ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ । ଡିସେମ୍ବର ୩୧ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ଏଥିରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି । ଚଳିତ ଶୀତ ଅଧିବେଶନ ବେଶ୍ ସରଗରମ ହେବା ନେଇ ଆଲୋଚନା ହେଉଛି । ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ବିଜୁ ଜନତା ଦଳ ଏବଂ କଂଗ୍ରେସ ଅଙ୍କକଷି ସାରିଛି । ସରକାରଙ୍କ ଅବହେଳା ଓ ରାଜ୍ୟସ୍ୱାର୍ଥ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଅଡ଼ୁଆରେ ପକାଇବାକୁ ବିଧାୟକଦଳ ବୈଠକରେ ଆଲୋଚନା ହୋଇଛି । ଆମ୍ବଟାକୁଆ ଜାଉ ଖାଇ ୩ ମୃତ, ଆଡାନୀଙ୍କ ଜମି ଅଧିଗ୍ରହଣ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ପ୍ରସଙ୍ଗ କରିବେ ବିରୋଧୀ । ଧାନ ମଣ୍ଡି ସମସ୍ୟା, ଦରଦାମ ବୃଦ୍ଧି, ବେରୋଜଗାର, ସୁଭଦ୍ରା ଯୋଜନାରେ ପକ୍ଷପାତିତା ପ୍ରସଙ୍ଗ ଉଠାଇ ସରକାଙ୍କୁ ଘେରିବାର ଯୋଜନା କରିଛି କଂଗ୍ରେସ । ପ୍ରଥମ ଦିନରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର ।
ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବା ଲାଗି ସରକାର ମଧ୍ୟ ପ୍ରସ୍ତୁତ । ଏ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ବିରୋଧୀ ଯେଉଁ ପ୍ରସଙ୍ଗ ଉଠେଇବ ତାକୁ ସାମ୍ନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି । ଏ ନେଇ ବିଧାୟକ ଦଳ ବୈଠକରେ ଆଲୋଚନା ହୋଇଛି । ବିଧାନସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା ହେବ । ଏଥିସହ ୫ ମାସର ଉପଲବ୍ଧି ମଧ୍ୟ ଗୃହରେ ରଖିବେ ସରକାର ।
ଅଧିବେଶନ ଆରମ୍ଭ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଡିଜିପି ୱାଇ.ବି ଖୁରାନିଆ । ସୁରକ୍ଷାକୁ ଦୃଷ୍ଟିରେ ରଖି ୩ ଥାକିଆ ସୁରକ୍ଷା ବ୍ୟବସ୍ଥା ସହ ବିଧାନସଭା ଓ ଆଖପାଖ ଅଞ୍ଚଳକୁ ପୋଲିସ ଛାଉଣି କରାଯିବ, ଯେଉଁଥିରେ ନିୟୋଜିତ ରହିବେ ୩୦ ପ୍ଲାଟୁନ୍ ଫୋର୍ସ । ସେହିପରି ଲୋୟର ପିଏମଜିରେ ଏଥର ଧାରଣା ପାଇଁ ଅନୁମତି ମିଳିପାରିବ ନାହିଁ । କାରଣ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରିବା ପାଇଁ ସେଠାରେ ଅସ୍ଥାୟୀ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି ।