ଇଂଲଣ୍ଡ ଟେଷ୍ଟ ପୂର୍ବରୁ ସୁସ୍ଥ ହେବେ ରୋହିତ? ନୂଆ ଅଧିନାୟକଙ୍କୁ ନେଇ BCCIର ରଣନୀତି

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟ ଆସନ୍ତା ୧ ତାରିଖରେ ଖେଳାଯିବ । ତେବେ ଏହାପୂର୍ବରୁ ଦଳର ଅଧିନାୟକ ରୋହିତ ଶର୍ମା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏବେ ଦଳରେ ତାଙ୍କ ପରିବର୍ତ୍ତେ ନେତୃତ୍ୱ କିଏ ସମ୍ଭାଳିବେ ସେ ନେଇ ଚର୍ଚ୍ଚା ଲାଗି ରହିଛି । ବୁମରାହ, ପନ୍ତ ଏବଂ ବିରାଟ କୋହଲିଙ୍କ ମଧ୍ୟରୁ ଜଣେ ଏହି ଦାୟିତ୍ୱ ନେବାକୁ ଆଲୋଚନା ହେଉଥିବା ବେଳେ ବିସିସିଆଇ କରୁଛି ନୂଆ ରଣନୀତି ।

ଭାରତୀୟ କ୍ରିକେଟ ବୋର୍ଡକୁ ଏବେ ମଧ୍ୟ ରୋହିତଙ୍କ ଅପେକ୍ଷା ରହିଛି । ଟେଷ୍ଟ ମ୍ୟାଚ ପୂର୍ବରୁ ରୋହିତ ସୁସ୍ଥ ହୋଇ ଦଳକୁ ଫେରିବେ ବୋଲି ବିସିସିଆଇ ଆଶା ରଖିଛି । ଏଥିପାଇଁ ମେଡିକାଲ ଟିମ ତରଫରୁ ୫ ଦିନ ଅପେକ୍ଷା କରିବାକୁ କୁହାଯାଇଛି । ତେବେ ଜୁଲାଇ ୧ ତାରିଖ ପୂର୍ବରୁ ରୋହିତ ସୁସ୍ଥ ହୋଇଗଲେ ସେ ଟେଷ୍ଟ ମ୍ୟାଚ ଖେଳିପାରିବେ ।

ଇଂଲଣ୍ଡ ବିପକ୍ଷ ଏହି ଟେଷ୍ଟ ଖୁବ ମହତ୍ତ୍ୱପୂର୍ଣ୍ଣ କାରଣ ଏହା ଗତବର୍ଷର ଟେଷ୍ଟ ସିରିଜର ଅଂଶ । ଏହି ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି । ତେବେ ଏହି ସିରିଜରେ ବିଜୟ ଭାରତକୁ ପଏଣ୍ଟ ଟେବୁଲରେ ଏକ ବଡ ଫାଇଦା ଦେବ । ତେଣୁ ଏହି ମ୍ୟାଚରେ ରୋହିତ ଶର୍ମା ଖେଳିବା ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି । ଅଧିନାୟକ ବ୍ୟତୀତ ଭାରତର ଓପନର ଭାବେ ମଧ୍ୟ ମୁଖ୍ୟ ଭୂମିକା ତୁଲାଉଛନ୍ତି ରୋହିତ ଶର୍ମା । ତେବେ ସେ ଏହି ମ୍ୟାଚରେ ନ ଖେଳିଲେ ଭାରତକୁ ଆଉ ଏକ ନୂଆ ଦଳ ସହ ଖେଳିବାକୁ ପଡିପାରେ । ଯାହା ଭାରତ ପାଇଁ ଅସୁବିଧାର କାରଣ ପାଲଟିପାରେ ।

ସେପଟେ ରୋହିତ ଶର୍ମାଙ୍କ ସ୍ଥାନରେ ଦଳର ନେତୃତ୍ୱ କିଏ ନେବେ ସେ ନେଇ ଦଳରେ ଏବଂ କ୍ରିକେଟ ପ୍ରେମୀଙ୍କ ମନରେ ବଡ ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ଇଂଲଣ୍ଡ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ଭାରତ ଆଗରେ ଥିବା ବିଭିନ୍ନ ସମସ୍ୟା ଛିଡା ହୋଇଛି । ତେଣୁ ଏହି ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି ।