fbpx

ବିଧବା ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଓ ଦୁଷ୍କର୍ମ ମାମଲା: ଜଣେ ଗିରଫ

ତିହିଡ (ଭାସ୍କର ନ୍ୟୁଜ୍‌):ମଙ୍ଗଳବାର ରାତିରେ ତିହିଡ଼ି ଥାନାରୁ ନ୍ୟାୟ ଭିକ୍ଷା କରି ଭାଇ ସହ ବାଇକ୍‌ରେ ଘରକୁ ଫେରିବା ବାଟରେ କେତେକ ଦୁର୍ବୃତ୍ତ ଜଣେ ବିଧବା ମହିଳାଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହ ତାଙ୍କୁ ଭାଇ ସମ୍ମୁଖରେ ଅସଦାଚରଣ କରିବା ଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି। ଏହି ମାମଲାରେ ତିହିଡ଼ି ପୁଲିସ ଶୁକ୍ରବାର ମହିଳାଙ୍କ ଦିଅର ଗୋପନ ଆଚାର୍ଯ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଚନ୍ତି ।

ସୂଚନା ଯୋଗ୍ୟରେ ବିଧବା ମହିଳା ବିଜୟଲକ୍ଷ୍ମୀ ପଣ୍ଡା ଥାନାରୁ ଘରକୁ ଫେରୁଥିବା ବେଳେ ସୁଶାନ୍ତ ମଳିକ, କାହ୍ନୁଆ ଦାସ, କାହ୍ନୁଆ ଦାସର ସାନଭାଇ, ମହିଳାଙ୍କ ଦିଅର ଗୋପନ ଆଚାର୍ଯ୍ୟ ଓ ଅନ୍ୟମାନେ ମରଣାନ୍ତକ ଆକ୍ରମଣ ଓ ଦୁଷ୍କର୍ମ କରି ଚେନ୍‌ ଲୁଟି ନେଇଥିବା ମହିଳାଙ୍କ ଭାଇ ରାଜେନ୍ଦ୍ର ପଣ୍ଡା ଅଭିଯୋଗ କରିଥିଲେ । ଏହି ଅଭିଯୋଗ କ୍ରମେ ପୁଲିସ ସଂପୃକ୍ତ ଯୁବକମାନଙ୍କ ନାମରେ କେଶ ନଂ ୩୨୬/୨୧ ଦଫା ୩୪୧, ୩୨୩, ୩୨୪, ୩୭୯, ୩୫୪ ଓ ୩୪ ଆଇପିସିରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ତେବେ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କୋହଳ ଦଫା ଲଗାଇ ସେମାନଙ୍କୁ ଗିରଫ ନକରିବା ନେଇ ମହିଳାଙ୍କ ଭାଇ ଅସନ୍ତୋଷ ପ୍ରକାଶ କରି ଏସପିଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିବେ ବୋଲି ଲିଖିତ ଭାବେ ଜଣାଇଥିଲେ । ତେବେ ପୁଲିସ ଶୁକ୍ରବାର ଜଣେ ଅଭିଯୁକ୍ତକୁ ଗିରଫ କରିଥିଲେ ମଧ୍ୟ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିନାହାନ୍ତି । ଏଥି ସହିତ କୋହଳ କରାଯାଇଥିବା ଦଫାକୁ ଏତଲାରେ ଦର୍ଜ କରି ନଥିବାରୁ ଏତଲାକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Get real time updates directly on you device, subscribe now.