fbpx

ରାହୁଲ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିପାରିବେ କି ନା? କ’ଣ ସବୁ ରହିଛି ବିକଳ୍ପ, କିପରି ମିଳିପାରିବ ଆଶ୍ୱସ୍ତି

Advertisement

ନୂଆଦିଲ୍ଲୀ: ‘ମୋଦୀ ସରନେମ’ ମାମଲାରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଗୁଜରାଟ ହାଇକୋର୍ଟରୁ ଲାଗିଛି ବଡ଼ ଝଟକା । ସୁରତ କୋର୍ଟଙ୍କ ନିଷ୍ପତ୍ତିର ପୁନଃବିଚାର ପାଇଁ ରାହୁଲ ଆବେଦନ କରିଥିବା ବେଳେ ତଳ କୋର୍ଟଙ୍କ ନିଷ୍ପତ୍ତିକୁ ହାଇକୋର୍ଟ କାଏମ୍ ରଖିଛନ୍ତି । ହାଇକୋର୍ଟରୁ ରାହୁଲଙ୍କୁ ଆଶ୍ୱସ୍ତି ନ ମିଳିବା ଫଳରେ ଏବେ ତାଙ୍କର ସଜ୍ଜା ବଳବତ୍ତର ରହିବ ।

ତେବେ ଗୁଜରାଟ ହାଇକୋର୍ଟରୁ ନିରାଶ ହେବା ପରେ ଏବେ ରାହୁଲଙ୍କ ପାଇଁ କ’ଣ ବିକଳ୍ପ ରହିଛି, ସେ ଆଗକୁ କ’ଣ ରହିବେ, ୨୦୨୪ ଲୋକସଭା ନିର୍ବାଚନରେ ସେ ଲଢ଼ିପାରିବେ କି ନା ଏପରି ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି । ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ଆସନ୍ତା ନିର୍ବାଚନ ଲଢ଼ିବାର ରାସ୍ତା ରାହୁଲଙ୍କ ପାଇଁ କଠିନ ହୋଇ ଯାଇଛି । ଏବେ ରାହୁଲ ସୁପ୍ରିମକୋର୍ଟରେ ଆବେଦନ କରିପାରିବେ । ଯଦି ସର୍ବୋଚ୍ଚ ଅଦାଲତ ତଳ କୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ ଲଗାନ୍ତି ତେବେ ରାହୁଲ ନିର୍ବାଚନ ଲଢ଼ିପାରିବେ ।

ଆଜି ଯଦି ଗୁଜରାଟ ହାଇକୋର୍ଟ ତଳ କୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ ଲାଗୁ କରିଥାନ୍ତେ, ତେବେ ୨୦୨୪ ନିର୍ବାଚନ ଲଢ଼ିବା ରାସ୍ତା ରାହୁଲଙ୍କ ପାଇଁ ସ୍ପଷ୍ଟ ହୋଇପାରିଥାନ୍ତା । ମାତ୍ର ଏପରି କିଛି ଘଟି ନଥିଲା । ରାହୁଲଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଥିଲେ । ଏବେ ରାହୁଲ ହାଇକୋର୍ଟର ସିଙ୍ଗଲ ଜଜଙ୍କ ବେଞ୍ଚ ନିଷ୍ପତ୍ତିକୁ ଡିଭିଜନ ବେଞ୍ଚରେ ଚ୍ୟାଲେଞ୍ଜ କରିପାରିବେ ।

ରାହୁଲଙ୍କ ଯାଚିକାକୁ ନେଇ ଗୁଜରାଟ ହାଇକୋର୍ଟ କହିଥିଲେ, ରାହୁଲ ଅସ୍ତିତ୍ୱହୀନ ଆଧାରରେ ଆଶ୍ୱସ୍ତି ପାଇବାକୁ ପ୍ରୟାସ କରୁଛନ୍ତି । ତଳ କୋର୍ଟଙ୍କ ପକ୍ଷରୁ ଶୁଣାଣି ହୋଇଥିବା ସଜ୍ଜା ଉପରେ ରୋକ ଲାଗିବାର ନିୟମ ନାହିଁ । ସଜା ଉପରେ ରୋକ ନ ଲାଗିଲେ ରାହୁଲଙ୍କ ସହିତ ଅନ୍ୟାୟ ହେବ ନାହିଁ । ସୂଚନାଯୋଗ୍ୟ ଯେ, ୨୦୧୯ ଲୋକସଭା ନିର୍ବାଚନ ସମୟରେ କର୍ଣ୍ଣାଟକର ଏକ ରାଲିରେ ମୋଦୀ ସରନେମକୁ ନେଇ ରାହୁଲ ଏକ ବିବାଦୀୟ ବୟାନ ଦେଇଥିଲେ ।

ଉକ୍ତ ବୟାନକୁ ନେଇ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ରାହୁଲଙ୍କ ବିରୋଧରେ ମାନହାନୀ ମାମଲା ଦାୟର କରିଥିଲେ । ୪ ବର୍ଷ ପରେ ଗତ ମାର୍ଚ୍ଚ ୨୩ରେ ସୂରତର ତଳ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୨ ବର୍ଷର ଜେଲଦଣ୍ଡ ଶୁଣାଇଥିଲେ । ଏହାପରେ ରାହୁଲ ଲୋକସଭାର ସାଂସଦ ପଦ ହରାଇଥିଲେ । ୨ ବର୍ଷ ବା ତା’ଠାରୁ ଅଧିକ ସମୟ ପାଇଁ ଦଣ୍ଡିତ ହେଲେ ଜଣେ ରାଜନେତା ନିଜର ସାଂସଦ ଓ ବିଧାୟକ ସଦସ୍ୟତା ହରାଇବା ନେଇ ନିୟମ ରହିଛି ।

Get real time updates directly on you device, subscribe now.