fbpx

ଅନ୍ୟ ରାଜ୍ୟରୁ ସଂସଦ ଯିବେ କି ଅନୁଭବ? କେନ୍ଦ୍ରାପଡ଼ା ସାଂସଦଙ୍କ ଉପରେ ଭରସା ରଖିଛି ବିଜେପି

ଓଡ଼ିଶା ଭାସ୍କର: ବିଜୁ ଜନତା ଦଳ ସହିତ ଅନେକ ଦିନର ସମ୍ପର୍କ ତୁଟାଇ ବିଜେପିରେ ସାମିଲ ହୋଇଛନ୍ତି ଓଲିଉଡ ଷ୍ଟାର ଅନୁଭବ ମହାନ୍ତି । କିନ୍ତୁ ନିର୍ବାଚନରେ ଅନୁଭବଙ୍କ ପଦବୀକୁ ନେଇ ଏବେ ବି ଚର୍ଚ୍ଚା ଓ ଆଶଙ୍କା ଲାଗି ରହିଛି । ୨୦୨୪ ସାଧାରଣ ନିର୍ବାଚନରେ କେଉଁ ଆସନରୁ ଲଢିବେ, ରାଜନୀତି ଜଗତରେ ତାହା ଏବେ ବି ପ୍ରଶ୍ନବାଚୀ । ଏମିତି କି ଅନୁଭବ ନିର୍ବାଚନ ଲଢିବେ କି ନାହିଁ, ତାହାକୁ ନେଇ ମଧ୍ୟ ଆଲୋଚନା ପର୍ୟ୍ୟାଲୋଚନା ଜାରି ରହିଛି । ତେଣୁ ରାଜନୀତିରେ ଏବେ ଅନୁଭବ ପ୍ରସଙ୍ଗ ଖୁବ ଚର୍ଚ୍ଚାରେ ରହିଛି । ଏହା ଭିତରେ ଅନୁଭବଙ୍କୁ ନେଇ ଆଉ ଏକ କଥା ମଧ୍ୟ ଶୁଣିବାକୁ ମିଳୁଛି । ଅନୁଭବ ଏଥର ନିର୍ବାଚନରେ ଓଡ଼ିଶାରୁ ପ୍ରାର୍ଥୀ ହୋଇ ନ ପାରନ୍ତି । ଦିଲ୍ଲୀ କିମ୍ବା ଅନ୍ୟ ରାଜ୍ୟରୁ ଅନୁଭବ ରାଜ୍ୟସଭା ପ୍ରାର୍ଥୀ ଭାବେ ନିର୍ବାଚନରେ ଲଢିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ବିଜେପି ଓଡ଼ିଶା ପାଇଁ ନିଜର ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଚୟନ କରି ସାରିଛି । ଏହାବ୍ୟତୀତ ୧୧୨ଟି ବିଧାନସଭା ଆସନରେ ମଧ୍ୟ ପ୍ରାର୍ଥୀ ଦେଇଛି ଭାରତୀୟ ଜନତା ପାର୍ଟି । କିନ୍ତୁ ଉଭୟ ତାଲିକାରେ ଗୋଟିଏ ଚିହ୍ନା ଚେହେରା ବାଦ୍ ପଡ଼ିଛି, ଅନୁଭବ ମହାନ୍ତି । ୨୧ଟି ଲୋକସଭା ଏବଂ ୧୧୨ଟି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଛି । କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କ ପାଇଁ କୌଣସି ଲୋକସଭା ଆସନ ଏବେ ଉପଲବ୍ଧ ନାହିଁ । ତେଣୁ ଯଦି ଅନୁଭବ ବର୍ତ୍ତମାନ ଓଡ଼ିଶାରୁ ନିର୍ବାଚନ ଲଢିବେ, ତେବେ ଜଣେ ବିଦାନସଭା ପ୍ରାର୍ଥୀ ଭାବରେ ତାଙ୍କୁ ଟିକେଟ ମିଳିପାରେ । କିନ୍ତୁ ବିଜେପି ଅନୁଭବଙ୍କୁ ବଡ଼ ଦାୟିତ୍ୱ ଦେଇପାରେ । ଓଡ଼ିଶା ଲୋକସଭା ଆସନ ଫାଙ୍କା ନଥିବା ବେଳେ ଅନ୍ୟ କୌଣସି ରାଜ୍ୟରୁ ସେ ରାଜ୍ୟସଭା ସାଂସଦ ଭାବରେ ନିର୍ବାଚିତ ହୋଇପାରନ୍ତି ଅନୁଭବ ମହାନ୍ତି । ଏ ନେଇ ଏବେ ରାଜନୀତି ମାହୋଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ପୂର୍ବରୁ ୨୦୧୪ ମସିହାରେ ସେ ବିଜେଡିରୁ ରାଜ୍ୟସଭା ସାଂସଦ ଭାବରେ ସେ ଦାୟିତ୍ୱ ତୁଲାଇ ସାରିଥିବା ବେଳେ ୨୦୧୯ରେ ଲୋକସଭା ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ତେଣୁ ରାଜନୀତିରେ ତାଙ୍କ ଅଭିଜ୍ଞତାକୁ ଅସ୍ତ୍ର କରିପାରେ ଭାରତୀୟ ଜନତା ପାର୍ଟି । ଓଡ଼ିଶାର ବିଭିନ୍ନ ଲୋକସଭା ଆସନରେ ରଥୀମାନଙ୍କୁ ନିର୍ବାଚନରେ ଟିକେଟ ଦେଇଥିବା ବେଳେ ଅନୁଭବଙ୍କୁ ରାଜ୍ୟସଭା ସାଂସଦ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇପାରେ ବିଜେପି ।

