fbpx

ଦିଲ୍ଲୀରେ କ’ଣ ଜାରି ହେବ ରାଷ୍ଟ୍ରପତି ଶାସନ? କେଜ୍ରିୱାଲ ଇସ୍ତଫା ନ ଦେଲେ ନିଆଯିବ ଏହି ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ୨୧ ମାର୍ଚ୍ଚ ୨୦୨୪ ରାତିରେ ଗିରଫ କରିଛି । ତେବେ ତାଙ୍କ ଗିରଫଦାରୀ ପୂର୍ବରୁ ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଆତିଶୀ କହିଥିଲେ ଯଦି କେଜ୍ରିୱାଲଙ୍କୁ ଗିରଫ କରାଯାଏ ତେବେ ସେ ଜେଲ୍‌ରୁ ହିଁ ସରକାର ଚଳାଇବେ । ଗିରଫ ହେବା ପରେ କେଜ୍ରିୱାଲ କହିଛନ୍ତି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ । ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି କି ଯଦି କେଜ୍ରିୱାଲ ଇସ୍ତଫା ଦେବେ ନାହିଁ ତେବେ ଦିଲ୍ଲୀରେ କ’ଣ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇ ପାରିବ ।

ଆଇନ ବିଶେଷଜ୍ଞ ଓ ସୁପ୍ରିମକୋର୍ଟ ଓକିଲ ବିରାଗ ଗୁପ୍ତା କହିଛନ୍ତି ଆଇନ ଅନୁଯାୟୀ ଗିରଫଦାରୀ ଅର୍ଥ ବ୍ୟକ୍ତି ଦୋଷୀ ବୋଲି କୁହାଯାଇପାରିବ ନାହିଁ । କେଜ୍ରିୱାଲଙ୍କ ଉପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର କୌଣସି ବାଧ୍ୟତା ନାହିଁ । କେଜ୍ରିୱାଲଙ୍କୁ ପଦରୁ ହଟାଇବାକୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ଜରୁରୀ । ଅପରପକ୍ଷେ ଦିଲ୍ଲୀ ଉପରାଜ୍ୟପାଳ ଅର୍ଥାତ୍ ଏଲ୍‌ଜି (କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନ ଦେବା ସ୍ଥିତିିରେ) ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲଗାଇବାକୁ କାର୍ଯ୍ୟବାହୀ ଆରମ୍ଭ କରିପାରିବେ ।

ଏଲଜି ଦିଲ୍ଲୀ ଶାସନକୁ ନେଇ ସମ୍ବିଧାନର ଅନୁଚ୍ଛେଦ ୨୩୯ଏଏ ଆଧାରରେ ସରକାରଙ୍କୁ ନିଲମ୍ବିତ କରିବା ପାଇଁ ରାଷ୍ଟ୍ର୍ରପତିଙ୍କୁ ସାମିଲ କରିପାରିବେ । ଏପରି ହେଲେ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିବ । ଏହାପରେ କେନ୍ଦ୍ର ଶାସିତ ପ୍ରଦେଶ ଦିଲ୍ଲୀ ଉପରେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ନିର୍ଦ୍ଦେଶ ଦିଆଯାଇପାରିବ ।

ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରାଯିବା ପାଇଁ ୨ ପ୍ରମୁଖ କଥାକୁ ଆଧାର ଭାବରେ ନିଆଯାଇପାରେ । ପ୍ରଥମ ଯେତେବେଳେ କୌଣସି ସରକାର ସମ୍ବିଧାନ ଅନୁଯାୟୀ ସରକାର ଚଳାଇବାକୁ ସକ୍ଷମ ନୁହଁନ୍ତି ସେତେବେଳେ କୌଣସି ବି କେନ୍ଦ୍ର ଶାସିତ କିମ୍ବା ପୂର୍ଣ୍ଣ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲଗାଯାଇପାରେ । ଅନ୍ୟଟି ହେଉଛି ଯେତେବେଳେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଲାଗୁ କରିବାରେ ସଂପୂର୍ଣ୍ଣ ଭାବରେ ଅସଫଳ ସାବ୍ୟସ୍ତ ହୁଅନ୍ତି । ଏହି ସମୟରେ ରାଜ୍ୟର ସମସ୍ତ କ୍ଷମତା ରାଷ୍ଟ୍ରପତିଙ୍କ ପାଖକୁ ଚାଲିଯାଏ ।

Get real time updates directly on you device, subscribe now.