fbpx
BSKY
BJD MS SKY
BJD YOUTH SKY

ହାଇପ୍ରୋଫାଇଲ ମହିଳାଙ୍କ ଦବଙ୍ଗଗିରି, ପୋଲିସଙ୍କୁ କହିଲେ ପଚାରିବାକୁ ତମେ କିଏ?

ବ୍ରଜରାଜନଗର,୨/୪(ଓଡ଼ିଶା ଭାସ୍କର): ମହାମାରୀ କରୋନା ଉପରେ ଅଙ୍କୁଶ ଲଗାଇବା ପାଇଁ ସାରା ଦେଶକୁ ୨୧ ଦିନ ତାଲାବନ୍ଦ ଘୋଷଣା କରାଯାଇଛି । ବ୍ରଜରାଜନଗର ଓ ପଡ଼ୋଶୀ ସୁନ୍ଦରଗଡ଼ ଜିଲ୍ଲା କଳକାରଖାନା ଏବଂ ଖଣି ଖାଦାନ ସମୃଦ୍ଧ ଅଞ୍ଚଳ ହୋଇଥିବାରୁ ଦେଶର କୋଣଅନୁକୋଣରୁ ଲୋକେ ଆସି ଏଠାରେ ରୋଜଗାର କରି ବସବାସ କରୁଛନ୍ତି । ତେଣୁ ମହାମାରୀ କରୋନାର ସଂକ୍ରମଣଙ୍କୁ ଏଠାରେ ଏଡ଼ାଇ ଦିଆଯାଇନପାରେ । ଏଥିପାଇଁ ରାଜ୍ୟ ତଥା ଜିଲ୍ଲାର ସମସ୍ତ ସୀମାଗୁଡ଼ିକୁ ସିଲ କରିଦିଆଯାଇ ଗାଡ଼ି ମୋଟର ଚଳାଚଳ ଓ ଅନ୍ୟ ଜିଲ୍ଲାରୁ ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ବ୍ରଜରାଜନଗର ପୋଲିସ ଲୋକଙ୍କ ସୁରକ୍ଷା ପାଇଁ ନିଜ ପରିବାରକୁ ଭୁଲି ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରୁଥିଲେ ହେଁ ବିଭିନ୍ନ ସମୟରେ ତାଙ୍କୁ ମଧ୍ୟ ଭାରି ମାତ୍ରାରେ ସମାଲୋଚନାର ଶିକାର ତଥା ହୀନସ୍ଥା ମଧ୍ୟ ହେବାକୁ ପଡ଼ୁଛି । ନିଜ ପରିବାରର ସୁରକ୍ଷା ପାଇଁ ଗରିବ, ଖଟିଖିଆ ଓ ମଧ୍ୟବିତ୍ତ ପରିବାର ତାଙ୍କର ସମସ୍ତ ଦୁଃଖ କଷ୍ଟକୁ ସହି ସରକାରଙ୍କ ନିୟମକୁ ମୁଣ୍ଡପାତି ପାଳନ କରୁଛନ୍ତି । ହେଲେ କିଛି ବଡ଼ବଡ଼ିଆ, ହାଇପ୍ରୋଫାଇଲ ଉଚ୍ଚ ଶିକ୍ଷିତ ଏହାକୁ ଫୁ କରି କର୍ତ୍ତବ୍ୟରତ ପୋଲିସ ଅଧିକାରୀଙ୍କୁ ତାର କର୍ତ୍ତବ୍ୟ ବାବଦରେ ପଚାରି ବେଜ୍ଜତ କରିବାକୁ ପଛାଉ ନାହାନ୍ତି । ଏମିତି ଏକ ଘଟଣା ଘଟିଛି ବ୍ରଜରାଜନଗରର ମୁଖ୍ୟ ସହରରେ । ଯାହାର ଭିଡ଼ିଓ ବର୍ତ୍ତମାନ ସାରା ଅଞ୍ଚଳରେ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଜଣେ ଉଚ୍ଚ ଶିକ୍ଷିତ ମହିଳା ଲକ ଡାଉନ ନିୟମକୁ ଉଲ୍ଲଂଘନ କରି ଓଲଟା ବ୍ରଜରାଜନଗର ଏସଡ଼ିପିଓ ଦିଲ୍ଲୀପ ଦାସଙ୍କୁ ଅନର୍ଗଳ ଇଂରାଜୀ ଭାଷାରେ ଯାହା ଇଚ୍ଛା ତାହା କହିଚାଲିଛନ୍ତି । ଏପରିକି ମୁଁ ବୁଲାବୁଲି କଲେ ତମେ କିଏ ଓ ମୁଁ ଯୁଆଡ଼େ ଯାଇଥିଲେ କାହିଁକି କହିବି ବୋଲି ମହିଳା ଜଣଙ୍କ ପୋଲିସ ସାମ୍ନାରେ ହାଇଭୋଲଟେଜ ଡ୍ରାମା କରିଛନ୍ତି । କେତେବେଳେ ପୋଲିସକୁ କହୁଛନ୍ତି ଯେ, ସେ ମେଡିକାଲ ଯାଇଥିଲେ ତ ଆଉ କେତେବେଳେ ସମ୍ପର୍କୀୟଙ୍କୁ ଘରକୁ ମେଡିସିନ ନେବାକୁ ଯାଇଥିବାର ଆଳ ଦେଖାଇଥିବା ଭାଇରାଲ ଭିଡ଼ିଓ ରେ ଦେଖିବାକୁ ମିଳୁଛି । ବ୍ରଜରାଜନଗର ଏସଡ଼ିପିଓ ଦିଲୀପ ଦାସ ମହିଳା ଜଣଙ୍କୁ ଅତି ବିନମ୍ର ହୋଇ ନାମ ପଚାରିଥିଲେ ମଧ୍ୟ ସେ ପ୍ରକାଶ କରିନଥିବା ଜଣାପଡ଼ିଛି ।

Get real time updates directly on you device, subscribe now.