ନୂଆଦିଲ୍ଲୀ: ସେପ୍ଟେମ୍ବର ମାସ ୨୦ ତାରିଖରେ ଲୋକସଭାରେ ମହିଳା ସଂରକ୍ଷଣ ବିଲ ପାସ୍ ହୋଇଥିବା ବେଳେ ବିଲ ସପକ୍ଷରେ ୪୫୪ଟି ଭୋଟ ଓ ବିପକ୍ଷରେ ୨ଟି ଭୋଟ୍ ମିଳିଥିଲା । ଗତକାଲି ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବିଲ୍ ଲୋକସଭାରେ ପାସ୍ ହୋଇଥିବା ବେଳେ ଆଜି ରାଜ୍ୟସଭାରେ ପାସ୍ ହୋଇଛି । ସର୍ବସମ୍ମତିକ୍ରମେ ଏହି ବିଲ୍ ପାସ ହୋଇଥିବା ଜଣାପଡ଼ିଛି ।
ତେବେ ବିଲ୍ ସପକ୍ଷରେ ୨୧୫ଟି ଭୋଟ ମିଳିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ବିଲର ବିପକ୍ଷରେ କୌଣସି ସାଂସଦ ଭୋଟ ଦେଇ ନଥିବା ଜଣାପଡ଼ିଛି । ତେଣୁ ଏହା ଏକ ଐତିହାସିକ ବିଜୟ ବୋଲି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକର କହିଛନ୍ତି । ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ବକ୍ତବ୍ୟ ରଖିବା ପରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସେଥିପାଇଁ ସମସ୍ତ ସଦସ୍ୟଙ୍କ ସିଟରେ ମଲଟିମିଡ଼ିଆ ଡିଭାଇସ ଲାଗିଥିଲା । ଉକ୍ତ ଡିଭାଇସ ମାଧ୍ୟମରେ ସମସ୍ତ ସାଂସଦ ନିଜ ନିଜର ମତଦାନ କରିଥିଲେ ।
ମହିଳା ସଂରକ୍ଷଣ ବିଲ ବା ନାରୀ ଶକ୍ତି ବନ୍ଦନ ଅଧିନିୟମର କାର୍ଯ୍ୟକାରିତା ନେଇ ରାଜ୍ୟସଭାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଓ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ମଧ୍ୟରେ ଡିବେଟ୍ ଦେଖିବାକୁ ମିଳିଥିଲା । ଲୋକସଭାରେ ବହୁମତରେ ବିଲ ପାରିତ ହେବା ପରେ ସଂସଦର ଉଚ୍ଚତମ କକ୍ଷରେ ଚର୍ଚ୍ଚା ହୋଇଥିଲା । ଏହି ଚର୍ଚ୍ଚା ଅବସରରେ ବିଜେପି ଓ ବିରୋଧୀ ଦଳର ନେତାଙ୍କ ମଧ୍ୟରେ ଯୁକ୍ତି ଦେଖିବାକୁ ମିଳିଥିଲା । ଲୋକସଭା ଓ ବିଭିନ୍ନ ରାଜ୍ୟ ବିଧାନସଭାରେ ମହିଳାଙ୍କୁ ଏକତୃତୀୟାଂଶ ପ୍ରତିନିଧିତ୍ୱର ସୁଯୋଗ ଦେଉଥିବା ବିଲ ଅଧିନରେ ଅନ୍ୟ ପଛୁଆ ବର୍ଗ ଓ ଏସସି / ଏସଟି ସମ୍ପ୍ରଦାୟଙ୍କୁ ଅନ୍ତର୍ଭୁକ୍ତ କରିବାକୁ ବିରୋଧୀ ଦାବି କରିଥିଲେ ।