ବିଜେପି ତରଫରୁ ଅନୁଭବଙ୍କୁ ୨ଟି ଲୋକସଭା ଆସନ କେନ୍ଦ୍ରପଡ଼ା ଏବଂ କଟକ ମଧ୍ୟରୁ ଗୋଟିଏ ଆସନରୁ ଟିକେଟ ମିଳିପାରେ ବୋଲି ଆଲୋଚନା ହେଉଥିଲା । କିନ୍ତୁ ଉଭୟ ଆସନ ଏବେ ବିଜେପି ଅନ୍ୟ ନାମୀଦାମୀ ପ୍ରାର୍ଥୀଙ୍କୁ ଦେଇସାରିଛି । ଅନୁଭବଙ୍କ ନିଜ ଲୋକସଭା ମଣ୍ଡଳୀ କେନ୍ଦ୍ରପଡ଼ା ପାଇଁ ବିଜେପି ବୈଜୟନ୍ତ ପଣ୍ଡାଙ୍କ ନାମ ଘୋଷଣା କରିଥିବା ବେଳେ କଟକ ପାଇଁ ଭର୍ତ୍ତୃହରି ମହତାବଙ୍କୁ ନିର୍ବାଚନ ଲଢିବାକୁ ଟିକେଟ ଦେଇଛି । ତେଣୁ ଅନୁଭବଙ୍କୁ ଉଭୟ ଆସନର ଦ୍ୱାର ବନ୍ଦ ହୋଇଯାଇଛି । ତେବେ ଓଡ଼ିଶାରେ କୌଣସି ଆସନରୁ ଜଣେ ପ୍ରାର୍ଥୀଙ୍କୁ ହଟାଇ ବିଜେପି ଅନୁଭବଙ୍କୁ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ଯାହାର ସମ୍ଭାବନା ମଧ୍ୟ ଖୁବ କମ୍ ବୋଲି କୁହାଯାଇପାରେ । ନଚେତ୍ ଅନୁଭବଙ୍କୁ ବିଧାନସଭା ପ୍ରାର୍ଥୀ ଭାବରେ ଟିକେଟ ଦେବ ବିଜେପି । ତେଣୁ ଏବେ ଆଲୋଚନା ହେଉଛି ଅନୁଭବ କେଉଁ ଆସନରୁ ଟିକେଟ ଦେବ ବିଜେପି? ରାଜ୍ୟସଭା, ଲୋକସଭା ନା ବିଧାନସଭାରୁ ନିର୍ବାଚନ ଲଢିବେ ଅନୁଭବ ମହାନ୍ତି? ଏହି ପ୍ରଶ୍ନର ଉତ୍ତର ଏବେ ବିଜେପି ନିକଟରେ ରହିଛି ।

Get real time updates directly on you device, subscribe now.