fbpx
BSKY
BJD SHG SKY
BJD YOUTH SKY

(Video) କୋରେଇ ପାଇଁ ଆକାଶ-ଝିଲିକ ଭିତରେ ହେବ ଲଢେଇ! ବିଜେଡି ତରଫରୁ ଝିଲିକଙ୍କୁ ମିଳିପାରେ ଟିକେଟ

ଓଡ଼ିଶା ଭାସ୍କର: ଓଡ଼ିଶା ରାଜନୀତି ଏବେ ଚହଳ ସୃଷ୍ଟି କରିଛି । ପ୍ରତି ଆସନରେ ଦେଖିବାକୁ ମିଳୁଛି ବିଜେଡି-ବିଜେପି ଭିତରେ ଛକାପଞ୍ଝା । କିନ୍ତୁ ସମ୍ବଲପୁର, କେନ୍ଦ୍ରାପଡ଼ା ଏବଂ ଭୁବନେଶ୍ୱର ପରେ କୋରେଇ ବିଧାନସଭା ନିର୍ବାଚନ ଲଢେଇ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଏଥର ଏହି ଆସନରେ ଦେଖିବାକୁ ମିଳିପାରେ ଓଲିଉଡ ଷ୍ଟାର ଫାଇଟ । ଆକାଶ ଦାସନାୟକଙ୍କୁ ବିଜେପି ଏହି ଆସନେ;ର ପ୍ରାର୍ଥୀ ଭାବରେ ଟିକେଟ ଦେଇଥିବା ବେଳେ ତାଙ୍କୁ ଟକ୍କର ଦେଇପାରନ୍ତି ଓଲିଉଡ ହିରୋଇନ୍ ଝିଲିକ । କୋରେଇ ବିଧାନସଭା ଆସନ ପାଇଁ ନିର୍ବାଚନ ଲଢିପାରନ୍ତି ଓଡ଼ିଆ ସିନେ ଦୁନିଆର ଦୁଇ ସୁପରଷ୍ଟାର ଆକାଶ ଦାସନାୟକ ଏବଂ ଝିଲିକ । ଆକାଶଙ୍କ ବିପକ୍ଷରେ ବିଜେଡି ପ୍ରାର୍ଥୀ ଭାବରେ ଝିଲିକ୍ ମଇଦାନକୁ ଓହ୍ଲାଇବାକୁ ଯାଉଥିବା ସଙ୍କେତ ମିଳିଯାଇଛି ।

ଆଗାମୀ ନିର୍ବାଚନରେ କୋରେଇ ବାସୀ ଦେଖିବାକୁ ଯାଉଛନ୍ତି ଏକ ରୋଚକ ଲଢେଇ । ଯାଜପୁର ଜିଲ୍ଲା କୋରେଇ ବିଧାନସଭା ଆସନରୁ ଓଡିଆ ଅଭିନେତା ତଥା ପୂର୍ବତନ ବିଜେଡି ବିଧାୟକ ଆକାଶ ଦାସ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେପି । ହେଲେ ବିଜେଡି ଏଯାଏ କୋରେଇ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । କିନ୍ତୁ କୁହାଯାଉଛି ଯେ, ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇଙ୍କ ପତ୍ନୀ ତଥା ଓଡିଆ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ କୋରେଇ ନିର୍ବାଚନ ମଣ୍ଡଳୀରେ ଆକାଶ ଦାସ ନାୟକଙ୍କୁ ଟକ୍କର ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି । ତେବେ ଏହା କେବଳ ଚର୍ଚ୍ଚାରେ ସୀମିତ ହୋଇ ରହିନାହିଁ, ବରଂ ବିଜେଡିର ସମର୍ଥକ ଓ କର୍ମୀମାନେ ମଧ୍ୟ କୋରେଇରୁ ଝିଲିକ୍ ପ୍ରାର୍ଥୀ ହୁଅନ୍ତୁ ବୋଲି ଦାବି କରିଛନ୍ତି ।

କୋରେଇ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି କର୍ମୀ ଓ ସମର୍ଥକ ସୁକିନ୍ଦା ବିଧାୟକ ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡ଼େଇଙ୍କ ଯାଜପୁର ରୋଡ଼ ସ୍ଥିତ ବାସଭବନରେ ପହଞ୍ଚି ଭିଡ ଜମାଇଛନ୍ତି । ଏହାସହିତ ଝିଲିକଙ୍କୁ ସେମାନଙ୍କ ବିଧାୟିକା ପ୍ରାର୍ଥୀ ହେବା ପାଇଁ ଅନୁରୋଧ କରିଛନ୍ତି। କୋରେଇବାସୀଙ୍କ ଏହି ଦାବିକୁ ସମର୍ଥନ ଜଣାଇ ଝିଲିକ୍ ମଧ୍ୟ ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ଥିବା ସଙ୍କେତ ଦେଇଛନ୍ତି । ଯଦି ମୁଖ୍ୟମନ୍ତ୍ରୀ ସୁଯୋଗ ଦିଅନ୍ତି, ତେବେ ନିଶ୍ଚୟ ନିର୍ବାଚନ ଲଢିବେ ବୋଲି କହିଛନ୍ତି ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ।

ତେବେ ଝିଲିକଙ୍କ ଏଭଳି ବୟାନ ପରେ କୋରେଇ ନିର୍ବାଚନମଣ୍ଡଳୀକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ କୋରେଇ ଆସନ ପାଇଁ ବିଜେଡିରୁ ଆକାଶ ଦାସ ନାୟକଙ୍କୁ ବିଜେଡି ଟିକେଟ୍ ଦେବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ କିଛି ଦିନ ପୂର୍ବରୁ ଆକାଶ ବିଜେଡି ଛାଡି ବିଜେପିରେ ଯୋଗ ଦେବା ସହ ବିଜେଡି ବିରୋଧରେ ନିର୍ବାଚନ ଲଢିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଫଳରେ କୋରେଇରୁ ଆଉ ଜଣେ ନୂଆ ନତୋ ଖୋଜୁଛି ବିଜେଡି । ତେବେ ପୂର୍ବରୁ ୨୦୦୯ରେ କୋରେଇ ଆସନରୁ ନିର୍ବାଚନ ଲଢି ବିଧାୟକ ହୋଇସାରିଛନ୍ତି ଝିଲିକଙ୍କ ସ୍ୱାମୀ ପ୍ରୀତିରଞ୍ଜନ ଘଡେଇ । ତେଣୁ କୋରେଇରେ ପ୍ରୀତିରଞ୍ଜନଙ୍କର ପୁରୁଣା ସଙ୍ଗଠନ ରହିଛି । ଯେଉଁଥି ପାଇଁ ବିଜେଡି ପୁଣିଥରେ ଘଡାଇ ପରିବାରରୁ କାହାକୁ କୋରେଇ ଆସନରେ ପ୍ରାର୍ଥୀ କରିବାକୁ ରଣନୀତି ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି । ତେଣୁ ଏଥିପାଇଁ ବିଧାନସଭା ଆସନ ଟିକେଟ ପ୍ରୀତିରଞ୍ଜନଙ୍କ ପତ୍ନୀ ଝିଲିକଙ୍କୁ ମିଳିବାର ସମ୍ଭାବନା ଅଧିକ ଦେଖାଯାଉଛି ।

Get real time updates directly on you device, subscribe now.