fbpx

ନାମାଙ୍କନ ଭରିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ୩ୟ ଥର ପାଇଁ ଲକ୍ଷ୍ନୌ ଆସନରୁ କରିବେ ପ୍ରତିଦ୍ୱନ୍ଦିତା

ଲକ୍ଷ୍ନୌ: ଲୋକସଭା ନିର୍ବାଚନକୁ ନେଇ ସରଗରମ ବିଭିନ୍ନ ରାଜନୌତିକ ଦଳ । ଗୋଟିଏ ପଟେ ଜୋରସୋରରେ ପ୍ରଚାର କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟପଟେ ଜାରି ରହିଛି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ପ୍ରକ୍ରିୟା । ଏଥିମଧ୍ୟରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲକ୍ଷ୍ନୌ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ଆଜି ନାମାଙ୍କନ ଦାଖଲ କରିଛନ୍ତି । ଏହି ସମୟରେ ତାଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ ଦଳର ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଏନେଇ ଏଏନ୍ଆଇ ‘ଏକ୍ସ’ରେ ଏକ ଭିଡ଼ିଓ ଶେୟାର କରିଛି ।

ଲକ୍ଷ୍ନୌ ଆସନକୁ ବିଜେପିର ଗଡ଼ ଭାବେ ବିବେଚିତ କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ଏହି ଆସନରୁ ୧୯୯୧, ୧୯୯୬, ୧୯୯୮, ୧୯୯୯ ଏବଂ ୨୦୦୪ରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ପରେ ୨୦୦୯ରେ ଏହି ଆସନରୁ ବିଜେପିର ଲାଲଜୀ ଟଣ୍ଡନ ବିଜୟ ହାସଲ କରିଥିଲେ । କହିରଖୁଛୁ ନାମାଙ୍କନ ଦାଖଲ କରିବା ପୂର୍ବରୁ ରାଜନାଥ ସିଂ ଲକ୍ଷ୍ନୌରେ ରୋଡ୍ ଶୋ କରିଥିଲେ । ପରେ ଲକ୍ଷ୍ନୌ ସ୍ଥିତ ହନୁମାନ ମନ୍ଦିରକୁ ଯାଇ ଠାକୁରଙ୍କ ଦର୍ଶନ ସହ ବିଜୟ ଆଶା ନେଇ ଆଶୀର୍ବାଦ ଲୋଡ଼ିଥିଲେ ।

Get real time updates directly on you device, subscribe now.