଥିବାର ଦେଖାଯାଏ ।

ବହୁ ସମୟରେ ଗଛକୁ ରଙ୍ଗ କରି ଏହା ସୂଚାଇ ଦିଆଯାଏ ଯେ, ଜଙ୍ଗଲ ବିଭାଗ ନଜରରେ ଏହି ବୃକ୍ଷ ରହିଛି । ଏଣୁ ଏହାକୁ କେହି କାଟିଲେ ଜୋରିମାନା ପଇଠ କରିବାକୁ ପଡିବ । ଏହା ବ୍ୟତୀତ ଭାରତରେ ଗଛ ଦେହରେ ଲାଲ ଓ ଧଳା ମିଶ୍ରିତ ପେଣ୍ଟ ବି ଲଗାଯାଏ । ଗଛକୁ ଉଇ ପୋକରୁ ରକ୍ଷା ଦେବା ଲାଗି ଏପରି ରଙ୍ଗ ଲଗାଯାଇଥାଏ । ରାତିର ଅନ୍ଧକାରରେ ଗାଡି ଚାଳକମାନେ ବହୁ ସମୟରେ ଗଛ ସହ ପିଟି ହୋଇ ଦୁର୍ଘଟଣାର ଶିକାର ହୋଇଥାନ୍ତି । ଧଳା ରଙ୍ଗ ଲଗାଇବା ଦ୍ୱାରା ଗଛ ସ୍ପଷ୍ଟ ବାରି ହୋଇପଡେ ଓ ଦୁର୍ଘଟଣାର ଆଶଙ୍କା କମିଯାଏ ।

Get real time updates directly on you device, subscribe now.