fbpx

ନିର୍ବାଚନ ପୂର୍ବରୁ ଶାସକ ବିଜେଡିକୁ ବଡ଼ ଝଟକା: ଦଳରୁ ଇସ୍ତଫା ଦେଲେ ସାଂସଦ ଭର୍ତ୍ତୃହରି ମହତାବ

ଓଡ଼ିଶା ଭାସ୍କର: ନିର୍ବାଚନ ପୂର୍ବରୁ ପୁଣି ଶାସକ ବିଜେଡିକୁ ଲାଗିଛି ବଡ଼ ଝଟକା। ଦଳରୁ ଛାଡିଲେ ବିଜେଡିର ବରିଷ୍ଠ ନେତା ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଆଜି ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି। ଏନେଇ ସେ ଏକ ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି।

ତେବେ ଇସ୍ତଫା ଦେବା ସମ୍ପର୍କରେ ଭର୍ତ୍ତୃହରି କହିଛନ୍ତି, ଦଳରେ ମୋର ଗୁରୁତ୍ୱ ନଥିବା କାରଣରୁ ମୁଁ ଇସ୍ତଫା ଦେଇଛି। ଧର୍ଯ୍ୟର ଗୋଟିଏ ସୀମା ଥାଏ। କିନ୍ତୁ ଧର୍ଯ୍ୟର ସବୁ ସୀମା ଟପିବା ପରେ ଆଜି ମୁଁ ଏହି ନିଷ୍ପତି ନେଇଛି। ଭଗ୍ନହୃଦୟ ସହ ବିଜେଡିରୁ ଇସ୍ତଫା ଦେଇଛି। ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ପତ୍ର ପଠାଇଛି । ତେବେ ଦଳ ତିଆରି ହେଲା ବେଳେ ଗୋଟିଏ ଦାୟିତ୍ୱ ଥିଲା। କିନ୍ତୁ ଏବେ ଦଳରେ କିଛି ଦାୟିତ୍ୱ ନଥିବା ଭଳି ଲାଗୁଛି। ଅଢେଇ ବର୍ଷ ହେବ ଆଉ କିଛି ମତ ପ୍ରକାଶ କରୁନି। ଯେଉଁଠି ଦରକାର ପଡୁଥିଲା ମୁଁ ମତ ପ୍ରକାଶ କରୁଥିଲି । ହେଲେ ମୋ ମତକୁ ଗ୍ରହଣ କରାଯାଉନଥିଲା। ତେଣୁ ଦଳରୁ ଦୂରେଇ ଯିବାର ଭଲ ବୋଲି ଚିନ୍ତା କଲି। ତେଣୁ ବିଜେଡିରୁ ମୁଁ ଇସ୍ତଫା ଦେଇଛି। ଦଳକୁ ସଂଶୋଧନ କରିବା ପାଇଁ ବହୁ ଉଦ୍ୟମ କରିଛି। କିନ୍ତୁ କିଛି ଲାଭ ହେଲା ନାହିଁ।

ସୂଚନା ଥାଉକି, ସାମ୍ବାଦିକତା ଓ ରାଜନୀତିରେ ଭଲ ଦକ୍ଷତା ରଖିଥିବା ୬୭ ବର୍ଷୀୟ ଭର୍ତ୍ତୃହରି ମହତାବ ଏଥରକୁ ମିଶାଇଲେ ୬ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ତେବେ କଟକରୁ ପ୍ରଥମ ଥର ପାଇଁ ୧୯୯୮ରେ ସାଂସଦ ହୋଇଥିଲେ। ୨୦୧୭ ମସିହାରେ ସେ ଆଉଟ୍‌ଷ୍ଟାଣ୍ଡିଂ ପାର୍ଲାମେଣ୍ଟାରି ଆୱାର୍ଡ ଗ୍ରହଣ କରିଥିଲେ। ସେହିପରି ସେ ୨୦୧୭, ୨୦୧୮, ୨୦୧୯ ଓ ୨୦୨୦ ରେସ ସଂସଦ ରତ୍ନ ପୁରସ୍କାର ଗ୍ରହଣ କରିଥିଲେ। ତେବେ ବିଜେଡିର ଜଣେ ବରିଷ୍ଠ ନେତା ଭାବେ ଦଳରେ ସେ ଖୁବ ଅନୁଭବୀ ଓ ଅଭିଜ୍ଞ ନେତା ଥିଲେ। କିନ୍ତୁ ଆଜି ତାଙ୍କ ଇସ୍ତଫା ବିଜେଡିରେ କେଉଁଠି ନାଁ କେଉଁଠି ନିଶ୍ଚୟ ପ୍ରଭାବ ପକାଇବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Get real time updates directly on you device, subscribe now.