fbpx

(Video) କଂଗ୍ରେସରେ ଯୋଗଦେବେ କି ନିଶା ମହାରଣା: ଅଚାନକ ସୁରଙ୍କ ସହିତ ହୋଲି ଖେଳିବାକୁ ନେଇ ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ଡିଜିଟାଲ ଯୁଗରେ ଅନେକ ବ୍ୟକ୍ତି ରାତାରାତି ଜିରୋରୁ ହିରୋ ପାଲଟି ଯାଉଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଓଡ଼ିଶାର ବିଶିଷ୍ଟ ଅଭିନେତ୍ରୀ ନିଶା ମହାରଣା । ଖୁବ୍ କମ୍ ସମୟ ମଧ୍ୟରେ ନିଶା ଆଜି ସାରା ଓଡ଼ିଶାର ଘରେ ଘରେ ପରିଚିତ । ନିଜର ସ୍ୱତନ୍ତ୍ର ଷ୍ଟାଇଲର କଥାବାର୍ତ୍ତା ତାଙ୍କୁ ଆଜି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ନିକଟତର କରାଇଛି ।

ତେବେ ଏହା ମଧ୍ୟରେ ନିଶାଙ୍କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଆଜି ରଙ୍ଗର ପର୍ବ ହୋଲି ଅବସରରେ ନିଶା ରାଜ୍ୟ କଂଗ୍ରେସ ଭବନରେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସହ ହୋଲି ଖେଳିଛନ୍ତି । ଆଜି କଂଗ୍ରେସ ଭବନରେ ବାଜା ବଜାଇ ଏକ ନିଆରା ଢଙ୍ଗରେ ହୋଲି ଉତ୍ସବ ପାଳନ କରାଯାଇଥିଲା । ଏନେଇ ସୁର କହିଛନ୍ତି, ଆମେ ପ୍ରତିବର୍ଷ ହୋଲି ପାଳନ କରୁ । ୫୦ ବର୍ଷରୁ ଅଧିକ ବର୍ଷ ଧରି ଆମେ କଂଗ୍ରେସ ଭବନରେ ହୋଲି ପାଳନ କରିଆସୁଛୁ ।

ତେବେ ସୁରଙ୍କ ସହିତ ଆଜି କଂଗ୍ରେସ ଭବନରେ ରଙ୍ଗ ଉତ୍ସବରେ ସାମିଲ ହୋଇଥିଲେ ଅଭିନେତ୍ରୀ ନିଶା । ନିଶା କଂଗ୍ରେସରେ ଯୋଗ ଦେବା ନେଇ ପ୍ରଶ୍ନର ଉତ୍ତରରେ ସୁର କହିଥିଲେ, ନିଶା ଜଣେ ବଡ଼ କଳାକାର । ସରସ୍ୱତୀ, ଆଲ୍ଲା, ଯୀଶୁଙ୍କ ଆଶିର୍ବାଦ ତାଙ୍କ ଉପରେ ରହିଛି । ସେ ଓଡ଼ିଶାର ଜଣେ ବଡ଼ ପ୍ରତିଭା, ତାଙ୍କର ଅଭିନୟରେ ଦର୍ଶକ ମୁଗ୍ଧ ହୋଇପଡ଼ୁଛନ୍ତି । ସେ ଫିଲ୍ମ ଓ ସଙ୍ଗୀତ ଦୁନିଆରେ ଲୋକଙ୍କର ହୃଦୟକୁ କିଣିସାରିଛନ୍ତି । ସେ ବହୁତ ଆଗକୁ ଯାଆନ୍ତୁ ଏହା ହିଁ ଆମର କାମନା ।

ଏହି ଅବସରରେ ଅଭିନେତ୍ରୀ କହିଥିଲେ, ଆଜି ଏକ ପବିତ୍ର ଦିନରେ ମୁଁ ସୁର ଭାଇଙ୍କ ସହିତ ସାକ୍ଷାତ କରି ନିଜକୁ ଧନ୍ୟ ମନେକରୁଛି । ଭାଇଙ୍କୁ ଶ୍ରୀଜଗନ୍ନାଥ ଭଲରେ ରଖନ୍ତୁ ଏହି ହିଁ ମୋର ତାଙ୍କ ଠାରେ ପ୍ରାର୍ଥନା । ତେବେ ହୋଲି ଅବସରରେ କଂଗ୍ରେସରେ ଯୋଗଦେବା ନେଇ କିଛି ଯୋଜନା ଅଛି କି ନା ପ୍ରଶ୍ନର ଉତ୍ତରରେ ନିଶା କହିଥିଲେ, ସେପରି କିଛି ନାହିଁ । କଂଗ୍ରେସ ଦଳକୁ ଆମ ପରିବାରରେ ସମସ୍ତେ ଖୁବ୍ ଭଲ ପାଆନ୍ତି । ସୁର ଭାଇଙ୍କୁ ମୁଁ ମୋ ଦିଲରେ ଜାଗା ଦେଇଛି, ମୋତେ ଆଜି ବହୁତ ଖୁସି ଲାଗିଲା । ତେବେ ହୋଲିରେ ଜଣେ ସେଲିବ୍ରେଟି ହୋଇ ସେଲିବ୍ରେଟିଙ୍କ ସହିତ ହୋଲି ଖେଳିବା କଥା, ମାତ୍ର ସେ ଜଣେ ରାଜନେତାଙ୍କ ସହ କାହିଁକି ହୋଲି ଖେଳିଲେ ବୋଲି ନିଶାଙ୍କୁ ପ୍ରଶ୍ନ କରାଯାଇଥିଲା । ଏନେଇ ନିଶା କହିଥିଲେ, ସେଲିବ୍ରେଟିଙ୍କ ସହିତ ମୁଁ ଆଜି ନହେଲେ କାଲି ହୋଲି ଉତ୍ସବ ମନାଇ ପାରିବି, ତେଣୁ ସୁର ଭାଇଙ୍କୁ ଦେଖା କରିବାକୁ ମୁଁ ଅଧିକ ପ୍ରାଥମିକତା ଦେଲି ।

Get real time updates directly on you device, subscribe now.